ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ବନ୍ଦର ପ୍ରତିବାଦ : ଆଜି ସେବାୟତ ପାଳିବେ କ୍ରାନ୍ତି ଦିବସ

ପୁରୀ : ମାନ୍ୟବର ସୁପ୍ରିମ୍‌କୋର୍ଟ ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଯାଇ ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ବନ୍ଦ ଭଳି ୧୨ଟି ଆଦେଶକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ଟଣାଓଟରା ଚାଲିଥିବା ବେଳେ ସେବାୟତମାନେ ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି। ରାଜ୍ୟ ସରକାର ତଥା ପ୍ରଶାସନିକ ସ୍ତରରେ ଏହାର ବିଚାର ପରିବର୍ତେ ସେବାୟତ ଓ ଜନସାଧାରଣଙ୍କୁ ନେଇ ପ୍ରଥମ ଥର ପାଇଁ ଜନଶୁଣାଣିର ଆୟୋଜନ ଏକ ସୁଚିନ୍ତିତ ସେବାୟତ ବିରୋଧୀ ଷଡ଼ଯନ୍ତ୍ର ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଆଜି ବିଭିନ୍ନ ସ୍ଥାନରେ ଏହା ବିରୋଧରେ ପୋଷ୍ଟର ମାରିବା ସହ ଆସନ୍ତାକାଲି ଭୋଗମଣ୍ଡପ ସମ୍ମୁଖରେ ଏକାଠି ହୋଇ କ୍ରାନ୍ତି ଦିବସ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ସଂପର୍କରେ ସୂଚନା ଦେଇ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀର ସାଧାରଣ ସଂପାଦକ କାଶୀନାଥ ଖୁଣ୍ଟିଆ କହିଛନ୍ତି ଉତ୍କଳର ଗର୍ବ, ଗୌରବ, ସ୍ୱାଭିମାନ ହେଉଛନ୍ତି ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର। ସେବାୟତମାନେ ନିଜକୁ ଶ୍ରୀଜଗନ୍ନାଥଙ୍କ ସେବାରେ ଉତ୍ସର୍ଗ କରି ଦେଇଛନ୍ତି। ପରମ୍ପରାକୁ ସୁରକ୍ଷା ଦେବା ବଦଳରେ ଶ୍ରୀମନ୍ଦିରର ରୀତିନୀତି, ପରମ୍ପରାକୁ ଧ୍ୱଂସ କରିବାକୁ ପ୍ରଶାସନିକ ଷଡ଼ଯନ୍ତ୍ର କରାଯାଇଛି। ଏହା ବିରୋଧରେ ଆସନ୍ତାକାଲି ସେବାୟତମାନେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇବେ। କ୍ରାନ୍ତି ଦିବସ ପାଳନ କରିବାକୁ ଯାଇ ସହରରେ ଶୋଭାଯାତ୍ରା କରିବା ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ସମ୍ବନ୍ଧିତ ଖବର