ସେବା ସମର୍ପଣ କରିବେ ସେବାୟତ!

ସଂଖ୍ୟା ହ୍ରାସ ନେଇ ସେବାୟତଙ୍କ ପ୍ରତିକ୍ରିୟା, ଉପୁଜିବ ପାରିବାରିକ କଳି

ପୁରୀ : ଶ୍ରୀମନ୍ଦିର ସଂସ୍କାର ପାଇଁ ଦୁଇ ଦିନିଆ ଗସ୍ତରେ ଆସିଥିବା ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଦିଲ୍ଲୀ ଫେରିଯାଇଛନ୍ତି। ଗତକାଲି ସେ ଦାନ ଦକ୍ଷିଣା ପ୍ରସଙ୍ଗରେ କଠୋର ଥିବା ବେଳେ ବଂଶାନୁକ୍ରମ ସେବାକୁ ନେଇ ସକରାତ୍ମକ ମତ ରଖିଛନ୍ତି। ସେବକମାନେ ନିଜ ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବାକୁ ଯତ୍ନବାନ ହେବାକୁ କହିଛନ୍ତି। ତେବେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସେବକଙ୍କ ସଂଖ୍ୟା ହ୍ରାସ ହେବା ନେଇ ପ୍ରସ୍ତାବ ଥିବା କହିବା ପରେ ସେବାୟତମାନେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେବକଙ୍କ ସଂଖ୍ୟା କମିଲେ ଏହାକୁ ନେଇ ବିଭ୍ରାଟ ସହ ପାରିବାରିକ କଳି ଉପୁଜିବ। ତେଣୁ ଏ ପ୍ରକାର ଦ୍ୱନ୍ଦ୍ୱରୁ ମୁକ୍ତି ପାଇବା ପାଇଁ ସେବାୟତ ବାଧ୍ୟ ହୋଇ ସେମାନଙ୍କ ସେବାକୁ ସମର୍ପଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେବକମାନେ ଏ ନେଇ ମେଳି ବାନ୍ଧିଛନ୍ତି। ପ୍ରଶାସନର ଚାବୁକ ପ୍ରହାରରେ କ୍ଷତାକ୍ତ ହେବା ଅପେକ୍ଷା ସେବାରୁ ନିବୃତ୍ତ ରହିବା ଠିକ୍‌ ହେବ ବୋଲି କିଛି ବରିଷ୍ଠ ସେବାୟତ ତାଙ୍କ ନାମ ଗୋପନ ରଖି କହିଛନ୍ତି।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ସେବକ ସଂଖ୍ୟା ହ୍ରାସ ପାଇଁ ପ୍ରଶାସନ ମଧ୍ୟ ଏକ ଖସଡ଼ା ପ୍ରସ୍ତୁତ କରିଛି। ନିଯୋଗମାନେ ସେବାୟତ ନିଯୁକ୍ତି କରିବା ସହ କାହାକୁ ସେବା ଅଧିକାର ମିଳିବ ଏବଂ କାହାକୁ କଟାଯାଇ କ୍ଷତିପୂରଣ ଦିଆଯିବ ତାହା ମଧ୍ୟ ଧାର୍ଯ୍ୟ କରିବେ। ସେବକ ସଂଖ୍ୟା ହ୍ରାସ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିଭ୍ରାଟ ଉପୁଜିବ ବୋଲି ସେବକମାନେ କହିବା ସହ ମନ୍ଦିରରୁ ବର୍ତ୍ତମାନ ମିଳୁଥିବା ପାଳିଆ ପୁରସ୍କାର ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି।

ତିରୁପତି ଓ ଅନ୍ୟ ମନ୍ଦିରରେ ଜଣେ ସେବକ ଲକ୍ଷାଧିକ ଟଙ୍କା ଉପାର୍ଜନ କରୁଥିବା ବେଳେ ଶ୍ରୀମନ୍ଦିରରେ ବର୍ଷ ବର୍ଷ ଧରି ସେବା କରିଥିବା ସେବକ ପାଉଥିବା ପୁରସ୍କାର ଗୌଣ ରହିଛି। ମନ୍ଦିରରେ ୩୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ଏବଂ ଏ ବାବଦରେ ମନ୍ଦିର ପକ୍ଷରୁ ଦୁଇ କୋଟି ଟଙ୍କା ଦରମା ନେଉଥିବା ବେଳେ ସେବକଙ୍କୁ ସେମାନଙ୍କ ସେବା ପାଇଁ ମାସକୁ ହାରାହାରି ୩୦ରୁ ୪୦ଲକ୍ଷ ଟଙ୍କା ପ୍ରାପ୍ୟ ପାଉଣା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଜଣେ ସେବକ ପାଳି କରି ଯାହା ଉପାର୍ଜନ କରୁଛନ୍ତି ତାହା ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ସେମାନେ କିଭଳି ଚଳିବେ ବୋଲି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର ପ୍ରଶ୍ନ କରିଛନ୍ତି। ଜଣେ ସେବକ ମାସକୁ ଅତି କମ୍‌ରେ ୩ରୁ ୪ ପାଳି କରିବାର ସୁଯୋଗ ପାଉଛନ୍ତି। ଜଣେ ପୂଜା ପଣ୍ଡା ଗୋଟିଏ ପାଳି କଲେ ଦିନକୁ ୧୫୦୦ ଟଙ୍କା ପାଉଛନ୍ତି। ଅବଶ୍ୟ ଏବେ ନୂତନ କମିଟି ଏଥିରେ ୩୩ ପ୍ରତିଶତ ବୃଦ୍ଧି କରିଛନ୍ତି। ତେବେ ଜଣେ ସେବକ ପରିବାରରେ ଏକାଧିକ ଲୋକ ରହିଥିବାରୁ ପରିବାର ପିଛା ହାରାହାରି ୩ରୁ ୫ଟି ପାଳି ପଡୁଛି। ତେଣୁ ଜଣେ ସେବକ ଅତିକମରେ ୧୦ ହଜାର ଟଙ୍କା ରୋଜଗାର କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଦକ୍ଷିଣା ବନ୍ଦ କରିବା ପ୍ରସଙ୍ଗକୁ ନେଇ କିଛି ସେବାୟତ ଆପତ୍ତି ଉଠାଇଛନ୍ତି।

ସମ୍ବନ୍ଧିତ ଖବର