ଆଉ କେତେ ଅବହେଳା ହୋଇଥା’ନ୍ତା!

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଓ ଡୁପ୍ଲିକେଟ୍‌ ଚାବି ମିଳିବା ଘଟଣାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଅକଳରେ ପଡିଯାଇଛି। ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ମଧ୍ୟ ଗୋଲକ ଧନ୍ଦାର ଫସିଛି। କିଏ କେତେ ସତ କହୁଛି ତାକୁ ନେଇ ସନ୍ଦେହ ଉପୁଜିଲାଣି।

ଉଲ୍ଲେଖଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନ ଭଣ୍ଡାର ମରାମତି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଏପରିକି ରତ୍ନ ଭଣ୍ଡାର ଖୋଲିବା ଓ ଚାବି ଖୋଜିବା ପାଇଁ ମନ୍ଦିର ପ୍ରଶାସନ ପାଖରେ ପର୍ଯ୍ୟାପ୍ତ ସମୟ ମଧ୍ୟ ଥିଲା। ମାତ୍ର ଉଭୟ ପ୍ରଶାସନର ସମନ୍ଵୟ ନଥିବାରୁ ଏକ ବଡ ବିବାଦ ଠିଆ ହୋଇଥିଲା।

ଗତ ମାର୍ଚ୍ଚ ୨୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଚାହିଁଥିଲେ ୨୧ ତାରିଖ ଦିନ ଜିଲ୍ଲା ପ୍ରଶାସନକୁ ଚାବି ମାଗିପାରିଥାନ୍ତା। ମାତ୍ର ମନ୍ଦିର ପ୍ରଶାସନ ଏହାକୁ ଗୁରୁତ୍ଵ ଦେଇନଥିଲା। ପୁନର୍ବାର ମାର୍ଚ୍ଚ ୨୬ ତାରିଖରେ ମାନ୍ୟବର ହାଇକୋର୍ଟ ଏପ୍ରିଲ ୪ ତାରିଖ ପୂର୍ବରୁ ରତ୍ନ ଭଣ୍ଡାର ଖୋଲିବାକୁ କହିଥିଲେ। ମନ୍ଦିର ପ୍ରଶାସନ ହାତରେ ୯ ଦିନ ସମୟ ଥିଲା। ସେତେବେଳେ ମଧ୍ୟ ମନ୍ଦିର ପ୍ରଶାସନ ଚାବି ମାଗିପାରିଥାନ୍ତା। ମାତ୍ର ମନ୍ଦିର ପ୍ରଶାସନ ଏ କ୍ଷେତ୍ରରେ ମଧ୍ୟ ଚରମ ଅବହେଳା ପ୍ରଦର୍ଶନ କରିଥିଲା।

ଖୋଲିବାର ଦୁଇ ଦିନ ପୂବରୁ ଅର୍ଥାତ ଏପ୍ରିଲ ୨ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ଚାବି ପ୍ରସଙ୍ଗରେ ପ୍ରଥମ ଚିଠି ଜିଲ୍ଲାପାଳଙ୍କୁ ଲେଖିଥିଲା। ଫଳରେ ଜିଲ୍ଲା ପ୍ରଶାସନ ପାଖରେ ମାତ୍ର ଦୁଇ ଦିନର ସମୟ ଥିଲା। ତରବରିଆ ଭାବେ ଜିଲ୍ଲା ପ୍ରଶାସନ ଚାବି ଟ୍ରେଜେରିରୁ ନ ପାଇବା ପରେ ଚାବି ନାହିଁ ବୋଲି ୪ ତାରିଖରେ ଦିନ ଜିଲ୍ଲାପାଳ ମନ୍ଦିର ପ୍ରଶାସନକୁ ଜଣାଇଦେଇଥିଲା। ସବୁ କଥା ଜାଣି ମଧ୍ୟ ଉଭୟ ମନ୍ଦିର ଓ ଜିଲ୍ଲା ପ୍ରଶାସନ ଭଣ୍ଡାର ଖୋଲିବାକୁ ଯାଇଥିଲେ। କାହାକୁ କିଛି କହିବାକୁ ମନା କରିଦେଇଥିଲେ।

ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ଏବେ ରାଜ୍ୟ ସରକାରଙ୍କୁ ବିବାଦ ଭିତରକୁ ଠେଲିଦେଇଥିବା କୁହାଯାଉଛି। କେବଳ ସେତିକି ନୁହେଁ, ସମସ୍ତେ ଏତେ ହାଲକା ହୋଇଗଲେ ଯେ ଦୀର୍ଘ ଦେଢ ମାସ ଧରି ଚାବି ହଜିବା ବା ଖୋଜିବା ପ୍ରସଙ୍ଗରେ ମୁଣ୍ଡ ପୂରାଇନଥିଲେ। ମେ ମାସ ୨୪ ତାରିଖରେ ଚାବି ଖୋଜିବାକୁ ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସାନି ଚିଠି ଲେଖିଥିଲା। ଯେଉଁ ଚିଠି ୯ ଦିନ ପରେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲା। ଏଥିସହିତ ଜିଲ୍ଲାପାଳ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଚାବି ଖୋଜିବାକୁ କେବେ କମିଟି ଗଠନ କରିଥିଲେ ତାହା ମଧ୍ୟ କାହାକୁ ଜଣାନାହିଁ ବା ପ୍ରଶାସନ ସେ ସଂପର୍କରେ ଏଯାଏ କିଛି କେହି କହିନାହାନ୍ତି।

ସମ୍ବନ୍ଧିତ ଖବର