ସରକାରଙ୍କ ନିର୍ଦେଶକୁ ଫୁ’ : ଏବେ ବି ଚାଲିଛି ଗର୍ଭଗୃହରେ ଅବାଧ ପ୍ରବେଶ

ପୁରୀ : କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଗର୍ଭଗୃହରେ ଏବେ ସମସ୍ତଙ୍କର ଅବାଧ ପ୍ରବେଶ ଚାଲିଛି। ପାଳିଆ ସେବକ, ସହାୟକ ସେବକ, ଜେଟିପି, ବୋଝିଆ, କାମ ନ ଥିବା ସେବକ ସମସ୍ତେ ଗର୍ଭଗୃହକୁ ପ୍ରବେଶ କରୁଛନ୍ତି। ଗର୍ଭଗୃହ ପ୍ରବେଶକୁ ନେଇ ରହିଥିବା ସବୁ କଟକଣା ଆପଣାଛାଏଁ ଅକାମୀ ହୋଇପଡିଛି। ସେବକ, ପ୍ରଶାସନ ମିଳିମିଶି ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରି ଏବେ ଶ୍ରୀମନ୍ଦିର ଗର୍ଭଗୃହ ପ୍ରବେଶ କରୁଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୦ ତାରିଖରୁ ଗର୍ଭଗୃହକୁ ଅବାଧ ପ୍ରବେଶ ଲାଗି ରହିଥିଲେ ହେଁ ମନ୍ଦିର ପ୍ରଶାସନ ନାଚାର ରହିଛି। ସରକାର ମଧ୍ୟ ନୀତି ବିଭ୍ରାଟ ପ୍ରସଙ୍ଗକୁ ନେଇ ଆଉ ବଦନାମ୍‌ ମୁଣ୍ଡାଇବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ବିନା ନିର୍ଦ୍ଦେଶରେ ଏବେ ଗର୍ଭଗୃହ ପ୍ରବେଶ ପୁଣି ସାର୍ବଜନୀନ ହୋଇପଡିଛି। ଗତ ୧୬ରୁ ୧୮ ତାରିଖ ତିନି ଦିନ ଧରି ମହାପ୍ରଭୁଙ୍କ ନୀତି ବିଭ୍ରାଟ ଇଚ୍ଛାକୃତ ଥିବା ବର୍ତ୍ତମାନର ସ୍ଥିତିରୁ ସଂପୂର୍ଣ୍ଣ ସ୍ପଷ୍ଟ ହୋଇଛି। ଗର୍ଭଗୃହ ପ୍ରବେଶକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ବ୍ୟବସ୍ଥାବଳୀ ଅଚଳ ହୋଇ ପଡିଥିବା ବେଳେ ଏ ନେଇ କୌଣସି ନୂଆ ବ୍ୟବସ୍ଥାବଳୀ ମଧ୍ୟ ପ୍ରସ୍ତୁତ ହୋଇନାହିଁ।

ସୂଚନାଯୋଗ୍ୟ, ଜଷ୍ଟିସ ବିପି ଦାସ କମିସନ୍‌ଙ୍କ ସୁପାରିଶ ମୁତାବକ ଗର୍ଭଗୃହ ପ୍ରବେଶକୁ ନିଷିଦ୍ଧ କରାଯାଇଥିଲା। ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଗର୍ଭଗୃହ ପ୍ରବେଶ ମନା ଥିଲା। ଏହାକୁ ନେଇ ମନ୍ଦିର ପ୍ରଶାସନ ଏକ ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଥିଲେ। ମାତ୍ର ୧୬ ତାରିଖରେ ଜଗମୋହନ ଖୋଲିବା ଦିନ ଗର୍ଭର୍ଗୃହ ପ୍ରବେଶକୁ ନେଇ ଗୋଳମାଳିଆ ସ୍ଥିତି ଉପୁଜିଥିଲା। କୋର୍ଟଙ୍କ ନିର୍ଦ୍ଦେଶକୁ ଭୁଲ ଭାବେ ତର୍ଜମା କରାଯିବାରୁ ସେବାୟତଙ୍କ ପକ୍ଷରୁ କୌଣସି ସହଯୋଗ ମିଳିନଥିଲା। ଫଳରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ଉପୁଜିଥିଲା। ଦୁଇ ଦିନ ଧରି ମହାପ୍ରଭୁଙ୍କୁ ଭୋକ ଉପାସରେ ରହିବାକୁ ପଡିଥିଲା। ଏହାକୁ ନେଇ ବିଧାନସଭା ହୁଲୁସ୍ତୁଲ ହୋଇଥିଲା। ଭକ୍ତମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ଏହି ପ୍ରସଙ୍ଗରେ ଗତ ୧୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଏହାର ସଂଶୋଧନ ପାଇଁ ସତ୍ୟପାଠ ଦାଖଲ କରିଥିଲେ। ରିପୋର୍ଟର ଭୁଲ ତର୍ଜମା କରାଯାଇଛି ବୋଲି ମାନ୍ୟବର ହାଇକୋର୍ଟ ପ୍ରକାଶ କରିବା ସହ ଠାକୁରଙ୍କ ନୀତିକାନ୍ତି ସଂପର୍କରେ କୌଣସି ହସ୍ତକ୍ଷେପକୁ ମନା କରି ଶ୍ରୀମନ୍ଦିର ପ୍ରଶାସନକୁ ଏ ବାବଦରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନ ନେବାରୁ ପୁନର୍ବାର ଗର୍ଭଗୃହକୁ ସାର୍ବଜନୀନ ପ୍ରବେଶ ଘଟିଛି। ସମସ୍ତ ସେବକ ଭିତରକୁ ଅବାଧ ପ୍ରବେଶ କରୁଛନ୍ତି। ଯାହାକୁ ନେଇ ଗୋଳିମାଳିଆ ସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର