୧୨ ଦିନ ପରେ ବି ଜଗତପୁର ଶିଳ୍ପାଞ୍ଚଳକୁ ମିଳିଲାନି ବିଦ୍ୟୁତ: ଶିଳ୍ପ ବିଭାଗ ଅଧିକାରୀଙ୍କ ଗସ୍ତ ସମୟରେ ଉତ୍ତେଜନା

କଟକ-ଜଗତପୁର: ‘ଫନି’ ବାତ୍ୟାର ୧୨ ଦିନ ପରେ ବି ଜଗତପୁର ଶିଳ୍ପାଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ। ଏହା ଦ୍ବାରା ୩ଶହରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ନେଇ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋ‌ଷ ସୃଷ୍ଟି ହୋଇଛି। ଶିଳ୍ପାଞ୍ଚଳର ରାସ୍ତାରେ ଭଙ୍ଗା ଗଛ ଡାଳ ପଡି ରହିବା, ଭଙ୍ଗା ବିଦ୍ୟୁତ ଖୁଣ୍ଟ ନ ଉଠିବା, ବୋରିଂ ପଏଣ୍ଟରୁ ଜଳ ଯୋଗାଣ ନ ହୋଇ ପାରିବା ଘଟଣାକୁ ନେଇ ଅସନ୍ତୋଷ ବଢି ଚାଲିଥିବା ବେଳେ ଆଜି କ୍ଷୁଦ୍ର ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, ଇଡକୋ ଡିଭିଜନ ମୁଖ୍ୟ ରବୀନ୍ଦ୍ର ମହାପାତ୍ର ଓ ଅନ୍ୟ ଅଧିକାରୀ ଶିଳ୍ପାଞ୍ଚଳ ପରିଦର୍ଶନ କରିବା ସମୟରେ ତୁମୁଳକାଣ୍ଡ ଘଟିଛି।

ଦୁଇ ଶିଳ୍ପଦ୍ୟୋଗୀ ଗିରଫ ପରେ ମୁକୁଳିଲେ
ସାମ୍ବାଦିକଙ୍କ କ୍ୟାମେରା ଛଡ଼ାଇ ନେଲା ପୁଲିସ
ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଶିଳ୍ପ ସଂଘର ବୈଠକ

ଶିଳ୍ପଦ୍ୟୋଗୀମାନେ ଅଧିକାରୀମାନଙ୍କୁ ଶିଳ୍ପାଞ୍ଚଳ ପ୍ରବେଶ ଦ୍ବାରରେ ଭେଟିବା ସହ ସଂଘର ସଭାଗୃହକୁ ଆସି ଆଲୋଚନା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଡିସିପି ଅଖିଳେଶ୍ବର ସିଂହ, ଏସିପି ମାନସରଂଜନ ଗଡନାୟକ ଓ ଆଇଆଇସି ପ୍ରଦୀପ୍ତ ନାୟକ ପ୍ରମୁଖ ଅଧିକାରୀମାନଙ୍କୁ ଜବରଦସ୍ତ ଚଲାଇ ଚଲାଇ ସଂଘ କାର୍ଯ୍ୟାଳୟକୁ ନ ନେବା ପାଇଁ ପୁଲିସ ବାରଣ କରିଥିଲା। ଏଭଳି ସ୍ଥିତିରେ ଶିଳ୍ପଦ୍ୟୋଗୀଙ୍କ ସହ କଥା କଟାକଟି, ଉଚ୍ଚବାଚ ଏବଂ ଧସ୍ତାଧସ୍ତି ଯାଏ କଥା ଯାଇଥିଲା। ଶିଳ୍ପଦ୍ୟୋଗୀ ସୁଧାକର ସ୍ବାଇଁ ଓ ଅଶୋକ ସାହୁଙ୍କୁ କେତେକ ପୁଲିସ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଥିବା ବେଳେ ସେମାନଙ୍କୁ ପୁଲିସ ଗିରଫ କରି ନେଇଥିଲା। ସେହି ସମୟରେ ଘଟଣାର ଫଟୋ ଉଠାଉଥିବା ସମ୍ବାଦର ସ୍ଥାନୀୟ ପ୍ରତିନିଧି ରାଧାମାଧବ ଦାସଙ୍କ କ୍ୟାମେରାକୁ ପୁଲିସ ଛଡାଇ ନେଇଥିଲା। କ୍ୟାମେରାରେ ଥିବା ଫଟୋକୁ ଉଡାଇ ଦିଆଯାଇଥିଲା। ଓଡ଼ିଶା ଶିଳ୍ପ ସଂଘ ଅଧ୍ୟକ୍ଷ ଅବନୀ କାନୁନଗୋ ଓ ସଭାପତି ମନୋଜ ସୁବୁଦ୍ଧି ଓ ସଂପାଦକ ବିନୋଦ ଭୂତ ପ୍ରମୁଖ ଦୁଇ ଶିଳ୍ପଦ୍ୟୋଗୀଙ୍କୁ ଛାଡି ଦେବା ପାଇଁ ଡିସିପିଙ୍କୁ ଅନୁରୋଧ କରିଥିଲେ ବି ଦୁଇ ଜଣଙ୍କୁ ଗିରଫ ଦର୍ଶାଯାଇଥିଲା। ଅପରାହ୍ନରେ ସେମାନେ ଜାମିନରେ ମୁକୁଳିଥିଲେ। ଏହି ଘଟଣାକୁ ନେଇ ଶିଳ୍ପ ସଂଘର ଏ‌କ ବୈଠକ ଅନୁଷ୍ଠିତ ହେବା ସହ ଏହାର ଦୃଢ ନିନ୍ଦା କରାଯାଇଥିଲା। ସୁରେନ୍ଦ୍ର ପଣ୍ଡା, ମାନସ ଦାସ, ରାଜେଶ କାନୁନଗୋ, ଭବାନି ପଣ୍ଡିତ, କିଶୋର ମହାନ୍ତି, ସନ୍ଦୀପ ଅଗ୍ରୱାଲ, ରୁଦ୍ର ଆଚାର୍ଯ୍ୟ, ରମାବଲ୍ଲଭ ନାୟକ, ଗୌରୀଶଙ୍କର ଆଚାର୍ଯ୍ୟ, ଅନିରୁଦ୍ଧ ପୁହାଣ, ବିକାଶ ମହାନ୍ତି, ଅଜୟ ପଣ୍ଡା, ବିଶେଷ ଅଗ୍ରୱାଲ, ମିହିର କାନୁନଗୋ, ଗୌରଗୋପାଳ ସେନ ପ୍ରମୁଖ ବୈଠକରେ ଉପସ୍ଥିତ ଥିବା ବେଳେ ଆସନ୍ତାକାଲି ଅପରାହ୍ନରେ ଆଉ ଏକ ବୈଠକ ଅନୁଷ୍ଠିତ ହୋଇ ଏଭଳି ଘଟଣାରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି।

ଅନ୍ୟପଟେ ସାମ୍ବାଦିକ ରାଧାମାଧବ ଦାସଙ୍କ କ୍ୟାମେରା ଛଡାଇ ଫଟୋ ଉଡାଇ ଦେବା ପରେ ପୁଲିସ ଥାନାରେ ଶ୍ରୀ ଦାସଙ୍କୁ କ୍ୟାମେରା ଫେରାଇ ଦେଇଥିଲା। ଏଭଳି ଘଟଣା ସଂପର୍କରେ ଡିସିପି ଶ୍ରୀ ସିଂହ କହିଛନ୍ତି ଯେ ସାମ୍ବାଦିକ ବୋଲି ନ ଜାଣି ପାରି ଏଭଳି ଘଟିଛି। କିନ୍ତୁ କୌଣସି ପ୍ରକାର ଖରାପ ‌ବ୍ୟବହାରକୁ ଡିସିପି ଅସ୍ବୀକାର କରିବା ସହିତ ସରକାରୀ ଅଧିକାରୀ ନିଜେ ଶିଳ୍ପାଞ୍ଚଳ ପରିଦର୍ଶନରେ ଆସିଥିବା ବେଳେ ତାଙ୍କୁ ବାଧ୍ୟ କରି ଡାକିବା ବେଆଇନ ବୋଲି କହିଛନ୍ତି। ପୁଲିସ ଶିଳ୍ପଦ୍ୟୋଗୀଙ୍କୁ ଏ ସଂପର୍କରେ ବୁଝାଇଥିଲେ ବି ସେମାନେ ନ ମାନିବାରୁ ‌ସେମାନଙ୍କୁ ରୋକିବାକୁ ପଡିଲା ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧିତ ଖବର