ଆଉ କେବେ ମିଳିବ? ହଜାରେ ଟଙ୍କା ଲେଖାଏଁ ପାଇ ପାରୁନାହାନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅଧୀନରେ ଥିବା ହିତାଧିକାରୀ

ବ୍ୟାଙ୍କକୁ ଯାଇଛି ୨୩ କୋଟି ୫୩ ଲକ୍ଷ ୧୦ ହଜାର ଟଙ୍କା

ଜଗତସିଂହପୁର ଟାଉନ୍ : କୋଭିଡ୍-୧୯ ବା କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅଧୀନରେ ଥିବା ଲୋକଙ୍କୁ ତିନିମାସର ଚାଉଳ ଓ ଗହମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଉଳ ଓ ଗହମ ସହ ପ୍ରତି କାର୍ଡଧାରୀକୁ ହଜାର ଟଙ୍କା ଲେଖାଏଁ ଦେବାକୁ ସରକାର ଘୋଷଣା କରିଛନ୍ତି । କିଛି ସ୍ଥାନରେ ଚାଉଳ ଓ ଗହମ ଦିଆ ସରିଲାଣି । କିନ୍ତୁ ଜିଲ୍ଲାରେ ଏପର୍ଯ୍ୟନ୍ତ ହିତାଧିକାରୀ ହଜାର ଟଙ୍କା ଲେଖାଏଁ ପାଇ ପାରିନାହାନ୍ତି । ଯାହାକୁ ନେଇ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ତଳ ସ୍ତରରେ ଡିଲରମାନେ ସମସ୍ୟା ଭୋଗୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅଧୀନରେ ଜଗତସିଂହପୁର ବ୍ଲକ୍‌ରେ ୩୦ ହଜାର ୫୦୪ ଜଣ ହିତାଧିକାରୀଙ୍କ ପାଇଁ ୩ କୋଟି ୫୦ ଲକ୍ଷ ୪ ହଜାର ଟଙ୍କା, ବାଲିକୁଦା ବ୍ଲକ୍‌ରେ ୩୬ ହଜାର ୭୦୩ ଜଣଙ୍କ ପାଇଁ ୩ କୋଟି ୬୭ ଲକ୍ଷ ୩ ହଜାର ଟଙ୍କା, ବିରିଡ଼ି ବ୍ଲକ୍‌ରେ ୧୮୫୮୩ ହିତାଧିକାରୀଙ୍କ ପାଇଁ ୧ କୋଟି ୮୫ ଲକ୍ଷ ୮୩ ହଜାର ଟଙ୍କା, ରଘୁନାଥପୁର ବ୍ଲକ୍‌ରେ ୧୭ ହଜାର ୧୫୨ ଜଣଙ୍କ ପାଇଁ ୧ କୋଟି ୭୧ ଲକ୍ଷ ୫୨ ହଜାର ଟଙ୍କା, ତିର୍ତ୍ତୋଲ ବ୍ଲକ୍‌ରେ ୩୩ ହଜାର ୧୩୧ ଜଣଙ୍କ ପାଇଁ ୩ କୋଟି ୩୧ ଲକ୍ଷ ୯୧ ହଜାର ଟଙ୍କା, ନାଉଗାଁ ବ୍ଲକ୍‌ରେ ୧୬ ହଜାର ୭୬୧ ଜଣଙ୍କ ପାଇଁ ୧ କୋଟି ୬୭ ଲକ୍ଷ ୬୧ ହଜାର ଟଙ୍କା, କୁଜଙ୍ଗ ବ୍ଲକ୍‌ରେ ୩୪୦୭୮ ଜଣଙ୍କ ପାଇଁ ୩ କୋଟି ୪୦ ଲକ୍ଷ ୭୮ ହଜାର ଟଙ୍କା, ଏରସମା ବ୍ଲକରେ ୩୪ ହଜାର ୧୬୬ ଜଣଙ୍କ ପାଇଁ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା, ଜଗତସିଂହପୁର ପୌରପରିଷଦରେ ୪୯୯୪ ଜଣଙ୍କ ପାଇଁ ୪୯ ଲକ୍ଷ ୯୪ ହଜାର ଟଙ୍କା ଏବଂ ପାରାଦୀପ ପୌରପରିଷଦରେ ୯୧୭୮ ହିତାଧିକାରୀଙ୍କ ପାଇଁ ୯୧ ଲକ୍ଷ ୭୮ ହଜାର ଟଙ୍କା ମଞ୍ଜୁର ହୋଇଛି । ମୋଟ ୨ ଲକ୍ଷ ୩୫ ହଜାର ୩୧୦ ଜଣଙ୍କ ପାଇଁ ୨୩ କୋଟି ୫୩ ଲକ୍ଷ ୧୦ ହଜାର ଟଙ୍କା ଗତ କାଲି ସମସ୍ତ ବ୍ଲକ୍ ଓ ପୌରପରିଷଦକୁ ଇ-ଟ୍ରାନ୍ସଫର କରାଯାଇଛି । ଚାଉଳ ଓ ଗହମ ସହିତ ହଜାରେ ଟଙ୍କା ଦେବା ପାଇଁ କୁହା ଯାଇଥିବାରୁ ବ୍ଲକ୍ ଓ ପୌରପରିଷଦ ଆଗୁଆ ନିଜସ୍ୱ ପାଣ୍ଠିରୁ ଟଙ୍କା ହିତାଧିକାରୀଙ୍କୁ ଦେବା ପାଇଁ କୁହାଯାଇଥିଲା। ହେଲେ ତାହା କରାଯାଇ ନାହିଁ। ଏବେ ଯେଉଁ ଟଙ୍କା ଯାଇଛି ତାହା ମାତ୍ର ୨୦ ପ୍ରତିଶତ ସ୍ଥାନରେ ଦିଆଯାଇ ପାରିଛି । ଯାହାକୁ ନେଇ ହିତାଧିକାରୀ ମାନେ ଅସନ୍ତୋଷ ବଖାଣିଛନ୍ତି ।

କରୋନା ଭୟରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଚାଉଲ ଓ ଗହମ ଡିଲରମାନେ ଘରକୁ ଘର ଯାଇ ବାଣ୍ଟିବାକୁ କୁହାଯାଇଥିଲା । ହେଲେ ଅଧିକାଂଶ ଡିଲର ଗୋଟିଏ ସ୍ଥାନରେ ବାଣ୍ଟୁଛନ୍ତି । ଏଥିସହ ବର୍ତ୍ତମାନ ଆସୁଥିବା ଚାଉଲ ଓ ଗହମ ୫୦ କିଲୋ ପ୍ୟାକେଟ୍‌ରେ ୫ରୁ ୮ କିଲୋ କମ୍ ରହୁଛି । ଫଳରେ କିଛି ହିତାଧିକାରୀ ପାଇବାରୁ ବଂଚିତ ହେଉଛନ୍ତି । ଏପଟେ ହିତାଧିକାରୀ ଅସନ୍ତୋଷ ଥିବା ବେଳେ ହଜାରେ ଟଙ୍କା ନମିଳିବା ଘଟଣାକୁ ସହଜରେ ହଜମ କରି ପାରୁନାହାନ୍ତି । ତେବେ ତୁରନ୍ତ ହଜାର ଟଙ୍କା ଲେଖାଏଁ ଚାଉଳ ଓ ଗହମ ଦେବା ବେଳେ ଏକାଥରେ ଦେବାକୁ ଦାବି ହେଉଛି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଦିଲିପ କୁମାର ପାତ୍ର କହିଛନ୍ତି ଯେ ଲକ୍ଷ ଲକ୍ଷ କୁଇଣ୍ଟାଲ ଚାଉଳ ଘରେ ଘରେ ନେଇ ଦେବା କିଛି ସ୍ଥାନରେ ସମ୍ଭବ ହୋଇ ପାରୁନାହିଁ । ଅନ୍ୟପଟେ ଟଙ୍କା ଆସିନଥିବା ଯୋଗୁ ହିତାଧିକାରୀଙ୍କୁ ଚାଉଳ ଗହମ ସହ ଟଙ୍କା ଦେବାକୁ ବିଳମ୍ବ ହୋଇଛି । କିନ୍ତୁ ଟଙ୍କା ସମସ୍ତ ବ୍ଲକ୍ ଓ ପୌରପରିଷଦକୁ ଦିଆ ସରିଛି । ଖୁବ୍ ଶୀଘ୍ର ହିତାଧିକାରୀଙ୍କୁ ମିଳିବ ।

ସମ୍ବନ୍ଧିତ ଖବର