ଜଗତସିଂହପୁରରେ ବିଜେଡି ଟିକେଟ ବିବାଦ : ପ୍ରଶାନ୍ତ-ଅମରେନ୍ଦ୍ର ସମର୍ଥକ ମୁହାଁମୁହିଁ!

ଶକ୍ତି ପ୍ରଦର୍ଶନବେଳେ ଦେଖାଇଲେ କଳାପତାକା, ଏ କାମ କଂଗ୍ରେସର: ପ୍ରଶାନ୍ତ, ଦୋଷ ଛଡ଼ାଇବାକୁ ଏଭଳି କହୁଛନ୍ତି: କଂଗ୍ରେସ

ଜଗତସିଂହପୁର ଟାଉନ୍/ନାଉଗାଁ : ଜଗତସିଂହପୁର ନିର୍ବାଚନ ମଣ୍ତଳୀରୁ ବିଜେଡି ଟିକେଟ ପାଇଥିବା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଟିକଟରୁ ବଞ୍ଚିତ ଅସନ୍ତୁଷ୍ଟ ନେତା ଅମରେନ୍ଦ୍ର ଦାସଙ୍କ ସମର୍ଥକ ଆଜି ମୁହାଁମୁହିଁ ହୋଇଛନ୍ତି। ପ୍ରଶାନ୍ତ ଆଜି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ବାଲିଭଉଁରୀ ଛକଠାରୁ ନାଉଗାଁ ଅଭିମୁଖେ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବାବେଳେ ମୁଣ୍ତାଳ ଛକ ନିକଟରେ ଅମରେନ୍ଦ୍ରଙ୍କ ସମର୍ଥକ ଶ୍ରୀ ମୁଦୁଲିଙ୍କୁ ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିବାରୁ ଦଳୀୟ କନ୍ଦଳ ପଦାରେ ପଡ଼ିଛି।

ଆଜି ପ୍ରଶାନ୍ତଙ୍କ ଶୋଭାଯାତ୍ରାରେ ବିଜେଡି ଟିିକଟ୍ ଲବିରେ ଥିବା ପ୍ରଦୀପ୍ତ ସ୍ବାଇଁ, କନକପ୍ରଭା ଲେଙ୍କା, ଦେବୀଦତ୍ତ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ବାଇଁ, ବିଜେଡି ସଙ୍ଗଠକ ଅଜୟ ମହାନ୍ତି, ନାଉଗାଁ ବ୍ଳକ୍ ସଭାପତି ସୁଜିତ ମଲ୍ଲିକ, ଜିଲ୍ଲା ପରିଷଦ ସୁବଳ ବେହେରା ପ୍ରମୁଖ ସାମିଲ ହୋଇଥିଲେ। କିନ୍ତୁ ଏହି ଶୋଭାଯାତ୍ରାକୁ ନାଉଗାଁ ମୁଣ୍ତାଳ ଛକ ନିକଟରେ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ବିରୋଧ କରିଥିଲେ। ଶ୍ରୀ ଦାସଙ୍କ ସମର୍ଥକମାନେ ପ୍ରଥମେ ଫୁଲମାଳ ଧରି ପ୍ରଚାର ଗାଡ଼ି ନିକଟକୁ ଆସିଥିଲେ। କିନ୍ତୁ ପରେ କଳା ପତାକା ପ୍ରଦର୍ଶନ କରିବା ସହ ଅମରେନ୍ଦ୍ର ଦାସ ଜିନ୍ଦାବାଦ୍‌ କରିଥିଲେ। ଏହି ସମୟରେ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକମାନେ ମଧ୍ୟ ଏହି ଯୁବକମାନଙ୍କୁ ବିରୋଧ କରିଥିଲେ। ଫଳରେ ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ସେଠାରୁ ଅମରେନ୍ଦ୍ରଙ୍କ ସମର୍ଥକ ପଳାଇ ଯାଇଥିଲେ। ଏହାପରେ ବ୍ଲକ୍ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ନେତୃତ୍ବରେ ନାଉଗାଁ ପଂଚାୟତ ଚଗଲିଦାସ ମଠ ପ୍ରାଙ୍ଗଣରେ କର୍ମୀ ସମ୍ମିଳନୀ କରାଯାଇଥିଲା।

ଏ ନେଇ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶରେ ସେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ହିସାବରେ ମିଳିମିଶି କାମ କରିବି। ଟିକଟ୍ ପାଇନଥିବା ଯୋଗୁଁ ଆଶାୟୀଙ୍କ ମନ ଭିତରେ ଦୁଃଖ ଥାଇପାରେ। ହେଲେ ବିଶୃଙ୍ଖଳା ପଛରେ କଂଗ୍ରେସର ହାତ ରହିଛି। କଂଗ୍ରେସର କୁଚକ୍ରୀ ଗୋଷ୍ଠୀ ଏଭଳି କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ କଂଗ୍ରେସ ଜିଲ୍ଳା ସଭାପତି ନଟବର ବାରିକ କହିଛନ୍ତି ଯେ, କଂଗ୍ରେସର ଏଥିରେ ସଂପୃକ୍ତି ନାହିଁ। ଏହା ବିଜେଡିର ଦଳୀୟ କନ୍ଦଳ। ନିଜ ଉପରୁ ଦୋଷ ଛଡ଼ାଇ ଜନମତକୁ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ପ୍ରଶାନ୍ତ ମୁଦୁଲି ଏଭଳି କହୁଛନ୍ତି।

ସମ୍ବନ୍ଧିତ ଖବର