ଜଗତ୍‌ସିଂହପୁର: ଟାଟା ମେଜିକ୍‌ ଧକ୍କାରେ ଆହତ ବାଳକର ମୃତ୍ୟୁ

ଜଗତ୍‌ସିଂହପୁର: ରବିବାର ସକାଳ ସାଢ଼େ ଆଠଟା ପରେ କଟକ-ଜଗତ୍‌ସିଂହପୁର ରାସ୍ତାର ହାଜିପୁର ଠାରେ ଏକ ଭ୍ୟାନ୍‌ ଧକ୍କାରେ ଆହତ ହୋଇ ଜଣେ ବାଳକର ମୃତ୍ୟୁ ହୋଇଛି।

ହାଜିପୁର ମୁସଲମାନ ବସ୍ତିର ଶେଖ୍‌ ସିରାଜଙ୍କ ୧୧ ବର୍ଷିୟ ପୁଅ ଶେଖ୍‌ ସଲିମ୍‌ ହାଜିପୁର ଛକ ଠାରେ ରାସ୍ତା ପାରି ହେଉଥିବା ବେଳେ ହାଜିପୁରରୁ କଟକ ଆଡ଼କୁ ଯାଉଥିବା ଏକ ଟାଟା ମେଜିକ୍‌ ଭ୍ୟାନ୍‌ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଖାଇ ସଲିମ୍‌ କିଛି ଦୂରକୁ ଛିଟିକି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଥିଲା। ସାଙ୍ଘାତିକ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ନିଆଯିବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଖସି ଯାଇଛି।

ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ହାଜିପୁର ଛକ ଠାରେ ଶବ ରଖି ଓ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବିରିଡ଼ି ତହସିଲଦାର ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରାଇବା ପରେ ଘଟଣାସ୍ଥଳରୁ ଶବ ଉଠାଇ ନିଆଯାଇଛି।

ସମ୍ବନ୍ଧିତ ଖବର