ଦିଲ୍ଲୀରେ ସ୍କ୍ରିନିଂ କମିଟିର ବୈଠକ : ଜଗତସିଂହପୁରରେ କଂଗ୍ରେସ ନେତାଙ୍କ ମଧ୍ୟରେ ଛକାପଞ୍ଝାଦିଲ୍ଲୀରେ ସ୍କ୍ରିନିଂ କମିଟିର ବୈଠକ

ଜଗତସିଂହପୁୁର : ସାଧାରଣ ନିର୍ବାଚନର ବିଗୁଲ ବାଜିଲାଣି। ସବୁ ରାଜନୈତିକ ଦଳ ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଲେଣି। ମାତ୍ର କଂଗ୍ରେସ ଦଳର ନେତାମାନଙ୍କ ମଧ୍ୟରେ ଜୋରଦାର ଛକାପଞ୍ଝା ଆରମ୍ଭ ହୋଇଛି। ବିଶେଷ କରି ଦିଲ୍ଲୀରେ ଦଳର ସ୍କ୍ରିନିଂ କମିଟି ଆରମ୍ଭ ହୋଇଥିବାରୁ, ନେତାମାନେ ଟିକଟ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି।

ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମାଳମାଳ ଆଶାୟୀ ପ୍ରାର୍ଥୀ। ଜଗତସିଂହପୁୁର ନିର୍ବାଚନ ମଣ୍ଡଳୀକୁ ବାଦ୍ ଦେଲେ ଅନ୍ୟ ତିନୋଟି ପାରାଦୀପ, ତିର୍ତ୍ତୋଲ ଓ ଏରସମା-ବାଲିକୁଦାରେ ଏକାଧିକ କଂଗ୍ରେସ ନେତା ଟିକଟ ଲବିରେ ଅଛନ୍ତି। ପାରାଦୀପରୁ କଂଗ୍ରେସର ଦୁଇ ଆଶାୟୀ ପ୍ରାର୍ଥୀ ବାପି ସର୍ଖେଲ ଓ ପ୍ରମୋଦ ଜେନା ନିଜ ନିଜ ସମର୍ଥକମାନଙ୍କ ସହ ଭୁବନେଶ୍ୱର ଅନୁଷ୍ଠିତ ସ୍କ୍ରିନିଂ କମିଟି ସାମ୍ନାରେ ପହଞ୍ଚିଥିଲେ। ମାତ୍ର ସମସ୍ତଙ୍କ ନଜର ପ୍ରମୋଦ ଓ ବାପିଙ୍କ ଉପରେ ରହିଛି। ଦୁଇ ଜଣ ଯାକ ଟିକଟ ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଏହି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାରୁ କଂଗ୍ରେସ କର୍ମୀମାନେ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଟିକଟ ହାସଲ କରିବା ପାଇଁ ଦେବେନ୍ଦ୍ର ମଲିକ, ରାଜକିଶୋର ବେହେରା ଓ ପ୍ରତିମା ମଲିକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଣୁ ଶେଷ ନିଷ୍ପତ୍ତିକୁ ଏହି ନେତାମାନେ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଏରସମା-ବାଲିକୁଦାରେ ସର୍ବାଧିକ ପ୍ରାର୍ଥୀ ଟିକଟ ପାଇଁ ଲବିରେ ରହିଛନ୍ତି। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ସାରଦା ଜେନା, ଆଇନଜୀବୀ ସୁଶାନ୍ତ କାନୁନଗୋ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବବ୍ରତ ଦାସ ସ୍କ୍ରିନିଂ କମିଟି ସାମ୍ନାରେ ନିଜ ସମର୍ଥକଙ୍କ ଗହଣରେ ଉପସ୍ଥିତ ହୋଇ ଟିକଟ ପାଇଁ ଦାବି କରିଥିଲେ। ସେହିପରି ସାଂସଦ ଭାବେ ପ୍ରାର୍ଥୀ ହେବା ପାଇଁ ପୂର୍ବତନ ସାଂସଦଙ୍କ ସମେତ ବିଭୂ ପ୍ରସାଦ ତରାଇ, ଦେବୀ ପ୍ରସାଦ ମଲିକ ଓ ପ୍ରଶାନ୍ତ ମଲିକ ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ। ଏଣୁ ଦିଲ୍ଲୀରେ ଆୟୋଜିତ ସ୍କ୍ରିନିଂ କମିଟି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। କିଛି ନେତା ଦିଲ୍ଲୀରେ ଡେରା ପକାଇ େଯନତେନ ଉପାୟରେ ଟିକେଟ୍ ଆଣିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର