ହାୱା ନୁହେଁ, ପ୍ରାର୍ଥୀଙ୍କ ଗୋଟିଚାଳନା ନିର୍ଣ୍ଣାୟକ ହେବ

(ଜଗତସିଂହପୁରରୁ ଚୌଧୁରୀ ଅମିତାଭ ଦାସ) : ବିଜେଡି ପ୍ରାର୍ଥୀ ଭରସା କରିଛନ୍ତି ନବୀନ ହାୱା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ। ବିଜେପି ପ୍ରାର୍ଥୀ ଭରସା କରିଛନ୍ତି ମୋଦୀ ହାୱା, କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ କିଛି ଯୋଜନାକୁ। ସାରା ରାଜ୍ୟରେ ଉଣା ଅଧିକେ ଏମିତି ଭାବେ ଲଢ଼େଇ ଚାଲିଛି। କେଉଁଠି ବିଜେଡି-ବିଜେପି ସିଧାସଳଖ ତ କେଉଁଠି ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ। କିନ୍ତୁ ଜଗତସିଂହପୁର ଜିଲ୍ଲା ରାଜନୀତିରେ ହାୱା କମ୍, ସ୍ଥାନୀୟ ରାଜନୈତିକ ଗଣିତ ଅଧିକ କାମ ଦେଉଛି। ୨୦୧୪ ନିର୍ବା‌ଚନ ତୁଳନାରେ ଏଠାରେ କିଛି ବଡ଼ ଧରଣର ପରିବର୍ତ୍ତନର ଆଭାସ ମିଳୁ ନ ଥିଲେ ମଧ୍ୟ ପ୍ରାର୍ଥୀ ଓ ସେମାନଙ୍କ ଗୋଟିଚାଳନା ଉପରେ ନିର୍ବାଚନ ଫଳାଫଳ ଅଧିକ ନିର୍ଭର କରୁଛି। ଜଗତସିଂହପୁର ଜିଲ୍ଲାର ୪ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ଜଗତସିଂହପୁର, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ପାରାଦୀପରେ ଏହା ସ୍ପଷ୍ଟ ଅନୁଭବ କରି ହେଉଛି।

ପ୍ରାର୍ଥୀଙ୍କ ରଣନୀତି ଗୁରୁତ୍ବ ରଖୁଥିଲେ ବି ପ୍ରଚାର କାର୍ଯ୍ୟକୁ କେହି ହାତଛଡ଼ା କରୁ ନାହାନ୍ତି। ସବୁ ନିର୍ବାଚନମଣ୍ଡଳୀର ପ୍ରତିଟି ଛକରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସର ପତାକା, ପୋଷ୍ଟର୍ ଲାଗିଛି। ବହୁ ଗାଁର କଳିକନ୍ଦିରେ ବି ପୋଷ୍ଟର୍ ଛାଇଯାଇଛି। ପତାକା, ପୋଷ୍ଟର୍‌ରେ ତିନି ଦଳ କେହି କାହା ଠାରୁ କମ୍‌‌େର ନାହାନ୍ତି। ବହୁ ଜାଗାରେ ଦଳ କାର୍ଯ୍ୟାଳୟ ବି ଖୋଲିଛି। ପ୍ରାର୍ଥୀ ଓ ତାଙ୍କ ପରିବାର ସଦସ୍ୟମାନେ ଦିନରାତି ଏକ କରି ଘରକୁ ଘର ବୁଲୁଛନ୍ତି। ପ୍ରଚାରର କମ୍ପନ ଆଗରେ ଖରା ବି ନିଷ୍ପ୍ରଭ ହୋଇଯାଉଛି। ଆଜି ଚାରିଟି ଯାକ ନିର୍ବାଚନମଣ୍ଡଳୀ ବୁଲିଲା ବେଳେ ନିର୍ବାଚନୀ ତାତି ପୂରା ଅନୁଭବ କରି ହେଉଥିଲା। ଛକ, ବଜାରରେ କିଛି ଲୋକ ଏକାଠି ବସିଥିଲା ବେଳେ ରାଜନୀତି ଆଲୋଚନା ହିଁ ଚାଲିଥିଲା। ଆଲୋଚନାରେ ଶିରୋନାମାରେ ମୋଦୀ-ନବୀନ ଥିଲେ ବି ଭୋଟ୍‌ ରାଜନୀତିରେ ସ୍ଥାନୀୟ ପ୍ରାର୍ଥୀ କ’ଣ କରୁଛନ୍ତି, କିଏ କାହା ସହ ପ୍ରଚାରକୁ ଯାଇଥିଲେ, ଅମୁକ ଗାଁରେ ‌ସେହି ପ୍ରାର୍ଥୀଙ୍କ ଖାସ୍ ସମର୍ଥକଙ୍କ କାଟ୍‌ତି କେତେ, ଏ ସବୁ ହିସାବ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା।

ଜଗତସିଂହପୁର ବିଧାନସଭା ଆସନରୁ ଲଗାତର ଦ୍ବିତୀୟ ଥର ଜିତିବା ପାଇଁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ବାଳ କସରତ୍ ଜାରି ରଖିଛନ୍ତି। ସାରା ରାଜ୍ୟରେ ବିଜେଡି-ବିଜେପି ଲଢ଼େଇ ଚର୍ଚ୍ଚାରେ ଥିଲେ ବି ଏଠାରେ କଂଗ୍ରେସର ପ୍ରଭାବ ରହିଛି। ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଦୁଇ ଥରିଆ ବିଧାୟକ ହୋଇଥିଲେ ବି ଏହି ନିର୍ବାଚନମଣ୍ଡଳୀ ପାଇଁ ନୂଆ ହୋଇଥିଲା ବେଳେ ଆରମ୍ଭରୁ ଦଳ ଭିତରୁ ଜୋର୍‌ଦାର୍‌ ବିଦ୍ରୋହର ସାମ୍ନା କରିଥିଲେ। ତେବେ ଦଳର ରାଜ୍ୟ ନେତୃତ୍ବ ଏହି ଅସନ୍ତୋଷକୁ ଥମାଇ ଦେଲା ପରେ ପ୍ରଶାନ୍ତ ପ୍ରଚାର ଜୋର୍‌ଦାର୍ କରିଛନ୍ତି। ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ବି କଂଗ୍ରେସ ଓ ବିଜେଡିକୁ ସବୁ ବଳ ଖଟାଇ ରୋକିବାକୁ ଉଦ୍ୟମ କରୁଛନ୍ତି। ଗତ ତିନି ଦଶନ୍ଧି ଧରି ଜଗତସିଂହପୁରର ଅଣକଂଗ୍ରେସ ରାଜନୀତିରେ ପ୍ରଭାବ ରଖିଥିବା ବିଷ୍ଣୁ ଦାସ ଏଥର ପାରମ୍ପରିକ ଆସନ ଜଗତସିଂହପୁର ଛାଡ଼ି ତିର୍ତ୍ତୋଲ ଯାଇଛନ୍ତି। ଅସୁସ୍ଥତା ଯୋଗୁ ସେ ବ୍ୟକ୍ତିଗତ ଭାବେ ଅଧିକ ପ୍ରଚାର କରିପାରି ନ ଥିଲେ ତାଙ୍କର ପୁରୁଣା ଜନସମ୍ପର୍କ, ବିଜେଡି ସଂଗଠନ ଓ ସ୍ଥାନୀୟ ନେତୃତ୍ବକୁ ନେଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭାରେ ସେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତିର୍ତ୍ତୋଲର ବର୍ତ୍ତମାନର ବିଧାୟକ ରାଜଶ୍ରୀ ମଲ୍ଲିକଙ୍କ ସହ ବିଷ୍ଣୁଙ୍କ ସମ୍ପର୍କ ଖରାପ ଥିଲେ ବି ରାଜଶ୍ରୀ ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବାରୁ ବିଷ୍ଣୁଙ୍କୁ ଆଉ ଖୋଲା ବିଦ୍ରୋହର ସାମ୍ନା କରିବାକୁ ପଡ଼ିନି। ବିଷ୍ଣୁଙ୍କୁ ଏଠାରେ କଡ଼ା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ଓ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ।

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ଫଳାଫଳ ଉପରେ ସାରା ରାଜ୍ୟର ନଜର ରହିଛି। କାରଣ ଏଠାରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ବହୁଚର୍ଚ୍ଚିତ ନେତା ଦାମୋଦର ରାଉତ। ଆଉ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଜେପି ନେତା ରଘୁନନ୍ଦନ ଦାସ। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ଚାଲିଛି। ପ୍ରଚାର କାର୍ଯ୍ୟରେ ରଘୁନନ୍ଦନ ଆଗରେ ଥିଲେ ବି ପୁରୁଣା ଜନସମ୍ପର୍କ ଓ ଅନୁକମ୍ପା ହାସଲ କରି ଦାମ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ରଖିଛନ୍ତି। କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର ମଧ୍ୟ ଏଠାରେ ଏକ ନିର୍ଣ୍ଣାୟକ ଭୂମିକା ‌ନେବାର ସମ୍ଭାବନା ରହିଛି। ଜଗତସିଂହପୁର ଜିଲ୍ଲାର ଆଉ ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ରହିଛି ପାରାଦୀପ। ରାଜ୍ୟର ଶିଳ୍ପ ବିକାଶରେ ଏହି ଅଞ୍ଚଳର ଗୁରୁତ୍ବ ଯେମିତି ଢେର୍ ଅଧିକ, ଏହାର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ରାଜ୍ୟ ରାଜନୀତି ପାଇଁ ସେତିକି ଗୁରୁତ୍ବପୂର୍ଣ୍ଣ। କାରଣ ଏଠାରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ। କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ବାପି ସର୍ଖେଲ ଓ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ସମ୍ପଦ ସ୍ବାଇଁ। ଦାମ ଏଠାରେ ଲଗାତର ଦୁଇ ଥର ବିଧାୟକ ଥିଲେ ବି ଏଥର ସେ ବିଜେପିରେ ଥିବାରୁ ତାଙ୍କ ଭୂମିକା ଉପରେ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିଛି। ଏଠାରେ ଦାମ ଏ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନାହାନ୍ତି। ତେଣୁ ତାଙ୍କର ଖାସ୍ ସମର୍ଥକ ଓ ତାଙ୍କ ସଂଗଠନର ଭୋଟ୍‌ ପୁଅ ସମ୍ବିତଙ୍କ ପାଖକୁ ଯିବ ନା ନିଜ ଦଳ ବିଜେପିର ପ୍ରାର୍ଥୀଙ୍କ ପାଖକୁ ଯିବ, ସେହି ଗଣିତ ଉପରେ ଏହି ନିର୍ବାଚନମଣ୍ଡଳୀର ଫଳାଫଳ ବହୁତ ନିର୍ଭର କରୁଛନ୍ତି। ପାରାଦୀପରେ ଦୀର୍ଘ ବର୍ଷ ହେଲା ବିଭିନ୍ନ ସାଂଗଠନିକ କାର୍ଯ୍ୟ କରି ନିଜ ପ୍ରଭାବ ବିସ୍ତାର କରିଥିବା କଂଗ୍ରେସ ପ୍ରାର୍ଥୀ ଶ୍ରୀ ସର୍ଖେଲ ଏହି ନିର୍ବାଚନରେ ନିଜର ଦମ୍‌ ଦେଖାଉଛନ୍ତି। ଏଠାରେ କିଏ କିପରି ଗୋଟିଚାଳନା କରୁଛି, ତାହା ଉପରେ ତିନି ଦଳର ଶୀର୍ଷ ନେତୃତ୍ବ ନଜର ରଖିଛନ୍ତି। ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ତିନି ଦଳର ପ୍ରାର୍ଥୀଙ୍କ ଭାଗ୍ୟ ବିଧାନସଭା ଫଳାଫଳ ଉପରେ ବହୁ ମାତ୍ରାରେ ନିର୍ଭର କରୁଛି।

ସ୍ଥାନୀୟ ରାଜନୀତି ନିର୍ଣ୍ଣାୟକ ‌ଭୂମିକା ନେଉଥିଲେ ବି ପ୍ରଚାର କାର୍ଯ୍ୟକୁ କେହି ହାତଛଡ଼ା କରି ନାହାନ୍ତି। ହେଭିୱେଟ୍‌ ପ୍ରଚାରରେ ଆଗରେ ରହିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ଜଗତସିଂହପୁର, ପାରାଦୀପ ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିସାରିଥିଲା ବେଳେ ଆଜି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ସଭା କରିଛନ୍ତି। ସରକାରଙ୍କ ଯୋଜନାକୁ ସେ ପ୍ରଚାର କରିବା ସହ ବିକାଶ ଧାରା ଜାରି ରଖିବାକୁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଲୋକଙ୍କୁ ସେ ନିବେଦନ କରିଛନ୍ତି। ନବୀନଙ୍କ ଗସ୍ତ ପରେ ସେହି ନିର୍ବାଚନମଣ୍ଡଳୀଗୁଡ଼ିକରେ ବିଜେଡି କର୍ମୀମାନେ ବେଶ୍‌ ଉତ୍ସାହିତ ବି ଅଛନ୍ତି। ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପ ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ସେହିପରି ଶିବରାଜ ସିଂହ ଚୌହାନ ପାରାଦୀପ ଆସି ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରାପଡ଼ା ସଭାରେ ଜଗତସିଂହପୁରର ସବୁ ପ୍ରାର୍ଥୀ ସେଠାକୁ ଯାଇଥିଲେ। ବିଜେଡି ଓ ବିଜେପି ପରି କଂଗ୍ରେସର କେହି ହେଭିୱେଟ୍‌ ନେତା ପ୍ରଚାର ପାଇଁ ଜିଲ୍ଲାକୁ ଆସି ନାହାନ୍ତି।

ସମ୍ବନ୍ଧିତ ଖବର