ଜିଲ୍ଲାକୁ ଚାଲିଲା ୨୮ ବର୍ଷ, ଆଉ କେତେ ବର୍ଷରେ ଜଗତସିଂହପୁର ହେବ ବିକଶିତ

ଭୁଷୁଡ଼ିଛି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ କ୍ଷେତ୍ର; ହୀନ ରାଜନୀତିରେ ବଳି ପଡ଼ିଛି ଜିଲ୍ଲାବାସୀଙ୍କ ସ୍ୱାର୍ଥ

ଜଗତସିଂହପୁର ଟାଉନ୍‍, (ସୋମନାଥ ପରିଡ଼ା): ୧ ଏପ୍ରିଲ ୧୯୯୩ ମସିହା । ଅବିଭକ୍ତ ଜଗତସିଂହପୁରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା । ଏହାପରେ ଏପ୍ରିଲ ୩ ତାରିଖ ୧୯୯୩ ମସିହାରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକ ଜଗତସିଂହପୁର ଆସି ନୂତନ ଜିଲ୍ଲାର ଶିଳାନ୍ୟାସ କରି ଉଦ୍‍ଘାଟନ କରିଥିଲେ । ଜିଲ୍ଲା ଗଠନକୁ ୨୭ ବର୍ଷ ପୂରଣ ହୋଇ ୨୮ ଚାଲିଲା । ହେଲେ ଏଇ ୨୮ ବର୍ଷ ଭିତରେ କେତେ ବିକାଶ ହୋଇଛି ଜିଲ୍ଲାର? ଏପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ରାଜନୀତି କ୍ଷେତ୍ରରେ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଳା ଓଡ଼ିଶା କାହିଁକି ସାରା ଭାରତ ବର୍ଷରେ ବେଶ୍‍ ପରିଚିତ । ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ କ୍ଷେତ୍ରରେ ଆଜିବି ପଛରେ ପଡ଼ିଛି ଜଗତସିଂହପୁର । ଅନ୍ୟ ଜିଲ୍ଲା ତୁଳନାରେ ଜଗତସିଂହପୁରର ଜନସାଧାରଣ ସଚେତନ ଥିଲେ ହେଁ ସମସ୍ତଙ୍କୁ ଯେମିତି ରାଜନୀତି କବଳିତ କରିଛି । ଇତିହାସକୁ ଲକ୍ଷ କଲେ ବା ଏବେର ପରିସ୍ଥିତିକୁ ଅନୁଧ୍ୟାନ କଲେ ହୀନ ରାଜନୀତି ପାଇଁ ଜିଲ୍ଲାବାସୀଙ୍କ ସ୍ୱାର୍ଥ ବଳି ପଡ଼ୁଛି । ଯାହାଦ୍ୱାରା ୨୭ ବର୍ଷରେ ଜଗତସିଂହପୁର ଜିଲ୍ଲା ସର୍ବାଙ୍ଗୀନ ଉନ୍ନତ୍ତି ସମ୍ଭବ ହୋଇପାରିନାହିଁ।

ଅବିଭକ୍ତ କଟକ ଜିଲ୍ଲାର ଏକ ଉପଖଣ୍ଡ(ସବ୍‍ ଡିଭିଜନ) ଥିଲା ଜଗତସିଂହପୁର । ସ୍ୱତନ୍ତ୍ର ଭାବେ ଜିଲ୍ଲା ହେବା ପରେ ଏବେ ଜିଲ୍ଲାରେ ୧୩୨୦ ଗାଁ, ୧୯୮ଟି ଗ୍ରାମଞ୍ଚାୟତ, ୮ଟି ବ୍ଲକ୍‍, ୮ଟି ତହସିଲ, ଚାରୋଟି ନିର୍ବାଚନମଣ୍ଡଳୀ, ପାରାଦୀପ ବନ୍ଦର, ଶିଳ୍ପାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ନଦନଦୀ ଆଦି ରହିଛି । ଚାହୁଁ ଚାହୁଁ ୨୮ ବର୍ଷରେ ଜିଲ୍ଲା ପହଞ୍ଚିଛି । କଳା, ସଂସ୍କୃତି, ସାହିତ୍ୟ, ପର୍ଯ୍ୟଟ୍ଟନ, ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଗତସିଂହପୁର ଆଜି ଅନ୍ୟ ଜିଲ୍ଲା ତୁଳନାରେ ଅନକ ପଛରେ ପଡ଼ି ଯାଇଛି । ଜିଲ୍ଲା ଗଠନ ସମୟର ଚାଳ ଘର, କଚା ରାସ୍ତା, ହାତ ଗଣତି ଡାକ୍ତରଖାନା ଆଉ ନାହିଁ ସତ । କିନ୍ତୁ ଅନ୍ୟ ଜିଲ୍ଲା ତୁଳନାରେ ଜଗତସିଂହପୁରକୁ ଏବେ ପର୍ଯ୍ୟନ୍ତ ପୂର୍ଣ୍ଣ ବିକାଶ ଛୁଇଁ ପାରିନାହିଁ । ଜିଲ୍ଳାରେ ବିଶ୍ୱର ଗଭୀର ତମ ବନ୍ଦର ରହିଛି, ପାରାଦୀପରେ ଶିଳ୍ପାୟନର ସୁଦୃଢ଼ ଭିତ୍ତି ଭୂମୀ, ଲୋକ କଳା, ଲୋକନୃତ୍ୟରେ ଜିଲ୍ଲା ଆଗରେ । ହେଲେ ପ୍ରଶାସନିକ, ରାଜନୌତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏପର୍ଯ୍ୟନ୍ତ ଜିଲ୍ଲାବାସୀଙ୍କ ମୌଳିକ ସର୍ବନିମ୍ନ ସୁବିଧା ମିଳି ପାରି ନଥିବା ମନେହୁଏ ।

ଜଗତସିଂହପୁର ସାରା ରାଜ୍ୟରେ ଶିକ୍ଷିତ ଜିଲ୍ଳା ବୋଲି ବିବେଚନା କରାଯାଏ । ହେଲେ ଜିଲ୍ଲାରେ ବେସରକାରୀ ବିଦ୍ୟାଳୟ ବଢ଼ି ଚାଲିଥିବା ବେଳେ ସରକାରୀ ବିଦ୍ୟାଳୟ ଦିନକୁ ଦିନ ତାଲା ପଡ଼ୁଛି । ଏବେ ୨୦ରୁ କମ୍‍ ଥିବା ବିଦ୍ୟାଳୟ ଗୁଡ଼ିକ ବନ୍ଦ କରାଯାଉଛି । ପ୍ରତି ବ୍ଳକ୍‌ରେ ମୁକ୍ତ ବିଦ୍ୟାଳୟ ଅସ୍ଥାୟୀ ଭାବେ ଖୋଲା ଯାଇଛି । ଯାହାର ଏପର୍ଯ୍ୟନ୍ତ ଘର ହୋଇ ନାହିଁ । କେବଳ ଜଗତସିଂହପୁର ବ୍ଲକ୍‍ର ଶାଳିଜଙ୍ଗାରେ ଆଦର୍ଶ ବିଦ୍ୟାଳୟ ଚାଲିଛି । ଅନ୍ୟ ବ୍ଲକ୍‌ରେ ଏଯାଏ ହୋଇନାହିଁ । ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ପାରାଦୀପରେ ସ୍ୱତନ୍ତ୍ର ଭିତ୍ତିଭୂମି କରାଯାଇଛି । କିନ୍ତୁ ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟ ଏବେ ଅସ୍ଥାୟୀ ଭାବେ ତରିକୁନ୍ଦ ହାଇସ୍କୁଲରେ ଚାଲିଛି । ଏସ୍‍ଭିଏମ୍‍ ଭଳି ପ୍ରତିଷ୍ଠିତ କଲେଜ ରାଜନୀତିର ପଶାପାଲିରେ ଛନ୍ଦି ହୋଇ ଯାଇଛି । ଜିଲ୍ଲାରେ ସରକାରୀ ଆଇଟିଆଇ, ମେଡ଼ିକାଲ କଲେଜ, ଇଂଜିନିୟରି କଲେଜ ନାହିଁ । ବାସ୍ତବ ସ୍ଥିତିକୁ ଲକ୍ଷ କଲେ ଜିଲ୍ଳାରେ ଶିକ୍ଷା ବ୍ୟବସ୍ଥା ଭୁସୁଡ଼ି ପଡ଼ିଥିବା ଜଣାପଡ଼ୁଛି ।

 

ସରକାରୀ ଯୋଜନା ଅନୁସାରେ ଗାଁ ଗହଳିରେ ରାସ୍ତା ଅବସ୍ଥା ଧୀରେ ଧୀରେ ସୁଧୁରୁଛି । ହେଲେ ଏପର୍ଯ୍ୟନ୍ତ କଟକରୁ ଜିଲ୍ଲା ମୁଖ୍ୟାଳୟକୁ ଭଲ ରାସ୍ତା ନାହିଁ । ଏହି ରାସ୍ତାକୁ ଜାତୀୟ ରାଜପଥ-୫୫ ବୋଲି ଘୋଷଣା କରାଯାଇଛି । ତିନି ବର୍ଷ ହୋଇ ଗଲା ଏବେ ଯାଏ କାମ ଆରମ୍ଭ ହୋଇ ପାରିନାହିଁ । କେବେ ହେବ ତାର ମଧ୍ୟ ସୂଚନା ନାହିଁ । ବିଭିନ୍ନ ଯୋଜନାରେ ଯେଉଁ ରାସ୍ତା କାମ କରାଯାଇଛି ତାହା ବର୍ଷକ ଭିତରେ ନଷ୍ଟ ହେଉଛି । ଏହାପରେ ମରାମତି ନାମରେ କୋଟି କୋଟି ଟଙ୍କା ଅର୍ଥ ଚଳୁ କରାଯାଉଛି । ଏବେବି ୩୦ ପତିଶତ ଗାଁରେ ଢ଼ଲେଇ ରାସ୍ତା ସ୍ୱପ୍ନ ପାଲଟିଛି । ଏହାଛଡ଼ା ଜିଲ୍ଳାର ପରିସୀମା ୧୬୬୮ ବର୍ଗ କିମି କୁହାଯାଉଥିଲେ ହେଁ ବାସ୍ତବାରେ ଏପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲା ସୀମା ନିର୍ଦ୍ଧାରଣ କରାଯାଇନାହିଁ ।

ଜଗତସିଂହପୁର ଜିଲ୍ଳାର ପୂର୍ବ ଭାଗରେ ବଙ୍ଗୋପ ସାଗର । ମହାନଦୀ, ବିଲୁଆଖାଇ, ପାଇକା, ଗୋବରୀ, ସାଉଁଳିଆ, ଅଳକା ପରି ଅନେକ ନଦୀ ରହିଛି । ଏହାଛଡ଼ା ତାଳଦଣ୍ଡା କେନାଲ ଓ ମାଛଗାଁ ଭଳି ଦୁଇଟି କେନାଲ ରହିଛି । ହେଲେ ଚାଷ ଏବଂ ପାନୀୟ ଜଳ ପାଇଁ ଜିଲ୍ଳବାସୀ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି । ନଦୀ ଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ତାହା ମୃତ ଅବସ୍ଥାକୁ ଚାଲି ଯାଉଛି । ବିଶେଷ କରି ସୁବନ୍ୟା ଅଳକା ଏବେ ମୃତ ପ୍ରାୟ । ଜିଲ୍ଳାରେ ଛଅ ଶହରୁ ଊର୍ଦ୍ଧ୍ୱ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇ ପାରିନାହିଁ । ସମୂଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଆଇରନ୍‍ ମିଶା ପାଣି ବାହାରୁଥିବାରୁ ତାକୁ ବ୍ୟବହାର କରି ଲୋକେ ନାନା ରୋଗରେ ସମ୍ମୁଖିନ ହେଉଛନ୍ତି ।

ଜିଲ୍ଲା ଗଠନ ସମୟରେ କୃଷି ବିଭାଗ ଦେଇଥିବା ତଥ୍ୟ ଅନୁସାରେ ଜିଲ୍ଳାରେ ଲକ୍ଷେ ୪ ହଜାର ୩୩୫ ହେକ୍ଟର ଉପଯୋଗୀ ଚାଷ ଜମି ରହିଛି । ୨୭ ବର୍ଷ ପରେ ଆଜି ବି ଏହି ତଥ୍ୟ ଦେଉଛି କୃଷି ବିଭାଗ । ତେବେ ୨୫ ବର୍ଷ ଭିତରେ ଅନେକ ଚାଷ ଜମିରେ କୋଠା ଘର, ଚୁଙ୍ଗୁଡ଼ି ଘେରି, ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଷ୍ଟାଟିଷ୍ଟିକ୍‍ ରିପୋର୍ଟ କହୁଛି ଯେ, ଜିଲ୍ଲାରେ ମାତ୍ର ୮୪ ହଜାର ହେକ୍ଟର ଚାଷ ଜମି ରହିଛି । କୃଷି ବିଭାଗ ଚାଷୀଙ୍କୁ ଭୂଆଁ ବୁଲାଇ ବିହନ, ସାର, ଔଷଧ ଓ ଅନ୍ୟାନ୍ୟ ଦିଗରେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଚାଷୀ ଉତ୍ପାଦନ କରୁଥିବା ଚାଷୀ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ପାରୁନାହିଁ । ବିକ୍ରି ପାଇଁ ହାଟ ସୁଯୋଗ ନଥିବାରୁ ନିଜ ମେହନତ ଫସଲକୁ ସାଗ ମାଛ ଦରରେ ବିକ୍ରି କରୁଛି । କୃଷକ ବଜାର ଅକାମୀ ହୋଇ ପଡ଼ିଛି । ଶୀତଳ ଭଣ୍ଡାର ନଥିବାରୁ ଚାଷୀ ତାର ଉତ୍ପାଦିତ ସାମଗ୍ରୀକୁ ସୁରକ୍ଷିତ ରଖି ପାରୁନାହିଁ । ଏହାଛଡ଼ା ଖାଦ୍ୟ ପକ୍ରିୟା କରଣ ଶିଳ୍ପ ମଧ୍ୟ ଜିଲ୍ଳାରେ ପ୍ରତିଷ୍ଠକ୍କା କରାଯାଉନାହିଁ । ଗୋଟିଏ ବିହନ ଗବେଷଣା କେନ୍ଦ୍ର ନିମକଣାରେ ଥିଲେ ହେଁ ସେଠାରେ ଦୂରବସ୍ତା ଦେଖାଦେଇଛି । ଫଳରେ କୃଷି ଭିତ୍ତିକ ଅର୍ଥନୀତି ଦୁର୍ବଳ ହୋଇ ପଡ଼ିଛି ।

ସ୍ୱାସ୍ଥ୍ୟସେବାରେ ଜଗତସିଂହପୁର ପ୍ରତି ଚରମ ଅବହେଳା କରାଯାଇଛି । ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା କଥା ଛାଡ଼ନ୍ତୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ମିଳୁନାହିଁ । ଡାକ୍ତରଙ୍କ ଅଭାବ ସହ ଭିତ୍ତି ଭୂମିର ଅଭାବ ଜଗତସିଂହପୁରବାସୀଙ୍କ ପାଇଁ ଯେମିତି ଅଭିଷାପରେ ପରିଣତ ହୋଇଛି । ଏପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଏମ୍‍ସିଏଚ୍‍ ଘର କରାଯାଇନାହିଁ । ଅନ୍ୟ ଜିଲ୍ଲାମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଶ୍ରେଣୀ ଡାକ୍ତରଖାନା ପାଇଁ ଘୋଷଣା କରିଥିଲେ ହେଁ ଜଗତସିଂହପୁରକୁ ବାଦ୍‍ ଦେଇଥିଲେ । ଭାରତର ମୁକ୍ତି ସଂଗ୍ରାମର ମୁକସାଖୀ ଅଳକାଶ୍ରମର ସ୍ମୃତି ରକ୍ଷା ପାଇଁ ସେଭଳି କିଛି କରାଯାଇନାହିଁ । ଜିଲ୍ଲାରେ ହଜାର ହଜାର ବର୍ଷ ତଳର ଧର୍ମାନୁଷ୍ଠାନ, ରାଜତ୍ୱ ସମୟର ସାମଗ୍ରୀ, ଶିଳାଲେଖା ଇତ୍ୟାଦି ରହିଛି। ହେଲେ ଏପର୍ଯ୍ୟନ୍ତ ଏକ ସଂଗ୍ରାହଳାୟ ନିର୍ମାଣ କରାଯାଇ ନାହିଁ । କଳାର ମାଟି ଜଗତସିଂହପୁର କୁହାଯାଉଥିଲେ ହେଁ ଏଠାରେ କଳାକାରମାନଙ୍କ ପାଇଁ ଏକ ଅଡ଼ିଟୋରିୟମ କରାଯାଇନାହିଁ । ପର୍ଯ୍ୟଟନ ପାଇଁ ଜିଲ୍ଳାରେ ବ୍ୟାପକ ସୁବିଧା ରହିଛି । ହେଲେ ସରକାରୀ ଉଦାସିନତା ଯୋଗୁଁ ଜିଲ୍ଲରେ ପର୍ଯ୍ୟଟନର ବିକାଶ ହୋଇ ନାହିଁ । ସେହିପରି ଏପର୍ଯ୍ୟନ୍ତ ଜିଲ୍ଳା ମୁଖ୍ୟାଳୟକୁ ରେଳ ସଂଯୋଗ କରାଯାଇନାହିଁ । କ୍ରୀଡ଼ା କ୍ଷେତ୍ରରେ ଭଲ ଷ୍ଟାଡ଼ିୟମ୍‍ ନାହିଁ କି ଖେଳାଳିମାନଙ୍କ ପାଇଁ ସୁଯୋଗ ନାହିଁ । ଫଳରେ ଜିଲ୍ଲାର ଖେଳାଳି ବାହାର ଜିଲ୍ଲାରେ ଯାଇ ଖେଳୁଛନ୍ତି । ଯେମିତି ନାହିଁ ନାହିଁରେ ଜଗତସିଂହପୁର ଜିଲ୍ଲା ଚାଲିଛି । ଏବେ ଶାସନରେ ଥିବା ଦଳର ୩ ଜଣ ବିଧାୟକ, ଜଣେ ମନ୍ତ୍ରୀ ଓ ଜଣେ ସାଂସଦ ଅଛନ୍ତି । ଜିଲ୍ଲାପାଳ ଏଇ ମାଟିର ପୁଅ । ଏବେ ପ୍ରଶାସକ ଓ ରାଜନେତା ଜିଲ୍ଲାର ବିକାଶ ପାଇଁ କାମ କରିବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର