ଅଖାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ

ଜଗତସିଂହପୁର : ରଘୁନାଥପୁର ବ୍ଲକ୍‍ ଧଳତଙ୍ଗଗଡ଼ ଜଙ୍ଗଲ ନିକଟ ମୁଣ୍ଡାଳ ରାସ୍ତାକଡ଼ରୁ ଅଖାରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ରଘୁନାଥପୁର ପୁଲିସ ହାତ ଏବେ ବି ଖାଲି ରହିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ଘଟଣାର କୌଣସି ଖିଅ ପାଉନାହିଁ। ରାଜ୍ୟର ସମସ୍ତ ଥାନାକୁ ମୃତ ଯୁବତୀଙ୍କ ଫଟୋ ପଠାଯାଇଛି। କୌଣସି ଥାନାରେ ନିଖୋଜ ମାମଲା ରୁଜୁ ହୋଇଛି କି’ ନାହିଁ ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ଗତକାଲି ରାତିରେ ପୁଲିସ ତଦନ୍ତ ସମୟରେ ଜଗତସିଂହପୁର ଥାନା ସାଇଁଟୋ ଗାଁର ଜଣେ ଯୁବତୀ ନିଖୋଜ ହୋଇଥିବା ଜଣାପଡ଼ିଥିଲା। ଏଣୁ ପୁଲିସ ସଙ୍ଗେ ସଙ୍ଗେ ଉକ୍ତ ଯୁବତୀଙ୍କ ବାପାଙ୍କୁ ମୃତଦେହ ଚିହ୍ନଟ କରିବା ପାଇଁ ଡକାଇଥିଲା। ନିଶାଶକ୍ତ ଅବସ୍ଥାରେ ଥିବା ଯୁବତୀଙ୍କ ବାପା ପ୍ରଥମେ ମୃତଦେହଟିକୁ ନିଜ ଝିଅ ବୋଲି ଚିହ୍ନଟ କରିବା ସହ କାନ୍ଦିବାକୁ ଲାଗିଥିଲେ। ମାତ୍ର ଘଟଣାସ୍ଥଳରେ ଯୁବତୀଙ୍କ ମା’ ପହଞ୍ଚି ଏହା ତାଙ୍କ ଝିଅ ନହେଁ ବୋଲି ସ୍ପଷ୍ଟ ଭାବେ କହିଥିଲେ। ଏହାପରେ ପୁଲିସର ଅଡ଼ୁଆ ବଢ଼ି ଯାଇଥିଲା। ଦୀର୍ଘ ଚାରିଘଣ୍ଟା ଧରି ପୁଲିସ ଉକ୍ତ ଗାଁର ଅନ୍ୟ ଲୋକମାନଙ୍କୁ ଡକାଇ ଯୁବତୀଙ୍କୁ ଚିହ୍ନଟ ପାଇଁ ଚେଷ୍ଟା କରିଥିଲେ ବି ମୃତଦେହ ଉକ୍ତ ଯୁବତୀଙ୍କର ନୁହେଁ ବୋଲି ସମସ୍ତେ କହିଥିଲେ। ତଥାପି ପୁଲିସର ସନ୍ଦେହ ବଢ଼ିବାରୁ ନିଖୋଜ ହୋଇଥିବା ଏହି ଯୁବତୀଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ସେହିପରି ବରଗଡ଼ ଜିଲ୍ଲା ଅତାବିରା ଥାନାରେ ମଧ୍ୟ ଜଣେ ଯୁବତୀ ନିଖୋଜ ଥିବା କେହି ଜଣେ ଟୁଇଟ୍‍ କରିଥିବାରୁ ପୁଲିସ ଉକ୍ତ ଥାନାକୁ ଯୋଗାଯୋଗ କରିଥିଲା। ନିଖୋଜ ଥିବା ଯୁବତୀଙ୍କ ଫଟୋ ସହ ଉଦ୍ଧାର ହୋଇଥିବା ମୃତଦେହ ମେଳ ନ ଖାଇବାରୁ ପୁଲିସ ଏବେ ଅନ୍ଧାରରେ ବାଡ଼ି ବୁଲାଇଛି।

ସମ୍ବନ୍ଧିତ ଖବର