ଜଗମୋହନ ଖୋଲିଲା : ଭିତରକାଠରୁ ଶ୍ରୀଜିଉଙ୍କ ଦର୍ଶନ କଲେ ଭକ୍ତ

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଭକ୍ତଙ୍କ ପାଇଁ ଜଗମୋହନ ଖୋଲାଯାଇଛି। ଦୀର୍ଘ ୨୬ ମାସ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଭିତରକାଠ ନିକଟରୁ ଦର୍ଶନ କରିବାର ପରମ ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ଜଗମୋହନ ଖୋଲିବାର ପ୍ରଥମ ଦିନର ତିକ୍ତ ଅନୁଭୂତି ଆଜି ସମସ୍ତ ଜଗନ୍ନାଥ ପ୍ରେମୀ, ସେବାୟତ ଓ ସାଧାରଣ ଭକ୍ତଙ୍କୁ ହତାଶ କରିଛି। ଦୀର୍ଘ ଦୁଇବର୍ଷ ଧରି ଚାଲିଥିବା ଶୃଙ୍ଖଳିତ ନୀତିରେ ପୁଣି ଥରେ ଚରମ ବିଭ୍ରାଟ ଉପୁଜିଛି। ଜଗମୋହନ ଖୋଲିବାର ପ୍ରଥମ ଦିନରୁ ହିଁ ଆଜି ନୀତିରେ କେଁ ଦେଖାଦେଇଥିଲା। ସାତ ଘଣ୍ଟା ବିଳମ୍ବରେ ଜଗମୋହନ ଖୋଲାଯାଇଥିଲା।

ଅପରାହ୍ନ ୪ଟା ୪୦ରେ ସକାଳଧୂପ ଶେଷ ହେବା ପରେ ୫ଟା ୧୦ ମିନିଟ୍‌ରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଜଗମୋହନ ଖୋଲାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀ ମୁତାବକ ଭକ୍ତମାନେ ଜୟ ବିଜୟ ଦ୍ଵାର ଦେଇ ଜଗମୋହନ ଭିତରକାଠ ନିକଟରୁ ଶ୍ରୀ ବିଗ୍ରହଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଆଇଜି ପୁଲିସ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ, ହାଇକୋର୍ଟର ଆଇନଜୀବୀଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଜଗମୋହନ ଖୋଲାଯାଇଥିଲା। ଭକ୍ତମାନେ ମହାପ୍ରଭୁଙ୍କୁ ଭିତର କାଠ ନିକଟରୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥିବା କହିଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗମୋହନ ଖୋଲାଯାଇଥିଲା। ତେବେ ସକାଳ ଧୂପ ସରିବା ପରେ ଜଗମୋହନ ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀରେ ଉଲ୍ଲେଖ କରାଯାଇଥିଲା। ପୂର୍ବାହ୍ନ ୧୧ଟା ସୁଦ୍ଧା ସକାଳଧୂପ ସରିବ ବୋଲି ଯେଉଁ ନୀତି ନିର୍ଘଣ୍ଟ ରହିଛି, ସେଥିରେ ବିଳମ୍ବ ଘଟିଥିଲା। ସେବକଙ୍କ ଆଣ୍ଟ, ଆଇନର ଭୟ ଓ ପ୍ରଶାସନର ଅଜ୍ଞତା ଯୋଗୁଁ ପ୍ରଥମ ଦିନରୁ ଏଭଳି ନୀତି ବିଭ୍ରାଟ ଉପୁଜିଥିଲା।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିିଥିବା ସୂଚନା ମୁତାବକ ଆଜି ଦ୍ଵାରଫିଟା ନୀତିରେ ବିଳମ୍ବ ଆରମ୍ଭ ହୋଇଥିଲା। ଭୋର ୫ଟା ପୂର୍ବରୁ ସରିବାକୁ ଥିବା ଦ୍ଵାରଫିଟା ନୀତି ଆଜି ୫ଟା ୪୦ରେ ସଂପନ୍ନ ହୋଇଥିଲା। ତା ପରଠାରୁ ଦିନତମାମ ବିଭ୍ରାଟ ଲାଗି ରହିଛି। ଆଜିର ନୀତି ବିଭ୍ରାଟ ସଂପର୍କିତ ସମସ୍ତ ତଥ୍ୟ ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ସୂଚନା ଦିଆଯିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଗତ ୨୦୧୬ ଜାନୁଆରି ୨୮ ତାରିଖରୁ ଜଗମୋହନ ବନ୍ଦ ରଖାଯାଇଥିଲା। ଭକ୍ତମାନେ ବାହାର କାଠ ନିକଟରୁ ଶ୍ରୀଜିଉଙ୍କ ଦର୍ଶନ କରୁଥିଲେ। ଫଳରେ ଭକ୍ତ ଭିତର କାଠ ନିଟକରୁ ଦର୍ଶନରୁ ବଂଚିତ ରହୁଥିଲେ। ମାନ୍ୟବର ହାଇକୋର୍ଟ ଗତ ୧୦ ତାରିଖ ଦିନ ଏପ୍ରିଲ-୧୬ ତାରିଖ ପୂର୍ବରୁ ଜଗମୋହନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର