ଜୟକିଷାନ ମହାସମାବେଶ ଆଜି

ଜଗତ୍‌ସିଂହପୁରଟାଉନ୍‌ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଜଗତ୍‌ସିଂହପୁରଠାରେ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ଦାବିରେ ’ଜୟକିଷାନ ମହାସମାବେଶ’ ଅନୁଷ୍ଠିତ ହେବ। ଏହି ମହାସମାବେଶରେ ବିଶିଷ୍ଟ ସମାଜସେବୀ ତଥା ରାଷ୍ଟ୍ରୀୟ ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ ଯୋଗଦେବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ସମାବେଶରେ ହଜାର ହଜାର ଚାଷୀ ଯୋଗଦେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ଜଗତ୍‌ସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆଠାରେ ଏହି ସମାବେଶର ଆୟୋଜନ କରାଯାଇଛି। ଏକ ବିରାଟ ଶୋଭାଯାତ୍ରାରେ ଆସି ଆନ୍ନା ହଜାରେ ସଭାସ୍ଥଳରେ ପହଞ୍ଚବେ। ତାଙ୍କ ସହିତ ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ, ଅକ୍ଷୟ କୁମାର ଏବଂ ଅନ୍ୟ କର୍ମକର୍ତ୍ତାମାନେ ଏହି ମହାସମାବେଶରେ ଯୋଗଦେବେ। ଜଗତ୍‌ସିଂହପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଚାଷୀ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବହୁ ଚାଷୀ ନେତାଙ୍କ କହିବାନୁସାରେ, ଆନ୍ନା ହଜାରେ ରାଜ୍ୟର ଚାଷୀମାନଙ୍କୁ ସଂଜୀବନୀ ଦେବେ। ଯେଉଁ ସଂଜୀବନୀ ପାଇ ଚାଷୀ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବେ। ଚାଷୀଙ୍କ ମନ ଭିତରେ ଶକ୍ତି, ସାହାସ ଭରିଯିବ। ସରକାରୀ ସ୍ତରରେ ଉପେକ୍ଷିତ ଓ ପ୍ରତାରିତ ଚାଷୀ ସେମାନଙ୍କ କର୍ତ୍ତବ୍ୟ ପାଳନ ପୂର୍ବକ କୋଟି କୋଟି ଲୋକଙ୍କୁ ଚାଷ କରି ଆହାର ଯୋଗାଇବେ। ଏଥିସହିତ, ନବନିର୍ମାଣ କୃଷକ ସଂଗଠନର ଦାବି ଉପରେ ସେ ବକ୍ତବ୍ୟ ରଖିବେ ବୋଲି ଅନୁମାନ କରାଯାଉଛି।

ଜଗତ୍‌ସିଂହପୁର ଜିଲ୍ଲାକୁ ଆନ୍ନା ହଜାରେଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ। ଏହାପୂର୍ବରୁ ୨୦୧୩ ମସିହାରେ ଏହି ସଂଗଠନ ପକ୍ଷରୁ ଆୟୋଜିତ କୃଷକ ସମାବେଶରେ ସେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର