ଜେଲ୍‌ ଓ୍ଵାର୍ଡର ପରୀକ୍ଷା ବେଳେ ଅଘଟଣ : ପଡ଼ିଆରେ ପଡ଼ି ପ୍ରାର୍ଥୀଙ୍କ ମୃତ୍ୟୁ

ସିଟି ହସ୍‌ପିଟାଲ୍‌ରେ ଉତ୍ତେଜନା, କ୍ଷତିପୂରଣ ଦାବି

କଟକ : ସତ୍ୟବ୍ରତ ଷ୍ଟାଡିୟମ୍‌ରେ ଚାଲିଥିବା ଜେଲ୍‌ ଓ୍ଵାର୍ଡର ପରୀକ୍ଷାରେ ଭାଗ ନେଉଥିବା ଜଣେ ପ୍ରାର୍ଥୀଙ୍କର ଆଜି ଜୀବନ ଯାଇଛି। ମୃତ ପ୍ରାର୍ଥୀ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସୂର୍ଯ୍ୟକାନ୍ତ ସାହୁ। ତାଙ୍କୁ କଟକ ସିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ହସ୍‌ପିଟାଲ୍‌ରେ ପରିବାର ଓ ସଂପର୍କୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଅସୁସ୍ଥ ପ୍ରାର୍ଥୀଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବାରେ ଅବହେଳକୁ ନେଇ ସେମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଜେଲ୍‌ ଓ୍ଵାର୍ଡର ପଦବି ପୂରଣ ପାଇଁ ଗତ ୧୨ ତାରିଖରୁ ସତ୍ୟବ୍ରତ ଷ୍ଟାଡିୟମ୍‌ରେ ଶାରୀରିକ ଦକ୍ଷତା ପରୀକ୍ଷା ଆୟୋଜିତ ହେଉଛି । ପରୀକ୍ଷା ସମୟରେ ଅସୁସ୍ଥ ଅଥବା ଆହତ ହେଉଥିବା ପରୀକ୍ଷାର୍ଥୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାରେ କର୍ତ୍ତୃପକ୍ଷଙ୍କ ବିଫଳତାକୁ ନେଇ ଅଭିଯୋଗ ହୋଇ ଆସୁଥିଲା। ଏଭଳି ସ୍ଥିତିରେ ଆଜି ସକାଳ ପ୍ରାୟ ୯ଟା ୫୫ ମିନିଟ ସମୟରେ ଢେଙ୍କାନାଳ ଜିଲ୍ଲାର ସୂର୍ଯ୍ୟକାନ୍ତ ସାହୁ ଦୌଡ ପାଇଁ ପରୀକ୍ଷା ଦେଉଥିଲେ। ଦୁଇ ରାଉଣ୍ଡ ଦୌଡ଼ିଥିବା ବେଳେ ତୃତୀୟ ରାଉଣ୍ଡରେ ଭାଗ ନେଇଥିଲେ। ହଠାତ୍‌ ସେ ତଳେ ପଡ଼ି ଯାଇଥିଲେ । ତାଙ୍କୁ ସିିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ଡାକ୍ତର ପର୍ଯ୍ୟାୟକ୍ରମେ ୩ଟି ସାଲାଇନ୍‌ ଲଗାଇଥିଲେ । କିନ୍ତୁ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ ।

ଏହି ଅଘଟଣରେ ଚୌଦ୍ୱାର ସର୍କଲ ଜେଲ୍‌ ଅଧୀକ୍ଷକ ନିରଞ୍ଜନ ଦାସ କହିଛନ୍ତି ଯେ, ଆଜି ସକାଳେ ସୂର୍ଯ୍ୟକାନ୍ତ ପଡ଼ିଆରେ ଦୌଡ଼ ପରୀକ୍ଷା ଦେଉଥିବା ବେଳେ ପଡ଼ିଯାଇଥିଲା । ତାକୁ ସିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ସାଲାଇନ୍‌ ଦିଆଯାଇଥିଲା। ସେ ମୁଣ୍ଡ ବୁଲାଉଥିବା କହିଥିଲେ । ପରେ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ମୃତ ଘୋଷଣା କରିଥିବା ଶୁଣିବାକୁ ମିଳିଛି। ଶାରୀରିକ ଦକ୍ଷତା ପରୀକ୍ଷାରେ ନିୟମ ଅନୁଯାୟୀ, ଯେକୌଣସି ପ୍ରାର୍ଥୀ ଭାଗନେବା ପୂର୍ବରୁ ପଡ଼ିଆରେ ପ୍ରଥମେ ଏକ ଅଣ୍ଡର୍‌ଟେକିଂ ଦେଇଥାଏ । କୌଣସି ଅଘଟଣ ଘଟିଲେ, ପ୍ରାର୍ଥୀ ନିଜେ ଦାୟୀ ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ପଡ଼ିଆରେ ଉପସ୍ଥିତ ଡାକ୍ତର ସମ୍ପୃକ୍ତ ପ୍ରାର୍ଥୀଙ୍କ ଉଚ୍ଚତା ଓ ଓଜନ ମାପ କରିଥାନ୍ତି । ରକ୍ତ ଚାପ ପରୀକ୍ଷା ମଧ୍ୟ କରାଯାଇଥାଏ । ଶେଷରେ ଦକ୍ଷତା ପରୀକ୍ଷାରେ ଭାଗ ନେବାକୁ ପ୍ରାର୍ଥୀଙ୍କୁ ଅନୁମତି ମିଳିଥାଏ । ସୂର୍ଯ୍ୟକାନ୍ତଙ୍କ କ୍ଷେତ୍ରରେ ଏ ପ୍ରକାର ନିୟମ ମଧ୍ୟ ଅନୁସରଣ କରାଯାଇଛି। ତେଣୁ ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି, ସେ ସମ୍ପର୍କରେ ଜଣାନଥିବା ଶ୍ରୀ ଦାସ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ମୃତ ସୂର୍ଯ୍ୟକାନ୍ତଙ୍କ ସମ୍ପର୍କିୟ ସମୀର କୁମାର ସାହୁ କହିଛନ୍ତି, ସୂର୍ଯ୍ୟକାନ୍ତ ପଡ଼ିଆରେ ଦୌଡ଼ୁଥିବା ବେଳେ ତଳେ ପଡ଼ି ଗୁରୁତର ଆହତ ହୋଇଥିବା ଖବର ପାଇଥିଲୁ । କଟକରେ ପହଞ୍ଚିବା ପୂର୍ବରୁ ତା’ ମୃତ୍ୟୁ ହୋଇଥିବା ଖବର ମିଳିଥିବା ଶ୍ରୀ ସାହୁ କହିଛନ୍ତି । ମୃତକଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତାଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର