ଗୋଟିଏ ପରିବାରକୁ ୪ ଆବାସ ଘଟଣା : ଲୋକାୟୁକ୍ତଙ୍କ ତନାଘନା ପରେ ଟଙ୍କା ଫେରାଇଲେ

ଦୁଇ ଅଧିକାରୀଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସୁପାରିସ

ଯାଜପୁର/ଧର୍ମଶାଳା : ବର୍ଷ ବର୍ଷ ଧରି ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଆବାସ ଯୋଗାଇ ଚାଲି‌ଥିଲେ ହେଁ ଅଦ୍ୟାବଧି ଅନେକ ଗରିବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପାଇପାରୁନାହାନ୍ତି। ଅଥଚ ଗୋଟିଏ ଗୋଟିଏ ପରିବାର ଚାରିଟି ଆବାସ ହାତେଇ ନେବାରେ ସଫଳ ହୋଇଛନ୍ତି। ଯାଜପୁରର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତର ରବୀନ୍ଦ୍ର ପରିଡ଼ାଙ୍କ ପରିବାରକୁ ୪ଟି ଆବାସ ଯୋଗାଣ କେଳେଙ୍କାରୀର ତଦନ୍ତ କରି ଲୋକାୟୁକ୍ତ ଧର୍ମଶାଳା ବ୍ଲକ୍ ପ୍ରଶାସନକୁ କୈଫିୟତ ତଲବ କରିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଆବାସ ହାତେଇଥିବା ହିତାଧିକାରୀ ଶ୍ରୀ ପରିଡ଼ା ୪୫ ହଜାର ଟଙ୍କା ବ୍ଲକ୍ ପ୍ରଶାସନକୁ ଫେରସ୍ତ କରିବା ସହିତ ୫୫ ହଜାର ଟଙ୍କା ଫେରସ୍ତ କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି। ସଂପୃକ୍ତ ତରଞ୍ଜିଆ ପଞ୍ଚାୟତ ପିଇଓ ଅନାମ ରାଉତ ଓ ସଂପ୍ରସାରଣ ଅଧିକାରୀ ରତ୍ନାକର ସାହୁଙ୍କ ଠାରୁ କୈଫିୟତ ତଲବ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ବୋଲି ଧର୍ମଶାଳା ବିଡିଓ ହେମନ୍ତ ସ୍ବାଇଁ ଲୋକାୟୁକ୍ତଙ୍କ ଅତିରିକ୍ତ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ସୂଚନା ଅନୁସାରେ, ତରଞ୍ଜିଆ ପଞ୍ଚାୟତର ରବୀନ୍ଦ୍ର ପରିଡ଼ା, ପତ୍ନୀ ଓ ତାଙ୍କର ଦୁଇପୁଅ ଆବାସ ପାଇଁ ଯଥାକ୍ରମେ ସରକାରୀ ତହବିଲରୁ ଚାରି ଚାରି ଥର ଅନୁଦାନ ହାସଲ କରିଥିବା ଅଭିଯୋଗ ହୋଇଥିଲା। ଶ୍ରୀ ପରିଡ଼ା ନିଜେ ୨୦୦୧ରେ ହୁଡ୍‌କୋରୁ ଅନୁଦାନ ପାଇଥିବାବେଳେ ତାଙ୍କ ପୁଅ ବିପିନବିହାରୀ ପରିଡ଼ା ୨୦୦୩-୦୪ରେ ଇନ୍ଦିରା ଆବାସ, ପତ୍ନୀ ଜୟନ୍ତୀ ପରିଡ଼ା ୨୦୧୫-୧୬ରେ ଇନ୍ଦିରା ଆବାସ ଓ ଅନ୍ୟତମ ପୁଅ ବିକ୍ରମଜିତ ପରିଡ଼ା ୨୦୧୮-୧୯ରେ ବିଜୁ ପକ୍କା ଘର ହାତେଇବାରେ ସଫଳ ହୋଇଥିଲେ। ଏହାବାଦ୍‌ ୨୦୧୯-୨୦ ବର୍ଷରେ ପୁଣି ଶ୍ରୀ ପରିଡ଼ାଙ୍କ ନାମରେ ଆବାସ ଯୋଗାଣ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଥିଲା। ଏହା ଜଣାପଡ଼ିବା ପରେ ଅନ୍ୟ ହିତାଧିକାରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ଦୃଷ୍ଟିକୁ ନେଇଥିଲେ।

ଲୋକାୟୁକ୍ତ ଏହି କେଳେଙ୍କାରୀ ଉପରେ ତନାଘନା କରିବା ପରେ ବ୍ଲକ୍ ପ୍ରଶାସନ ବାଧ୍ୟ ହୋଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ତଦନ୍ତ କମିଟି ଗଠନ କରି ଅନୁସନ୍ଧାନ କରିବା ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବାରୁ ରବୀନ୍ଦ୍ରଙ୍କ ପୁଅ ବିକ୍ରମଜିତଙ୍କ ଠାରୁ ୪୫ ହଜାର ଟଙ୍କା ଆବାସ ଅନୁଦାନ ଆଦାୟ କରିଛନ୍ତି। ଲକ୍ଷେ ଟଙ୍କାରୁ ଅବଶିଷ୍ଟ ୫୫ହଜାର ଟଙ୍କା ପ୍ରଦାନ କରିବାକୁ ବିକ୍ରମଜିତ ଏକ ମାସ ସମୟ ନେଇଛନ୍ତି। ଏହି କେଳେଙ୍କାରୀରେ ସଂପୃକ୍ତ ପଞ୍ଚାୟତର ପିଇଓ ଅନାମ ଚରଣ ରାଉତ ଓ ସମ୍ପ୍ରସାରଣ ଅଧିକାରୀ ରତ୍ନାକର ସାହୁଙ୍କ ଠାରୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଉତ୍ତର ମିଳିବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରାଯାଇଛି ବୋଲି ଧର୍ମଶାଳା ବିଡ଼ିଓ ଶ୍ରୀ ସ୍ବାଇଁ ଲୋକାୟୁକ୍ତଙ୍କୁ ଅବଗତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର