ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ଯାଜପୁର ବନ୍ଦ
ସ୍ୱାମୀ ପାଇଁ ଅଣ୍ଟା ଭିଡ଼ିଲେ ସରପଞ୍ଚ ପତ୍ନୀ, ରୂପେଶଙ୍କ ବାରମ୍ବାର ମତ ପରିବର୍ତ୍ତନ, ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ଦେହ ବଢ଼ୁଛି
ଯାଜପୁର/ଧର୍ମଶାଳା : ପୁଲିସ ମୁହଁରେ ଅପରାଧୀଙ୍କ ଭାଷା। ତଦନ୍ତ ଆଳେର ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ କାହାଣୀ ତିଆରି କରିଛି ପୁଲିସ। ଏଭଳି ଅନେକ ଅଭିଯୋଗ ବାଢ଼ି ବିଜେପି ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆସନ୍ତାକାଲି ଯାଜପୁର ବନ୍ଦ ପାଇଁ ଡାକରା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦିନ ଯେତିକି ଗଡ଼ୁଛି ଏହି ଚାଞ୍ଚଲ୍ୟକର ଘଟଣା ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି।
ସ୍ମିତାରାଣୀଙ୍କ ମୃତ୍ୟୁର ୫ଦିନ ପରେ ସରପଞ୍ଚ ମଧୁସ୍ମିତା ଭଦ୍ର ଗିରଫ ହୋଇଥିବା ସ୍ବାମୀ ରୂପେଶ ଭଦ୍ରଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି। ପୁଲିସର ସ୍ବରରେ ସ୍ବର ମିଳାଇ ସରପଞ୍ଚ ମଧୁସ୍ମିତା ପିଇଓ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଛନ୍ତି। ମୋ ସ୍ବାମୀ ରୂପେଶ ନିର୍ଦୋଷ। ମୋ ସିନ୍ଦୂର ଏବଂ ସଂପତ୍ତି ଉପରେ ଆଖି ପକାଇଥିଲେ ସ୍ମିତାରାଣୀ। ଉଭୟ ପରିବାର ମଧ୍ୟରେ ସଂପର୍କ ଭଲ ଥିଲା। ଆମେ ଏକାଠି ବିଭିନ୍ନ ସ୍ଥାନକୁ ବୁଲାବୁଲି କରିବାକୁ ଯାଉ। ତେବେ ରୂପେଶଙ୍କ ସଂପତ୍ତି ପାଇବା ଲୋଭରେ ସ୍ମିତାରାଣୀ ଏଭଳି କରିଥିବା ମଧୁସ୍ମିତା ଅଭିଯୋଗ କରିଛନ୍ତି। ସରପଞ୍ଚ ମଧୁସ୍ମିତାଙ୍କ ବକ୍ତବ୍ୟ ତାଙ୍କୁ ପରୋକ୍ଷରେ ଏହି ବିବାଦକୁ ଟାଣିଆଣିଛି। ମୃତ ସ୍ମିତାରାଣୀଙ୍କ ପରିବାର ସରପଞ୍ଚଙ୍କ ଏଭଳି ବୟାନର ପ୍ରତିବାଦ କରିଛନ୍ତି। ରୂପେଶ ଏବଂ ସ୍ମିତାରାଣୀଙ୍କ ସଂପର୍କ ବିଷୟରେ ପୂର୍ବରୁ ଯଦି ଜାଣିଥିଲେ ତାହା ହେଲେ ସେ ଚୁପ୍ ରହିଥିଲେ କିଭଳି ବୋଲି ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ ଗେଷ୍ଟ ହାଉସରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ସମ୍ପର୍କରେ ରୂପେଶ ବାରମ୍ବାର ମତ ପରିବର୍ତ୍ତନ କରି ଭିନ୍ନ ଭିନ୍ନ କଥା କହିଥିଲେ। ସେହିପରି ପିଇଓ ସ୍ମିତାରାଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ୧୬ତାରିିଖ ରାତିରେ ଯାଜପୁର ଜିଲ୍ଲା ମେଡ଼ିକାଲକୁ ଅଣାଯାଇ ଥିବାବେଳେ ରୂପେଶର ସାଙ୍ଗମାନେ ସ୍ମିତାରାଣୀଙ୍କ ସ୍ବାମୀ ସୁଶିଲଙ୍କୁ ମଦ ପିଇବାକୁ ଯାଚିଥିଲେ। ଟେନସନ ନିଅନାହିଁ ବୋଲି କହିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସ୍ମିତାରାଣୀଙ୍କ ମୁଣ୍ଡ ଫୁଲିଥିଲା। ପାଦରେ ନାଲିନାଲି ଦାଗ ସହିତ ଖଣ୍ଡିଆ ହୋଇଥିଲା ବୋଲି ତାଙ୍କ ସ୍ବାମୀ ସୁଶିଲ ଦେଖିଥିବା କହିଥିଲେ। ଯାହାକି ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇ ନାହିଁ। ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସଂଦେହ ସୃଷ୍ଟି ହୋଇଥିବା ବେଳେ ପୁଲିସ ତଦନ୍ତରେ ଚରମ ଅବହେଳା କରିଥିବା ଅଭିଯୋଗ ଉଠୁଛି। ଗେଷ୍ଟ ହାଉସ୍ର ସିସିଟିଭି ଫୁଟେଜ୍କୁ ଠିକ୍ ଭାବେ ଯାଞ୍ଚ କରାଯାଇଛି କି ନାହିଁ ପ୍ରଶ୍ନ ଉଠୁଛି।
ରୂପେଶଙ୍କ ଗେଷ୍ଟ ହାଉସ୍ (ରଙ୍ଗଶାଳା)କୁ ନେଇ ମଧ୍ୟ ଅନେକ ରୋଚକ ତଥ୍ୟ ସାମନାକୁ ଆସିବାରେ ଲାଗିଛି। ଏହି ବିବାଦୀୟ ଗେଷ୍ଟ ହାଉସ୍ ସରକାରୀ ଜମି ଉପରେ ଠିଆ ହୋଇଥିବା ବେଳେ ନାନାପ୍ରକାର ଅନୈତିକ କାର୍ଯ୍ୟ ଏଠାରେ ହେଉଥିଲା ବୋଲି ଅଭିଯୋଗ ଉଠିଛି। ଘଟଣା ଦିନ ରୂପେଶଙ୍କ ଗାଡ଼ିରେ ୫ଜଣ ବନ୍ଧୁ ଥିଲେ ବୋଲି କହିଥିବା ବେଳେ ପୁଲିସ ତାଙ୍କର କର୍ମଚାରୀଙ୍କୁ ନେଇ ପଚରାଉଚରା କରିଥିଲା। ସେହି ୫ଜଣ ବନ୍ଧୁଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲାନି? ଘଟଣା ଦିନ ଗେଷ୍ଟହାଉସ୍ରେ ସିଲିଂ କାମ ଚାଲିଥିଲା। ସେହି କାମ କରୁଥିବା ଲୋକଙ୍କୁ ପୁଲିସ ନ ପଚାରି ଛାଡ଼ିଦେଲା କିଭଳି? ସିମେଣ୍ଟ କାରଖାନାର ଜଣେ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ କାହିଁକି ଆଣିନି ବୋଲି ପ୍ରଶ୍ନ ଉଠୁଛି। ପତ୍ନୀ ସରପଞ୍ଚ ଥିବା ବେଳେ ସ୍ବାମୀ ରୂପେଶ ସରପଞ୍ଚଙ୍କ କ୍ଷମତା ବ୍ୟବହାର କରୁଥିଲେ। ଭତ୍ତା ବଣ୍ଟନ ବେଳେ ବି ସରପଞ୍ଚଙ୍କ ସ୍ଥାନରେ ତାଙ୍କ ସ୍ବାମୀ ପିିଇଓଙ୍କ ସହ ଯାଇଥିଲେ। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତିରାଜ ବିଭାଗ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ କିଭଳି ବସିଛିି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।