ମୁଖ୍ୟ ଚିକିତ୍ସାଳୟ ହେବ ମେଡିକାଲ କଲେଜ : ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସରକାର, ଆବଶ୍ୟକ ଜମି ଯୋଗାଇ ଦେବାକୁ କେନ୍ଦ୍ରକୁ ଅବଗତ କଲେ

ଭୁବନେଶ୍ୱର : ଯାଜପୁର ଠାରେ ଆଉ ଗୋଟିଏ ନୂଆ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ଯୋଜନାରେ ବର୍ତ୍ତମାନର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ କଲେଜକୁ ଉନ୍ନୀତ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମର୍ମରେ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।

ଏଥିରେ ଦର୍ଶାଯାଇଛି ଯେ ଯାଜପୁର ଜିଲ୍ଲାରେ ଗୋଟିଏ ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନୀତ କରାଯାଇ ଏହି ମେଡିକାଲ କଲେଜ ସ୍ଥାପନ ହେବ । ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଏବଂ ଡାକ୍ତର ସୃଷ୍ଟିପାଇଁ ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି କୁହାଯାଇଛି ।
ମେଡିକାଲ କଲେଜ ପାଇଁ ଜିଲ୍ଲା ଚିକିତ୍ସାଳୟ ନିକଟରେ ୨୦ ଏକର ଜମି ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ କୁହାଯାଇଛି । ଯଦି ସେଠାରେ ଜମି ଉପଲବ୍ଧ ନହୁଏ ତେବେ ଜିଲ୍ଲା ଚିକିତ୍ସାଳୟର ୧୦କିଲୋମିଟର ପରିଧି ମଧ୍ୟରେ ଜମି ଯୋଗାଇ ଦିଆଯିବ ।

ଯାଜପୁର ଜିଲ୍ଲାରେ ଆଉଗୋଟିଏ ସରକାରୀ ମେଡିକାଲ କଲେଜ ସ୍ଥାପନ ହେଲେ ରାଜ୍ୟରେ ସରକାରୀ ମେଡିକାଲ ସଂଖ୍ୟା ୧୦କୁ ବୃଦ୍ଧି ପାଇବ । ବର୍ତ୍ତମାନ କଟକ, ବ୍ରହ୍ମପୁର ଓ ବୁର୍ଲାଠାରେ ଥିବା ୩ଟି ପୁରାତନ ମେଡିକାଲ କଲେଜ ସମତେ ଗତବର୍ଷ କୋରାପୁଟ ଓ ବାରିପଦା ଠାରେ ଥିବା ମେଡିକାଲ କଲେଜରେ ପାଠପଢା ଆରମ୍ଭ ହୋଇଥିଲା। ଚଳିତବର୍ଷ ବାଲେଶ୍ୱର ଓ ବଲାଙ୍ଗୀର ଠାରେ ଥିବା ସରକାରୀ ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହୋଇଛି ।

କେନ୍ଦୁଝର ଠାରେ ସରକାରୀ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ପୁରୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶୁଭ ଦେଇଥିବା ସରକାରୀ ମେଡିକାଲ କଲେଜ କାମ ଅଧାବାଟରେ ଅଟକି ରହିଛି ।

ସେହିଭଳି ରାଷ୍ଟ୍ରାୟତ ସଂସ୍ଥା ଏମ୍‌ସିଏଲ୍‌ ତାଳଚେର ଠାରେ ମେଡିକାଲ କଲେଜ ସ୍ଥାପନ କରୁଥିବାବେଳେ ଏନ୍‌ଟିପିସି ପକ୍ଷରୁ ସୁନ୍ଦରଗଡ ଠାରେ ଆଉ ଗୋଟିଏ ମେଡିକାଲ କଲେଜର ନିର୍ମାଣକାର୍ଯ୍ୟ ଜାରି ରହିଛି । କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ପକ୍ଷରୁ ପ୍ରସ୍ତାବିତ ମେଡିକାଲ କଲେଜ ଯୋଜନାରେ ଅଟକି ଯାଇଛି । ଏସବୁ ମେଡିକାଲ କଲେଜ ନିର୍ମାଣ କରାଗଲେ ରାଜ୍ୟରେ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ମିଶି ୧୩ରେ ଛୁଇଁବ।

ସମ୍ବନ୍ଧିତ ଖବର