ଯାଜପୁର: ବାଇକ୍‌-ଟ୍ରକ୍‌ ଧକ୍କାରେ ବାପ ମୃତ; ଝିଅ ସାଙ୍ଘାତିକ ଆହତ

ଯାଜପୁର: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଘୁଆ ଛକ ନିକଟରେ ଏକ ମୋଟରସାଇକେଲ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ତାଙ୍କ ଝିଅ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ମୋଟରସାଇକେଲ ଆରୋହୀଜଣକ ହେଉଛନ୍ତି ଜେନାପୁର ଥାନା ଅଧୀନ ଭେଜିଗୋଠ ଗ୍ରାମର ୪୧ ବର୍ଷିୟ ଚିତ୍ତରଞ୍ଜନ ସ୍ୱାଇଁ ଏବଂ ଆହତ ହୋଇଥିବା ତାଙ୍କ ଝିଅ ହେଉଛନ୍ତି ୧୫ ବର୍ଷୀୟ ଅଭିଲିପ୍ସା।

ବଳରାମପୁରର ମୁକୁନ୍ଦ ପାତ୍ର ମହାବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଚିତ୍ତରଞ୍ଜନ ୧୦ମ ଶ୍ରେଣୀରେ ପଢୁଥିବା ଝିଅ ଅଭିଲିପ୍ସାକୁ ମୋଟରସାଇକେଲ୍‌ରେ ବସାଇ ଗୀତ ଶିଖାଇବାକୁ ବାଲିସାହିରୁ ବ୍ରାହ୍ମଣୀ ଆଡ଼କୁ ଯାଉଥିଲେ। ସେତିକିବେଳେ ବିପରୀତ ପଟୁ ଅର୍ଥାତ୍‌ ଡୁବୁରିରୁ ଚଣ୍ଡିଖୋଲ ଆଡ଼କୁ ଏକ ଟ୍ରକ୍‌ କ୍ରୋମାଇଟ୍‌ ନେଇ ଆସୁଥିଲା। କୌଣସି କାରଣରୁ ଉଭୟ ଗାଡ଼ି ପରସ୍ପର ସହ ଧକ୍କା ଖାଇଥିଲେ ଓ ନିୟନ୍ତ୍ରଣ ହରାଇ ଟ୍ରକଟି ରାସ୍ତାରୁ ବିଲକୁ ଗଡ଼ି ଯାଇଥିଲା।

ଖବରପାଇ ଜେନାପୁର ପୁଲିସ, ଦମକଳ ବାହୀନି ଘଟନାସ୍ଥଳରେ ପହଞ୍ଚି ପୀଡ଼ିତଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଚିତ୍ତରଞ୍ଜନଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।

ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ଝିଅ ଅଭିଲିପ୍ସାକୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର