ଯାଜପୁରରେ ଉଠା ଜଳସେଚନ ଦୁର୍ନୀତି : ଦଶରଥପୁରରେ ବି ୧୦୦ରୁ ଅଧିକ ପ୍ରକଳ୍ପ ଅଚଳ, ଲୋକାୟୁକ୍ତରେ ଶୁଣାଣି ଆଜି

ଯାଜପୁର/ଦଶରଥପୁର : ଯାଜପୁରରେ ଉଠା ଜଳସେଚନ ଦୁର୍ନୀତିକୁ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇଛି। ଆସନ୍ତାକାଲି ଏ ନେଇ ଲୋକାୟୁକ୍ତରେ ଶୁଣାଣି ରହିଛି। ତେବେ, ଏହି ଦୁର୍ନୀତି ଜିଲ୍ଲାର ଗୋଟିଏ ଜାଗାରେ ସୀମିତ ହୋଇ ରହିନାହିଁ। ବିଭିନ୍ନ ବ୍ଲକ୍‌ରେ ଦୁର୍ନୀତି ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ବଡ଼ଚଣା ପରେ ଏବେ ଦଶରଥପୁର ବ୍ଲକ୍‌ରେ କିଭଳି ଯନ୍ତ୍ରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଅନୁଦାନ ଲୁଟ୍‌ ହେଉଛି, ତାହାର ଏକ ଚିତ୍ର ମିଳିଛି।

ସରକାରୀ ତଥ୍ୟ ମୁତାବକ, ଦଶରଥପୁର ବ୍ଲକରେ ମୋଟ ୧୬୦ଟି ପ୍ରକଳ୍ପରୁ ୧୨୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ୩୬ ଅଚଳ ରହିଛି। ଗୋଟିଏ ଉଠା ଜଳ ସେଚନ ପ୍ରକଳ୍ପରୁ ୫୦ ଏକର ଜମିକୁ ପାଣି ଯୋଗାଣର ବ୍ୟବସ୍ଥା ରହିଛି। ଦଶରଥପୁର ବ୍ଲକ୍‌ରେ ୭ହଜାର ୫ଶହ ଏକରରୁ ଅଧିକ ଚାଷ ଜମିକୁ ଜଳ ଯୋଗାଇ ଦିଆଯାଉଛି ବୋଲି ସରକାରୀ ତଥ୍ୟ କହୁଛି। ମାତ୍ର ବାସ୍ତବ ଚିତ୍ର ଭିନ୍ନ। ୨ହଜାର ଏକର ଜମିକୁ ବି ଠିକ୍ ଭାବେ ପାଣି ମାଡୁନି। ଗୋଟିଏ ପ୍ରକଳ୍ପ ପିଛା ବିଭାଗ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବହୁ ସ୍ଥାନରେ ସୂଚନା ଫଳକରେ ଅନୁଦାନ ରାଶି ଲେଖାଯାଉ ନାହିଁ। ବ୍ଲକ୍‌ରେ ୧୦୦ରୁ ଅଧିକ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ ହୋଇପଡିଛି। ସେଥିରୁ ୭୦ରୁ ଅଧିକ ପ୍ରକଳ୍ପ ନଷ୍ଟ ହୋଇସାରିଛି। ମାତ୍ର ବାସ୍ତବ ଚିତ୍ରକୁ ଲୁଚାଯାଇ କେବଳ କାଗଜପତ୍ରରେ ପ୍ରକଳ୍ପ ଚାଲିଥିବା ଦର୍ଶାଯାଇଛି। କହିବାକୁ ଗଲେ ସରକାରଙ୍କ ଏହି ପ୍ରକଳ୍ପ ଯେମିତି ଦଶରଥପୁର ବ୍ଲକ୍‌ରେ ସମ୍ପୂର୍ଣ୍ଣ ଦିଗହରା ହୋଇଯାଇଛି।

ଗୋଟିଏ ଲେଖାଏଁ ପ୍ରକଳ୍ପ ପାଇଁ ହାରାହାରି ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ବେଳେ ୧୬୦ ପ୍ରକଳ୍ପ ପାଇଁ ସରକାର ୧୬ କୋଟି ଖର୍ଚ୍ଚ କରିସାରିଛନ୍ତି। ଯାହାର ସିଂହଭାଗ ଠିକାଦାର ଏବଂ ଅଧିକାରୀମାନେ ହଡ଼ପ କରିଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ନୂତନ କନିଷ୍ଠ ଯନ୍ତ୍ରୀ ଲୋସ ସୋରେନଙ୍କୁ ପଚାରିବାରେ ୫୦ ଏକର ଜମିକୁ ପାଣି ପାଡ଼ିବା ନିୟମ ରହିଥିବା ବେଳେ ୩୫ରୁ ୪୦ ଏକର ଜମିକୁ ପାଣି ଯୋଗାଣ ହେଉଥିବା କହିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ମିଥ୍ୟା ତଥ୍ୟ ସରକାରଙ୍କୁ ଦେଇ ଚାଷୀଙ୍କ ନାମରେ କୋଟି କୋଟି ହରିଲୁଟ୍ ଉପରୁ ପରଦା ହଟିବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର