ଯାଜପୁରରେ ମାଫିଆରାଜ, ଲୁଟୁଛନ୍ତି ଖଣିଜ ସମ୍ପଦ

ଯାଜପୁର: ଯାଜପୁର ଜିଲ୍ଲା ଏବେ ମାଫିଆମାନଙ୍କ କବଳରେ। କାହାକୁ ମାନିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି। ପୁଲିସ ବି ଅସହାୟ। ଗତ ରବିବାର ହାଇଓ୍ଵା ଚଢ଼ାଇ ଜଣେ ଆରଟିଓଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିଲା। ଏବେ ଧରପଗଡ଼ କରୁଥିବା କେତେକ ଅଧିକାରୀ ଓ ଘଟଣାର ପର୍ଦାଫାସ କରୁଥିବା କେତେକ ସାମ୍ବାଦିକଙ୍କୁ ମାଫିଆମାନେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତିି। ଅନ୍ୟପଟେ ଡିଜିଙ୍କ ନିର୍ଦେଶ ପରେ ଜିଲ୍ଲା ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଦରକାର ପଡ଼ିଲେ ଜାତୀୟ ନିରାପତ୍ତା ଆଇନ ଅନୁଯାୟୀ ମାଫିଆମାନଙ୍କୁ ବାନ୍ଧିବାକୁ କୁହାଯାଇଛି।
ପୂର୍ବ ଉପକୂଳ ଜିଲ୍ଲାଗୁଡିକ ମଧ୍ୟରେ ଯାଜପୁର ଜିଲ୍ଲା ଲଘୁ ଖଣିଜ ସଂପଦର ଅନ୍ୟତମ ପେଣ୍ଠସ୍ଥଳ। ଏଠାରୁ ଗ୍ରାନାଇଟ୍‌(ଚିପ୍ସ, ବ୍ଲକ୍‌ ମେଟାଲ), ମୋରମ, ମାଙ୍କଡ଼ା ପଥର, ମାଟି ବାଲିର ଶହ ଶହ ଖାଦାନକୁ ରାଜନେତାଙ୍କ ସହଯୋଗରେ ପ୍ରଭାବଶାଳୀ ବ୍ୟକ୍ତିମାନେ ଲୁଟେରାଙ୍କ ଜରିଆରେ କରାୟତ୍ତ କରିବାକୁ ଲାଗିଛନ୍ତି। ଜିଲ୍ଲାରେ ୧୫ଶହରୁ ଊର୍ଧ୍ୱ ଖଣି ଖାଦାନ ଚାଲିଥିବା ସତ୍ତ୍ୱେ ସରକାରୀ ହିସାବରେ ପ୍ରାୟ ୨ଶହ ଖାଦାନକୁ ସ୍ୱୀକୃତି ପ୍ରଦାନ କରି ରୟାଲିଟି ଆଦାୟ କରାଯାଉଛି। ଜଙ୍ଗଲ, ପାହାଡ଼, ପର୍ବତ, ନଦୀ ଓ ସମତଳ ଭୂମିକୁ ଲଘୁ ଖଣିଜ ସମ୍ପଦ ଲୁଟେରା କିଣାବିକା କରିଚାଲିଛନ୍ତି। ଦୈନିକ ଶହ ଶହ ଟ୍ରକ ଚୋରା ଲଘୁ ଖଣିଜ ସମ୍ପଦ ଯାଜପୁର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂପୁର ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ପୂର୍ବରୁ ଏହି କାରବାରକୁ ରୋକିବାକୁ ଚେଷ୍ଟା କରୁଥିବା କର୍ମଚାରୀଙ୍କୁ ଲୁଟେରାମାନେ ଆକ୍ରମଣ କରୁଥିଲେ। ବର୍ଷ ବର୍ଷ ଧରି ଲୁଟ୍‌ କରୁଥିବା ଏହି ଲୁଟେରାମାନେ ରାଜନେତାଙ୍କ ବାହୁ ଛାୟା ତଳେ ରହି କୋଟିପତି ହେବା ଫଳରେ ଏବେ ଅଧିକାରୀ ଓ ସାମ୍ବାଦିକଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି। କଟକ ଡିଏଫଓ ଅଧୀନ ବୈରୀ ରେଂଜ ଅନ୍ତର୍ଗତ ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଦର୍ପଣ ତହସିଲ୍‌ର ଆନେକ ପାହାଡ଼ ଓ ଜଙ୍ଗଲ ଲଘୁ ଖଣିଜ ସଂପଦ ଲୁଟେରାଙ୍କ ପାଇଁ ଅସ୍ତିତ୍ଵ ହରାଇବାକୁ ବସିଲାଣି। ବିଛାଖଣ୍ଡି, ଡ଼ଙ୍କାରୀ, ରାହାଡ଼ପୁର, ଆରୁହା ପାହାଡ଼ରେ ଶହ ଶହ ବେଆଇନ୍‌ ମେଗା କ୍ରସର ରାଜ୍ୟ ବାହାର ବେପାରୀମାନେ ଜଙ୍ଗଲ ଜମିରେ ସ୍ଥାପନ କରି କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି।

ସରକାରୀ ଅଧିକାରୀ, ସାମ୍ବାଦିକଙ୍କୁ ନାଲିଆଖି
ଡିଜିଙ୍କ ନିର୍ଦେଶ ପରେ ପୁଲିସର କଡ଼ା ଆଭିମୁଖ୍ୟ
ଦରକାର ପଡ଼ିଲେ ଲାଗିବ ଏନ୍‌ଏସ୍‌ଏ

ଆଗାମୀ ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନ ପାଇଁ ଲୁଟେରାଙ୍କ ଅର୍ଥରେ ବଳିୟାନ ହେବାକୁ ମଧ୍ୟ କେତେକ ରାଜନେତା ସେମାନଙ୍କ ବନ୍ଧୁତ୍ଵକୁ ନିବିଡ଼ କରିଛନ୍ତି। ଲୁଟେରାଙ୍କ ସାମ୍ରାଜ୍ୟରେ ବାଧା ସୃଷ୍ଟି କରୁଥିବା ଅଧିକାରୀ ଓ ସାମ୍ବାଦିକଙ୍କୁ ଯେନତେନ ପ୍ରକାର କରାୟତ୍ତ କରିବାକୁ ଲାଗି ପଡ଼ିଛନ୍ତି। ଏଥିରେ ଯଦି ରାଜି ନହୁଅନ୍ତି ତେବେ ସେମାନେ କୌଣସି ପ୍ରକାରେ ଫସାଇବାକୁ ମଧ୍ୟ ତତ୍ପର ହୋଇପଡ଼ିଛନ୍ତି। ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିବାକୁ ଆରମ୍ଭ କରିଛନ୍ତି। ଅନ୍ୟପଟେ ଆଜି ପୁଲିସ ମହାନିର୍ଦେଶକ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ମାଫିଆମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଦରକାର ପଡ଼ିଲେ ସେମାନଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଅନୁଯାୟୀ ମାମଲା ରୁଜୁ କର।

ସମ୍ବନ୍ଧିତ ଖବର