ନାବାଳିକାଙ୍କୁ ନିର୍ଯାତନା ଘଟଣା : ମହିଳା କନେଷ୍ଟବଳ ଗିରଫ, ପୁଲିସ ଦମ୍ପତି ନିଲମ୍ବିତ

ଯାଜପୁର/ଧର୍ମଶାଳା : ଦଳିତ ନାବାଳିକାକୁ ନିର୍ଯାତନା ଘଟଣାରେ ଆଜି ପୁଲିସ ଦମ୍ପତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଧର୍ମଶାଳା ଥାନାର ମହିଳା କନେଷ୍ଟବଳ ରଞ୍ଜିତା ସାମଲ ସୁସ୍ଥ ହେବା ପରେ ଆଜି ତାଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କ ସ୍ବାମୀ କନେଷ୍ଟବଳ ସନ୍ତୋଷ ବାରିକଙ୍କୁ ଗତକାଲି ଗିରଫ କରାଯାଇଥିଲା। ଅଭିଯୁକ୍ତ ଦମ୍ପତିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି ଏସପି ଚରଣ ସିଂ ମୀନା ପ୍ରକାଶ କରିଛନ୍ତି।

ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଅଞ୍ଚଳର ଦଳିତ ନାବାଳିକା ଅପହରଣ ଓ ନିର୍ଯାତନା ଘଟଣାରେ ଧର୍ମଶାଳା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଦମ୍ପତି ରଞ୍ଜିତା ସାମଲ ଓ ସନ୍ତୋଷ ବାରିକଙ୍କ ସହିତ ମୋଟ ୯ଜଣ ଗିରଫ ହୋଇଛନ୍ତି। କନେଷ୍ଟବଳ ରଞ୍ଜିତା ଓ ସନ୍ତୋଷ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ)ର ଉଭଣୀ ଓ ଭିଣୋଇ। ଘଟଣାରେ ପୁଲସି ଲିଙ୍କ ନେଇ ଚର୍ଚ୍ଚା ହେବା ସହିତ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆନ୍ଦୋଳନ ପାଇଁ ଚେତାବନୀ ଦେବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି।

୧୪ତାରିଖ ରାତିରେ ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ) ଓ ସହଯୋଗୀମାନେ ମାରଣାସ୍ତ୍ର ଦେଖାଇ ଦଳିତ ନାବାଳିକାକୁ ତାଘର କଣ୍ଟିଗଡ଼ିଆରୁ ଉଠାଇ ନେଇଥିଲେ। ୪ଦିନ ଧରି ପିଣ୍ଟୁ, ତାର ଭାଇଉଉଣୀ ଓ ସହଯୋଗୀ ନାନା ନିର୍ଯାତନା ଦେବା ସହିତ ବିଭିନ୍ନ ସ୍ଥାନରେ ଅଟକ ରଖିଥିଲେ। ପୀଡ଼ିତାର ବାପା ପୁଲିସରେ ଝିଅର ଅପହରଣ‌ ନେଇ ୧୫ତାରିଖରେ ଏତଲା କରିଥିଲେ ହେଁ ୧୮ତାରିଖ ପର୍ଯ୍ୟନ୍ତ ଧର୍ମଶାଳା ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲା। ଏପରିକି ପୀଡ଼ିତାର ବାପାକୁ ପିଣ୍ଟୁର ସାନ ଭାଇ ଧମକ ମଧ୍ୟ ଦେଇଥିଲା। ‌ ୧୮ତାରିଖରେ ପୀଡ଼ିତାକୁ ନିଶାଗ୍ରସ୍ତ ଅବସ୍ଥାରେ ବାରବାଟୀ ନିକଟ ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଦେଇ ଅଭିଯୁକ୍ତମାନେ ପଳାଇଥିଲେ। ପୀଡ଼ିତାକୁ ପରିବାର ଲୋକ ନେଇ ଧର୍ମଶାଳା ଥାନାରେ ପହଞ୍ଚାଇବା ପରେ ପୁଲିସ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଥିବା ସଖୀ କେନ୍ଦ୍ରରେ ରଖି ଚିକିତ୍ସା କରିଥିଲା। ପୀଡ଼ିତାଙ୍କ ନିଶା କମିବା ପରେ ତାକୁ ନିଶା ଦେଇ କିପରି ୪ଦିନ କାଳ ମାନସିକ ଓ ଶାରୀରିକ ଭାବେ ଅମାନୁଷିକ ନର୍ଯାତନା ଦିଆଯାଇଥିଲା, ସେ ସଂପର୍କରେ କହିଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ନେତୃତ୍ବ ଗୁରୁତ୍ବ ଦେଇ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ। ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଠାରୁ ଆରମ୍ଭ କରି ଏକାଧିକ ନାରୀ ନିର୍ଯାତନା ଭଳି ସମ୍ବେଦଶୀଳ ଘଟଣା ଧର୍ମଶାଳା ଥାନା ଅଞ୍ଚଳରେ ଘଟୁଥିବା ‌ବେଳେ ସ୍ଥାନୀୟ ପୁଲିସର ସ୍ଥାଣୁତା ପରବର୍ତ୍ତୀ ସମୟରେ ବି‌ଷ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ଏଥରର ଘଟଣାକୁ ଏସପି ଚରଣ ସିଂ ମୀନା ଗୁରୁତର ସହିତ ଗ୍ରହଣ କରିଥିଲେ। ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ ଛାନଭିନ୍ କରାଯାଇଥିଲା। ପ୍ରଥମେ ମୁଖ୍ୟ ଅଭିଯୁକ୍ତ ମିଲତନଗର ଗ୍ରାମର ବିଦ୍ୟାଧର ସାମଲଙ୍କ ପୁଅ ସତ୍ୟନାରାୟଣ(ପିଣ୍ଟୁ), ତା’ର ଦୁଇ ଭଉଣୀ ମିର୍ଜାପୁର (ସାଲେପୁର) ଗ୍ରାମର ବନିତା ପରିଡ଼ା (ବନି), କଟକ ଚାଉଳିଆଗଞ୍ଜର କବିତା ସାହୁ (ପିଙ୍କି) ସହ ଭାଇ ରୂଦ୍ରନାରାୟଣ ସାମଲ (ମିଟୁ)ଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲା। ଗତକାଲି(ପିଣ୍ଟୁ)ଙ୍କ ଭିଣୋଇ ଧର୍ମଶାଳା ଥାନାର କନଷ୍ଟେବଳ ସନ୍ତୋଷ ବାରିକ, ମାଉସୀ ପୁଷ୍ପାଞ୍ଜଳି ବେଉରା(ସୁକିନ୍ଦା), ମାମୁପୁଅ ଭାଇ ମୋହନ ମହାନ୍ତି ଓ ସହଯୋଗୀ ଅବଦୁଲ ରହେମନ୍ ଗିରଫ କରିଥିଲା। ଏହି ଘଟଣାରେ ହୃଦଘାତରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ରଞ୍ଜିତା ସାମଲ ସୁସ୍ଥ ହୋଇ ଆସିବା ପରେ ଆଜି ଗିରଫ ହୋଇଛନ୍ତି। ପୁଲସ ଦମ୍ପତି ରଞ୍ଜିତା ଓ ସନ୍ତୋଷ ଉଭୟ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର