କଂଗ୍ରେସରେ ଯୋଗଦେଲେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ

ଭୁବନେଶ୍ବର : ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଆଲୋକ ବେହେରା ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତେଲେଙ୍ଗାନା ପ୍ରଭାରୀ ତଥା ଏଆଇସିସିର ସାଧାରଣ ସମ୍ପାଦକ ଡ. ରାମଚନ୍ଦ୍ର ଖୁଣ୍ଟିଆ ଶ୍ରୀ ବେହେରା ଓ ତାଙ୍କର ଶତାଧିକ ସମର୍ଥକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଶ୍ରୀ ବେହେରାଙ୍କ ଯୋଗ‌ଦାନ ଫଳରେ ଯାଜପୁରରେ କଂଗ୍ରେସର ସ୍ଥିତି ମଜଭୁତ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେଡି ଓ ବିଜେପି ଦଳ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀ, ନାମମାତ୍ର ଚାଷୀ ଓ ଭାଗ ଚାଷୀମାନଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି। ଏହା ଆଦୌ ସଫଳ ହେବ ନାହିଁ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତ କୃଷକଙ୍କ ଋଣଛାଡ଼, ଧାନର ଏମ୍ଏସ୍‌ପି ୨୬୦୦ ଟଙ୍କାକୁ ବୃଦ୍ଧି, ୫ବର୍ଷ ପାଇଁ ବେରୋଜଗାରୀଙ୍କୁ ଭତ୍ତା ଓ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଘୋଷଣା କରିଥିବାରୁ ବିଜେଡି ଓ ବିଜେପିର ନେତୃବୃନ୍ଦ ଛାନିଆ ହୋଇପଡ଼ିଛନ୍ତି। ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଘୋଷଣା କରୁଛନ୍ତି। ଯାହାକି ଧର୍ମକୁ ଆଖିଠାର ସଦୃଶ ହୋଇଛି। ତୃଣମୂଳସ୍ତରର କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ଘୋଷଣାକୁ ପ୍ରଚାର ପ୍ରସାର କରାଇବା ପାଇଁ ସେ ଆହ୍ବାନ ଦେଇଥିଲେ।

ଏଆଇସିସିର ସାଧାରଣ ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ କହିଲେ କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଯାଜପୁରକୁ ଅବହେଳା କରୁଛନ୍ତି। ଯାଜପୁର ରୋଡ୍‌ ରେଳଷ୍ଟେସନର ଉନ୍ନତୀକରଣ ଓ ଆରଡି ଦେଇ ଧାମରାକୁ ରେଳ ସଂଯୋଗ କ୍ଷେତ୍ରରେ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ଯାଜପୁରକୁ ନିଶ୍ଚିତ ଭାବେ ରେଳ ସଂଯୋଗ କରାଯିବ। ଭୁବନେଶ୍ୱର, କଟକ, ଯାଜପୁର ରୋଡ, ବାଲେଶ୍ୱର, ଭଦ୍ରକ ପ୍ରଭୃତି ରେଳ ଷ୍ଟେସନକୁ ବିଶିଷ୍ଟ ଜନନାୟକଙ୍କ ନାମରେ ନାମିତ କରିବାକୁ ଶ୍ରୀ ଖୁଣ୍ଟିଆ ଆହ୍ବାନ ଦେଇଥିଲେ।

ମିଶ୍ରଣ ପର୍ବରେ ପିସିସି ଉପସଭାପତି ତଥା ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ପିସିସି ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ପିସିସି ମୁଖପାତ୍ର ହିମାଂଶୁ ଲେଙ୍କା, ପଦ୍ମାକର ଗୁରୁ, ୨୦୧୪ ଯାଜପୁର ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ତଥା ପିସିସି କୋର କମିଟି ସଦସ୍ୟ ସନ୍ତୋଷ କୁମାର ନନ୍ଦ, ପିସିସି ସମବାୟ ସେଲ ଅଧ୍ୟକ୍ଷ ଦିଗମ୍ବର କର, ପିସିସି ସଂପାଦକ ଭାସ୍କର ମହାନ୍ତି, ସୁଶାନ୍ତ କୁମାର ତ୍ରିପାଠୀ, ବିଳାସ କୁମାର ରାଉତରାୟ, ବିଭୂତି ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ଆରତୀ ସ୍ବାଇଁ, ସାଧାରଣ ସଂପାଦିକା ରଞ୍ଜିତା ରାଉତ, ପ୍ରଚାର କମିଟି ସଦସ୍ୟା ଦୀପ୍ତି ମିଶ୍ର, କଂଗ୍ରେସ ନେତା ଶ୍ୟାମସୁନ୍ଦର କର, ଯାଜପୁର ନଗର କଂଗ୍ରେସ ସଭାପତି ନାରାୟଣ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର