ଯାଜପୁର: ସ୍କୁଟର୍‌-ହାଇଓ୍ଵା ଟ୍ରକ୍‌ ଧକ୍କା ଯୋଗୁଁ ବାପ ମୃତ, ଝିଅ ଆହତ

ଯାଜପୁର: ରବିବାର ପୂର୍ବାହ୍ନରେ ଯାଜପୁର ସଦର ଥାନା ଅଞ୍ଚଳର୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମଟରଛକ ଠାରେ ଥିବା ବୁଲାଣି ନିକଟରେ ଗୋଟାଏ ହାଇଓ୍ଵା ଟ୍ରକ୍‌ ଧକ୍କା ଦେବାରୁ ଜଣେ ସ୍କୁଟର୍‌ ଚାଳକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ସୁଜନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିହସାହି ଗ୍ରାମର ୫୩ ବର୍ଷିୟ ଗୋଲକ ସାହୁ। ସେ ତାଙ୍କ ବିବାହିତା ଝିଅ ବନିତାଙ୍କୁ ସ୍କୁଟରରେ ବସାଇ ହରିପୁର ଯାଉଥିଲେ। ସେତିକି ବେଳେ ପଛଆଡୁ ଗୋଟାଏ ହାଇଓ୍ଵା ଟ୍ରକ୍‌ ଆସି ତାଙ୍କୁ ଧକ୍କା ଦେଇ ଦ୍ରୁତ ବେଗରେ ଘଟଣାସ୍ଥଳରୁ ଚାଲିଗଲା। ଦୁର୍ଘଟଣାସ୍ଥଳରେ ହିଁ ଗୋଲକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ଓ ବନିତା ଆହତ ହୋଇଥିଲେ।

ପରେ ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ କିଛି ସମୟ ଧରି ରାସ୍ତା ଅବରୋଧ କରିଥିଲେ। ରାସ୍ତା ସମ୍ପ୍ରସାରଣ ନ ହେବା ଯାଏଁ ଭାରି ଯାନ ଚଳାଚଳ ବନ୍ଦ କରିବାକୁ ସେମାନେ ଅଡ଼ି ବସିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା ଓ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଗୋଲକଙ୍କ ଶବକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧିତ ଖବର