ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ବାଳକ ମୃତ

ଯାଜପୁର: ସୋମବାର ପୂର୍ବାହ୍ନରେ ବରୀ ବ୍ଲକ୍‌ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ତିନିମୁହାଁଣିର ନାଳମୁହଁଘାଟରେ ବୁଡ଼ି ଯିବାରୁ ଦୁଇ ଜଣ ବାଳକଙ୍କର ମୃତ୍ୟୁ ଘଟିଛି।

ମୃତ ବାଳକ ଦ୍ୱୟ ହେଲେ ସାହୁପଡ଼ା ଗାଁ’ର ରାଜୀବ ବାରିକଙ୍କ ପୁଅ ୧୩ ବର୍ଷିୟ ଆଦିତ୍ୟ ଏବଂ ବ୍ରହ୍ମାନନ୍ଦ ବାରିକଙ୍କ ୧୩ ବର୍ଷିୟ ପୁଅ କାର୍ତ୍ତିକ। ଦୁହେଁ ପୁଷ୍ପଗିରି ହାଇସ୍କୁଲ୍‌ରେ ନବମ ଶ୍ରେଣୀରେ ପଢୁଥିଲେ।

ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ବେଳେ ଏ ଦୁହେଁ ଅନ୍ୟ ତିନି ଜଣଙ୍କ ସହ ମିଶି ନଈରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବୁଡ଼ି ଯିବା ଦେଖି ତାକୁ ଉଦ୍ଧାର କରିବାକୁ ଅନ୍ୟ ଜଣେ ସେଠରେ ଉଠିଥିବା କାଶତଣ୍ଡୀ କାଣ୍ଡଟିଏ ନେଇ ବଢ଼ାଇ ଦେଉଥିବାବେଳେ ଉଭୟ ଧରାଧରି ହୋଇ ଖର ସୁଅରେ ଭାସି ଯାଇଥିଲେ।

ତାଙ୍କ ସହ ଗାଧାଉ ଥିବା ବାକି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଘଟନାସ୍ଥଳରୁ ପଳାଇ ଯାଇଥିଲେ। ଅନ୍ୟ ଜଣକ ଡାକ ପକାଇ ଲୋକମାନଙ୍କୁ ଏ କଥା କହିଥିଲା। ଜଣେ ବାଟୋଇ ମଧ୍ୟ ଏ ଘଟନା ଦେଖି ଆମ ସାମ୍ବାଦଦାତାଙ୍କୁ ସୂଚନା ଦେଇ ଅଗ୍ନିଶମ ବିଭାଗକୁ ଡକାଇବାକୁ ଅନୁରୋଧ କରିଥିଲେ।

ଉଭୟ ଗ୍ରାମବାସୀ ଏବଂ ଅଗ୍ନିଶମ ବିଭାଗର ଉଦ୍ୟମରେ ମୃତ ବାଳକ ଦ୍ୱୟଙ୍କର ଶବ ଉଦ୍ଧାର କରାଯାଇ ରାମଚନ୍ଦ୍ରପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଡାକ୍ତରଖାନା ତରଫରୁ ପୁଲିସକୁ ଖବର ଦିଆଯିବା ପରେ ଶବ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି।

ସମ୍ବନ୍ଧିତ ଖବର