ପ୍ରାଣାନ୍ତକ ଆକ୍ରମଣ ମାମଲାରେ ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ : ମୋର କେହି ଭାଇ ନାହିଁ କି ପୁତୁରା ନାହାନ୍ତି

ଭୋଗରାଇ : ଗତ ଶନିବାର ବିଳମ୍ବିତ ରାତ୍ରିରେ ଜଳେଶ୍ବର ଥାନା ଆମ୍ବିଳିଅଠା ଛକଠାରୁ କିଛି ଦୂରରେ କୁଖ୍ୟାତ ଅପରାଧୀ ଜଗା ଓରଫ ରତନ ଦାସଙ୍କ ପ୍ରାଣାନ୍ତକ ଆକ୍ରମଣରେ ଆମ୍ବିଳିଅଠା ଗାଁର ଦୁଇ ଯୁବକ ଗୁରୁତର ଆହତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କୁଖ୍ୟାତ ଅପରାଧୀ ଜଗା ଭୋଗରାଇ ବିଧାୟକ ତଥା ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ  ସମ୍ପର୍କୀୟ ପୁତୁରା ବୋଲି ଯାହା ବିଭିନ୍ନ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ଏହାକୁ ମନ୍ତ୍ରୀ ଶ୍ରୀ ଦାସ ଖଣ୍ଡନ କରିଛନ୍ତି।

ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋର ନିଜର କୌଣସି ଭାଇ ନାହାନ୍ତି। ତେଣୁ ପୁତୁରା ଆସିବ କେଉଁଠୁ? ତେବେ ମୋ ପୈତୃକ ଗାଁର ସାହି ପଡ଼ିଶାରେ ମୋତେ ବହୁ ଲୋକେ ଭାଇ, କକା, ଦାଦା ବୋଲି ସଂବୋଧନ କରିଥାନ୍ତି । ଏହି ସମ୍ପର୍କକୁ କାହା ସହ ଯୋଡ଼ି ଯେଉଁ ଅପପ୍ରଚାର କରାଯାଉଛି ତାହା ଆଦୌ ସମୀଚିନ ନୁହେଁ। ଯିଏ ଅପରାଧ କରିଛି କିମ୍ବା ଜଡ଼ିତ ଅଛି ସେ ଆଇନ ଅନୁଯାୟୀ ଦଣ୍ଡିତ ହେବାରେ ମୋର କୌଣସି ଆପତ୍ତି ନାହିଁ। ତେବେ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଇନ କାନୁନ ଥିବା ବେଳେ କାହାକୁ ମାଡ଼ ମାରି ତା ମୁହଁରୁ ଜୋରଜବରଦସ୍ତ ମୋର ସମ୍ପର୍କୀୟ ବୋଲି କଥା ଆଦାୟ କରିବା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର