ଜଳେଶ୍ବର ବିଧାନସଭା କ୍ଷେତ୍ର : ସବୁଦଳ ପାଇଁ ସମ୍ମାନର ଲଢ଼େଇ

ଜଳେଶ୍ବର : ଓଡ଼ିଶାର ଉତ୍ତର ସୀମାନ୍ତରେ ଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଜଳେଶ୍ବର ବିଧାନସଭା କ୍ଷେତ୍ରରେ ଚଳିତ ବର୍ଷ ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନ ସମସ୍ତ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି  କୁହାଯାଉଛି। ନିର୍ବାଚନକୁ ଆଉ ମାତ୍ର କେଇ ସପ୍ତାହ ବାକିଥିବା ବେଳେ ଟିକଟ ବଣ୍ଟନକୁ ନେଇ ଏବେ ବିଭିନ୍ନ ଦଳରେ ରାଜନୀତି ଜୋର ଧରିଛି। କେଉଁ ଦଳରେ କେଉଁ ନେତାଙ୍କୁ ଟିକଟ ଦେଲେ ଏହା ଦଳ ପାଇଁ ବରଦାନ ସାବ୍ୟସ୍ତ ହେବ ଏବଂ ସେହି ନେତା ଜଣକ ସାଧାରଣ ଭୋଟରଙ୍କ ଦଳୀୟ ଭାବନାକୁ ଭୋଟରେ ରୂପାନ୍ତରିତ କରିପାରିବେ ସବୁ ରାଜନୈତିକ ଦଳରେ ଏହି ବିଚାର ବିମର୍ଷ ଲାଗିରହିଛି। ତେବେ ଏହି ସମୀକରଣ ନୂଆଦିଲ୍ଲୀ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିବାରୁ ଚଳିତ ନିର୍ବାଚନ ଯେ ବିଭିନ୍ନ ଦଳ ପାଇଁ ସମ୍ମାନର ପ୍ରଶ୍ନ ତାହା ବାରି ହୋଇପଡୁଛି। ଏହି ଦୃଷ୍ଟିରୁ ଏଠାରେ ନିର୍ବାଚନ ଲଢ଼େଇ ବି ଜୋରଦାର ହେବ ବୋଲି ଆକଳନ କରାଯାଉଛି।

ଜଳେଶ୍ବର ବିଧାନସଭା ନିର୍ବାଚନ କ୍ଷେତ୍ର ମଧ୍ୟରେ ଜଳେଶ୍ବର ବ୍ଲକର ୩୫ ଓ ବସ୍ତା ବ୍ଲକର ୧୪ଟି ପଞ୍ଚାୟତକୁ ମିଶାଇ ମୋଟ ୪୯ଟି ପଞ୍ଚାୟତ ରହିଛି। ଏହିସବୁ ପଞ୍ଚାୟତରେ ମୋଟ ୨୪୯ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ମୋଟ ୨ ଲକ୍ଷ ୨୮ ହଜାର ୩୯୮ ଭୋଟର ରହିଥିବାର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ତେବେ ୨୦୧୯ର ଏହି ସାଧାରଣ ନିର୍ବାଚନରେ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ନିଶ୍ଚିତ ବୋଲି କୁହାଯାଉଛି। କିନ୍ତୁ ଟିକଟ ଘୋଷଣା ଉପରେ ଏହି ଲଢ଼େଇର ଚିତ୍ର ନିର୍ଭର କରୁଛି। କୁହାଯାଉଛି ଜଳେଶ୍ବରରେ ବିଭିନ୍ନ ରାଜନୈତିକ ଦଳରେ ଏଥର ବହୁ ହେଭି‌ୱେଟ ନେତାମାନେ ଟିକଟ ଆଶାୟୀ ଅଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଅନେକ ନୂଆ ସମୀକରଣ ସୃଷ୍ଟି କରିପାରେ। କାରଣ ଯେଉଁମାନେ ଟିକଟରୁ ବାଦ ପଡ଼ିବେ ସେମାନଙ୍କ ଭୂମିକା କ’ଣ ରହିବ ତାହା ନିର୍ବାଚନ ମଣ୍ଡଳୀରେ କେବଳ ସାଧାରଣ ଭୋଟର କିମ୍ବା ଦଳୀୟ କର୍ମୀ ନୁହନ୍ତି ହାଇକମାଣ୍ଡଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ସେହି ଦୃଷ୍ଟିରୁ ଜଳେଶ୍ବର ନିର୍ବାଚନୀ କ୍ଷେତ୍ର ପାଇଁ ଟିକଟ ଘୋଷଣା ଶେଷ ପର୍ଯ୍ୟାୟରେ ହୋଇପାରେ ବୋଲି ଆଲୋଚନା ହେଉଛି। ବିଶେଷ କରି ଜଳେଶ୍ବରରେ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରାକ୍ତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦାନ, ସ୍ତମ୍ଭକାର ସୁଦର୍ଶନ ଦାସଙ୍କ କଂଗ୍ରେସରେ ଯୋଗଦାନ ଓ ଶାସକ ଦଳ ବିଜେଡିରେ ପୂର୍ବତନ ମନ୍ତ୍ରୀଙ୍କଠାରୁ ବର୍ତ୍ତମାନର ବିଧାୟକ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷଙ୍କ ସମେତ ପ୍ରାୟ ଅଧା ଡଜନ ପାଖାପାଖି ଆଶାୟୀ ରହିବା ରାଜନୈତିକ ପାଣିପାଗକୁ ଗୋଳିଆ କରିପକାଉଛି। ତିନୋଟି ଯାକ ରାଜନୈତିକ ଦଳରେ ଟିକଟ ଆଶାୟୀଙ୍କ ତାଲିକାରେ ଅନେକ ହେଭିଓ୍ବଟ୍‌ଙ୍କ ଆବିର୍ଭାବ ନିର୍ବାଚନ ବାତାବରଣକୁ ସରଗରମ କରିଛି। ତେବେ ଟିକଟ ଘୋଷଣା ପରେ ଏହା ଏସବୁ ଦଳ ଭିତରକୁ ଯେ ଚରମ ଗୋଷ୍ଠୀ କନ୍ଦଳକୁ ହାତଧରି ଡାକି ଆଣିବ ତାହା ଏଡ଼ାଇ ଦେଇହେବ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ନିର୍ବାଚନରେ ବିକାଶମୂଳକ କାମ, ଦୁର୍ନୀତି, ସାଧାରଣ ଲୋକଙ୍କ ନ୍ୟାର୍ଯ୍ୟ ଅଧିକାର, ସୁବର୍ଣ୍ଣରେଖା ବନ୍ୟା ପ୍ରତିକାର ସହ ଦଳ ଡେଇଁବା ରାଜନୀତିକୁ ମୁଖ୍ୟ ପ୍ରସଙ୍ଗ କରି ନେତାମାନେ ନିର୍ବାଚନ ଲଢ଼ିବାକୁ ମନ ବଳାଇ ନିଜର ଗୋଟିଚାଳନା କରୁଛନ୍ତି। ତେଣୁ ଏଥର ନିର୍ବାଚନ ଯେ ସମ୍ମାନ ପାଇଁ ଲଢ଼େଇ ହେବ ତାହା ଉଭୟ ଦଳ ଓ ଦଳୀୟ ପ୍ରାର୍ଥୀ ପାଇଁ ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର