କ୍ଷୀର ପିଇଲା ଯମୁନା

କଟକ: ଶିଶୁଭବନରେ ଯମଜ ଶିଶୁ ଗଙ୍ଗା ଓ ଯମୁନାଙ୍କୁ ଆଜି ପ୍ରଥମ ଥର ପାଇଁ ଡବା କ୍ଷୀର ପିଇବାକୁୁ ଦିଆଯାଇଥିଲା। ଡାକ୍ତରୀ ଟିମ୍‌ର ପରାମର୍ଶ ଅନୁଯାୟୀ ସନ୍ଧ୍ୟାରେ ଦୁଇ ଥର କ୍ଷୀର ପିଇବାକୁ ଦିଆଯାଇଥିଲା। ‘ବି’ କୁହାଯାଉଥିବା ଯମୁନା ଡବା କ୍ଷୀର ପିଇଥିବା ବେଳେ ‘ଏ’ କୁହାଯାଉଥିବା ଗଙ୍ଗା ଆଦୌ କ୍ଷୀର ପିଇଲାନାହିଁ। ଏଭଳି ସ୍ଥିତିରେ ଆଜି ଡାକ୍ତରୀ ଟିମ୍‌ ଚିନ୍ତାରେ ପଡ଼ିଯାଇଛନ୍ତି । ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଦିନ ରାତି ଏକ କରିଦେଇଛି ଡାକ୍ତରୀ ଟିମ୍‌ । ଏଭଳି ଜଟିଳ ପରିସ୍ଥିତିରେ ଗଙ୍ଗା-ଯମୁନାଙ୍କୁ ଦିଲ୍ଲୀ ଏମ୍‌ସ ପଠାଇବା ବଦଳରେ ସେଠାକାର ଡାକ୍ତରଙ୍କ ସହିତ ଅନ୍‌ଲାଇନ୍‌ ଯୋଗେ ମେଲ୍‌ କିମ୍ବା ଅନ୍ୟ ମାଧ୍ୟମରେ ପରାମର୍ଶ ଲୋଡ଼ାଯିବାକୁ ଆଜି ଶିଶୁଭବନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

କଟକ ବଡ଼ ମେଡିକାଲ୍‌ରେ ଗତକାଲି ଆସିଥିବା ସିଟି ସ୍କାନ୍‌ ଏବଂ ଇକୋ କାର୍ଡିଓଗ୍ରାଫି ରିପୋର୍ଟରୁ ଗୋଟିଏ ହୃତ୍‌ପିଣ୍ଡ(ହାର୍ଟ) ଏବଂ ଗୋଟିଏ ଯକୃତ(ଲିଭର୍‌) ରହିଥିବା ଜଣାପଡ଼ିବା ପରେ ଶିଶୁୁଭବନ ଡାକ୍ତରୀ ଟିମ୍‌ର ଚିନ୍ତା ବଢ଼ିଯାଇଛି । ରିପୋର୍ଟରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଜି ସାମ୍‌ନାକୁ ଆସିଛି । ଗଙ୍ଗା ଓ ଯମୁନାଙ୍କ ଛାତି ପାର୍ଶ୍ୱ ସାମ୍‌ନା ସାମ୍‌ନି ଲାଗି ରହିଥିବାରୁ ହୃତ୍‌ପିଣ୍ଡଟି ଉଭୟଙ୍କ ଛାତିର ମଝି ଅଂଶରେ ରହିଛିା ହୃତ୍‌ପିଣ୍ଡରେ ଜଟିଳ ତ୍ରୁଟି ଥିବା ବେଳେ ଉଭୟଙ୍କ ଛାତିର ମଝିରେ ଏହା ରହିବା ଘଟଣା ଡାକ୍ତରୀ ଟିମ୍‌କୁ ଅଧିକ ଅଡ଼ୁଆ ଭିତରକୁ ଠେଲିଦେଇଛି । ଅନ୍ୟପଟେ ହୃତ୍‌ପିଣ୍ଡରେ ଥିବା ତ୍ରୁଟି ଚିହ୍ନଟ ପାଇଁ ଆସନ୍ତାକାଲି ବଡ଼ ମେଡିକାଲ୍‌ରେ ଏମ୍‌ଆର୍‌ଆଇ ସ୍କାନ୍‌ କରାଯିବା ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ମେଡିକାଲ୍‌ରେ ଏମ୍‌ଆର୍‌ଆଇ ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଛି । ଉକ୍ତ ଯନ୍ତ୍ରାଂଶକୁ ତୁରନ୍ତ ମରାମତି କରିବା ପାଇଁ ଆଜି ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ ବଡ଼ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ମରାମତି କରାଇବା ପାଇଁ ବଡ଼ ମେଡିକାଲ୍‌ କର୍ତ୍ତୃପକ୍ଷ ଫୋନ୍‌ ଯୋଗେ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ସ୍ଥିତିରେ ଆସନ୍ତାକାଲି ପରୀକ୍ଷା ନହେବାର ସମ୍ଭାବନା ଯଥେଷ୍ଠ ଅଧିକ ଥିବା କୁହାଯାଉଛି ।

ଏବେ ଗଙ୍ଗା-ଯମୁନାଙ୍କ ଓଜନ ଚାରି କେଜି ୩୦୦ ଗ୍ରାମ ଥିବାରୁ ଉଭୟଙ୍କ ଓଜନ ଏବଂ ପରିପକ୍ୱତାକୁ ଦୃଷ୍ଟିରେ ରଖାଯାଇ ଫିଡ୍‌ ଟେଷ୍ଟ ବା ଖାଦ୍ୟ ପରୀକ୍ଷା କରାଯାଇଛି । ଆଜି ସନ୍ଧ୍ୟା ୬ଟା ଏବଂ ସାଢ଼େ ୬ଟାରେ ସେମାନଙ୍କୁ ପାଇପ୍‌ ଯୋଗେ ପ୍ରାୟ ୨ ଏମ୍‌ଏଲ୍‌ ଲେଖାଏଁ ଡବା କ୍ଷୀର ପିଇବାକୁ ଦିଆଯାଇଥିଲା । କିନ୍ତୁ ଦୁଇ ଥର ଉଦ୍ୟମ କରାଯାଇଥିଲେ ସୁଦ୍ଧା ଗଙ୍ଗା ବୁନ୍ଦେ ବି ପିଇ ନଥିଲା । ଖୁବ ଶୀଘ୍ର ୧୨ ଜଣିଆ ଡାକ୍ତରୀ ଦଳକୁ ନେଇ ଗଠିତ କମିଟି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସିବ । ବୈଠକରେ ଏମ୍‌ଆର୍‌ଆଇ ସ୍କାନ୍‌ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଏ ସଂକ୍ରାନ୍ତରେ ଦିଲ୍ଲୀ ଏମ୍‌ସର ଶିଶୁ ରୋଗ ବିଶେଷଜ୍ଞଙ୍କ ସହିତ ଶିଶୁଭବନ କାର୍ଡିଓଲୋଜି ବିଭାଗ ଡାକ୍ତର ଅନ୍‌ଲାଇନ୍‌ରେ ଆଲୋଚନା କରିବାକୁ ଯୋଜନା କରାଯାଉଛି । ଅନ୍ୟପଟେ ସେମାନଙ୍କୁ ଶିଶୁଭବନରେ ଭର୍ତ୍ତି ହେବା ଦିନଠାରୁ ଅକ୍ସିଜେନ୍‌ ଏବଂ ସାଲାଇନ୍‌ ଦିଆଯାଉଛି । ସ୍ୱାସ୍ଥ୍ୟାବସ୍ଥାରେ କ୍ରମାଗତ ଭାବେ ସୁଧାର ଆସିଲେ ଅକ୍ସିଜେନ୍‌ କାଢ଼ିବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି । ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି ଯେ ଆଜି ଗଙ୍ଗା ଓ ଯମୁନାଙ୍କୁ ଡବା କ୍ଷୀର ପିଇବାକୁ ଦିଆଯାଇଛି । ସେମାନଙ୍କ ପାକସ୍ଥଳୀରେ କୌଣସି ସମସ୍ୟା ରହିଛି ନା ନାହିଁ ସେ ନେଇ ଅନୁଧ୍ୟାନ କରାଯାଉଛି । ହଜମକ୍ରୀୟା କିଭଳି ରହିଛି ଆଜି ପ୍ରାଥମିକ ଭାବେ ପରୀକ୍ଷା କରାଯାଇଥିଲା । କେତେ ପରିମାଣରେ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ହଜମ କରିବାର କ୍ଷମତା ଅନୁଯାୟୀ ଡବା କ୍ଷୀର କିମ୍ବା ଅନ୍ୟ ଖାଦ୍ୟର ପରିମାଣ ବୃଦ୍ଧି କରାଯିବ । ଏମ୍‌ଆର୍‌ଆଇ ମେସିନ୍‌ ଅଚଳ ଥିବା ଖବର ମିଳିବା ପରେ ବଡ଼ ମେଡିକାଲ୍‌ ଡାକ୍ତରଙ୍କ ସହିତ ଆଲୋଚନା କରାଯାଇଥିବା ଡାକ୍ତର ଶତପଥୀ କହିଛନ୍ତି ।

ସମ୍ବନ୍ଧିତ ଖବର