କୋରାପୁଟ : କୋଟିଆବାସୀକୁ ନିଜର କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ଆଜି କୋଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜନ ସଂପର୍କ ଶିବିର କରି ଲୋକଙ୍କୁ ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରାଯାଇଛି। ଏହି ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ଲୋକଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ନେତା ଓ ଅଧିକାରୀ। କୋଟିଆର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଓ ହେବାକୁ ଥିବା ପ୍ରକଳ୍ପ ସଂପର୍କରେ କହି ଲୋକଙ୍କ ମନ କିଣିବାକୁ ଚେଷ୍ଟା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ବଢୁଥିଲାବେଳେ ଓଡ଼ିଶା ସରକାର ପ୍ରଥମ ଥର ପାଇଁ କୋଟିଆରେ ଆଜି ଏକ ଜନ ସଂପର୍କ ଶିବିର ଆୟୋଜନ କରିଥିଲେ। ଏଥିରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନୀ, ଅତିରକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଏସପି ଡଃ କେ.ଭି. ସିଂହ, ଉପ ଜିଲ୍ଲାପାଳ କୃତ୍ତିବାସ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଅଧିକାରୀମାନେ କହିଥିଲେ ଯେ, ଆଗାମୀ ଦିନରେ କୋଟିଆର ବିକାଶ ପାଇଁ ପ୍ରାୟ ୧୦୦କୋଟି ଟଙ୍କାର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ବହୁ ନୂତନ ରାସ୍ତା ନିର୍ମାଣ ସହ ସ୍କୁଲ ଗୁଡିକରେ ଭିତ୍ତିଭୂମି ବଢାଇବାକୁ ନିଷ୍ପତ୍ତି ହୋଇଛି। ନୂତନ ଭାବେ ୮୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଲୋକଙ୍କ ସୁବିଧା ପାଇଁ ବୁଧବାର କୋଟିଆଠାରେ ଏକ ହାଟ କରିବାକୁ ଯୋଜନା କରାଯାଇଛି।
ଏହି ଜନ ସଂପର୍କ ଶିବିରରେ ନୂତନ ଭାବେ ୪୦ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ଦିଆଯାଇଥିଲା। ସେହିପରି ୬୦ଜଣ ଶ୍ରମିକଙ୍କୁ ଶ୍ରମିକ କାର୍ଡ ଦିଆଯିବ। ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୧୪୪ଟି ଖାଉଟି କାର୍ଡ ମଧ୍ୟ ବଣ୍ଟନ କରାଯାଇଛି। ବିଭିନ୍ନ ଗ୍ରାମରେ ଥିବା ଯୁବକମାନଙ୍କ ଖେଳାଖେଳି ପାଇଁ ୬ଟି ଗ୍ରାମକୁ ଭଲିବଲ ଓ ନେଟସ ମଧ୍ୟ ପ୍ରଦାନ କରାଯାଇଛି। ଭିନ୍ନକ୍ଷମମାନଙ୍କୁ ତିନି ଚକିଆ ସାଇକେଲ ଓ ଅନ୍ୟାନ୍ୟ ଉପକରଣ ଦିଆଯାଇଥିଲା।
ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା। ଏଥିରେ ପ୍ରାୟ ୩୫୦ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ସେମାନଙ୍କୁ ମାଗଣା ଔଷଧ ଦିଆଯାଇଥିଲା। ଏହା ପରଠାରୁ ପ୍ରତି ଗୁରୁବାର କୋଟିଆରେ ସ୍ୱାସ୍ଥ୍ୟ ଶିବିର କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। କୋଟିଆ ପଞ୍ଚାୟତରେ ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବା ସହ କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦ଶଯ୍ୟା ବିଶିଷ୍ଟ କରାଯିବାକୁ ପ୍ରସ୍ତାବ ରହିଛି। କୋଟିଆରେ ଏକ ଆମ୍ବୁଲାନ୍ସ ରହିବ। ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଏକ ମୋବାଇଲ ହେଲଥ ୟୁନିଟ୍ କରାଯିବ ବୋଲି କୁହାଯାଇଛି।