ଅଲିଭା ପଦଚିହ୍ନ ଛାଡ଼ି ଯାଇଛନ୍ତି ଜାନକୀବଲ୍ଲଭ

କଟକରେ ସ୍ମୃତିସଭା, ତ୍ରିଲୋଚନ, ସୁଲୋଚନା, ଗୋପାଳକୃଷ୍ଣଙ୍କୁ ‘ସ୍ମାରକୀ ସମ୍ମାନ’

କଟକ : ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜସେବା ଆଦି କ୍ଷେତ୍ରରେ ଜାନକୀବଲ୍ଲଭ ପଟ୍ଟନାୟକ ଅଲିଭା ପଦଚିହ୍ନ ଛାଡ଼ି ଯାଇଛନ୍ତି। ପ୍ରଶାସନିକ କ୍ଷେତ୍ରରେ ତାଙ୍କ ପ୍ରଜ୍ଞା ଓ ପାରଦର୍ଶିତା ସମସ୍ତଙ୍କୁ ଚକିତ କରିଛି। ତାଙ୍କର ଅନେକ ବିରୋଧୀ ଥିଲେ ମଧ୍ୟ କେହି ଶତ୍ରୁ ନ ଥିଲେ ବୋଲି କହିଛନ୍ତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ।

ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ସାରଳା ଭବନରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ଦାସ ଯୋଗ ଦେଇ କହିଲେ, କ୍ଷମତାରେ ରହି ବହୁ ବ୍ୟକ୍ତି ସାଧାରଣ ଲୋକଙ୍କୁ ଭୁଲିଯାଉଥିବା ବେଳେ ଜାନକୀବଲ୍ଲଭ ଥିଲେ ଏହାର ବ୍ୟତିକ୍ରମ। କ୍ଷମତାରେ ଥାଇ ମଧ୍ୟ ନମ୍ରତାର ସହିତ ଲୋକଙ୍କ ସେବା କରୁଥିଲେ। ଏଥିପାଇଁ ଆଜି ବି ସେ ଲୋକଙ୍କ ସ୍ମୃତିରେ ଜୀବିତ ବୋଲି ଜଷ୍ଟିସ୍ ଦାସ କହିଥିଲେ।

ପ୍ରତିଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀ ଡକ୍ଟର ବିପିନ ବିହାରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମ୍ମାନିତ ଅତିଥି ପଦ୍ମବିଭୂଷଣ କବି ଡକ୍ଟର ସୀତାକାନ୍ତ ମହାପାତ୍ର କହିଲେ, ସାହିତ୍ୟିକ, ସାମ୍ବାଦିକ, ରାଜନେତା ଭିତରେ ଜାନକୀବଲ୍ଲଭ ଥିଲେ ଜଣେ ଭଲ ମଣିଷ। ରାଜନୀତିରୁ ଅବସର ମିଳୁଥିବା ବେଳେ ଶ୍ରୀମଦ୍‌ ଭାଗବତ, ରାମାୟଣ, ମହାଭାରତ, ଭର୍ତ୍ତୃହରିଙ୍କ ତ୍ରି-ଶତକ ଭଳି ପୁସ୍ତକ ସୃଷ୍ଟି କରି ସବୁ ବର୍ଗର ପାଠକଙ୍କୁ ପ୍ରଭାବିତ କରିଛନ୍ତି। ଖୋର୍ଦ୍ଧା ରାମେଶ୍ବରରୁ ହିଁ ସେ ଓଡ଼ିଶା ପାଇଁ ନୂଆ ସ୍ବପ୍ନ ଓ ସଂକଳ୍ପର ପଥ ଖୋଜୁଥିଲେ ବୋଲି ଡକ୍ଟର ମହାପାତ୍ର କହିଥିଲେ।

ପ୍ରତିଷ୍ଠାନର ସାଧାରଣ ସଂପାଦକ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା‌ ଦେଇ ଜାନକୀବଲ୍ଲଭଙ୍କୁ ପ୍ରଜ୍ଞାରୂପକ ଶକ୍ତି ଓ ନମ୍ରତାରୂପକ ଗୁଣର ବିରଳ ଅଧିକାରୀ ଥିଲେ ବୋଲି କହିଥ‌ିଲେ। ଉପସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲ ଜାନକୀବଲ୍ଲଭଙ୍କୁ ବ୍ୟକ୍ତି ନୁହେଁ, ଏକ ଜୀବନ୍ତ ଅନୁଷ୍ଠାନ ରୂପେ ବର୍ଣ୍ଣନା କରିଥିଲେ। ମଣିଷ ପଣିଆ ତାଙ୍କ ବ୍ୟକ୍ତିତ୍ବର ସ୍ବତନ୍ତ୍ରତା ଥିଲା ବୋଲି ସେ କହିଥିଲେ। ଅନ୍ୟତମ ଉପସଭାପତି ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଜାନକୀବଲ୍ଲଭଙ୍କୁ ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଙ୍ଗମ ବୋଲି କହିଥିଲେ। ରାଜନୀତିରେ ବିଚକ୍ଷଣତା ପାଇଁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଆସାମର ରାଜ୍ୟପାଳ ପଦ ମଣ୍ଡନ କରିଥିବା ବେଳେ ସାହିତ୍ୟ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ସାହିତ୍ୟ ଭାରତୀ ଭଳି ସମ୍ମାନ ପାଇଥିଲେ ବୋଲି ଇଞ୍ଜିନିୟର ସ୍ବାଇଁ କହିଥିଲେ।

ଏହି ଅବସରରେ ସମାଜସେବା ପାଇଁ ରାଜନେତା ତ୍ରିଲୋଚନ କାନୁନଗୋ, ସାରସ୍ବତ ସାଧନା ପାଇଁ ଡକ୍ଟର ସୁଲୋଚନା ଦାସ ଓ ସାମ୍ବାଦିକତା ପାଇଁ ‘ପ୍ରମେୟ’ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଭୂ୍ୟାଁଙ୍କ ରଚିତ ଓ ବିଦ୍ୟାପୁରୀ ଦ୍ବାରା ପ୍ରକାଶିତ ଜାନକୀବଲ୍ଲଭଙ୍କ ଜୀବନୀ ଗ୍ରନ୍ଥ ‘ସାର୍ଥକ ସାରଥି ଜାନକୀବଲ୍ଲଭ’ର ପରିବର୍ଦ୍ଧିତ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଆଇନଜୀବୀ ଇଞ୍ଜିନିୟର ଆକାଶ ଭୂୟାଁ, ବିଶ୍ବମିତ୍ରା ମିଶ୍ର, ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ଡକ୍ଟର ଭାଗ୍ୟଲିପି ମଲ୍ଲ ସଭା ସଂଯୋଜନା କରିଥିବା ବ‌େଳେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଉତ୍ସବରେ ଜାନକୀବଲ୍ଲଭଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ସମେତ ଡକ୍ଟର ପ୍ରଭାତ କୁମାର ମିଶ୍ର, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ନଟବର ଖୁଣ୍ଟିଆ, ଇଞ୍ଜିନିୟର ଗୋପାଳକୃଷ୍ଣ ବେହେରା, ଆଇନଜୀବୀ ଶକ୍ତିଧର ଦାଶ, ଆଇନଜୀବୀ ଦେବସ୍ନାନ ଦାସ, ଡକ୍ଟର ଅର୍ଚ୍ଚନା ନାୟକ, ରତିକାନ୍ତ ମହାପାତ୍ର, ସାବିତ୍ରୀ ଚୌଧୁରୀ, ପୀତାମ୍ବର ମିଶ୍ର, ଶିକ୍ଷାବିତ କୈଳାସ ଚନ୍ଦ୍ର ବରାଳ, ଛାୟାକାନ୍ତ ଦାସ, କୃଷ୍ଣଚନ୍ଦ୍ର ଆଇଚ, ବାସନ୍ତୀ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର