ଜାନକୀ ବାବୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ପାଇଁ ପ୍ରସ୍ତୁତି ବୈଠକ

ପ୍ରତିମୂର୍ତ୍ତି ପ୍ରତିଷ୍ଠାରେ ସରକାରୀ ଅବହେଳାକୁ ସମାଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ୧୪ବର୍ଷ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ ତଥା ୫୦ ବର୍ଷ ଧରି ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଭାଷାକୁ ପ୍ରଭାବିତ କରିଥିବା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାରେ ରାଜ୍ୟ ସରକାର ଯେଉଁ ଅବହେଳା ପ୍ରଦର୍ଶନ କରିଚନ୍ତି, ତାହା ଅକ୍ଷମଣୀୟ। ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଜାନକୀ ବାବୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କମିଟିର ସାଧାରଣ ସଂପାଦକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଆଜି ଏପରି କହିଛନ୍ତି। ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟ୍‌ଠାରେ ଅନୁଷ୍ଠିତ ଏହି ବୈଠକରେ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ। ସେହିପରି ଅନୁଷ୍ଠାନର କୋଷାଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ କହିଛନ୍ତି ଯେ ଯଦି ଆଗାମୀ ଜୟନ୍ତୀ (ଜାନୁଆରି ୩, ୨୦୨୦) ପୂର୍ବରୁ ରାଜ୍ୟ ସରକାର ପ୍ରତିମୂର୍ତ୍ତି ପ୍ରତିଷ୍ଠା ନ କରନ୍ତି, ତେବେ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପୂର୍ବରୁ କଂଗ୍ରେସ ଭବନ ସମ୍ମୁଖରେ କମିଟି ପକ୍ଷରୁ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ। ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ, ଜୀବନବ୍ୟାପୀ ସମାଜସେବା ଓ ଜୀବନବ୍ୟାପୀ ସାମ୍ବାଦିକତା ପାଇଁ କାର୍ଯ୍ୟ କରିଥିବା ୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୧୯’ ପ୍ରଦାନ କରାଯିବ। ଏଥିପାଇଁ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ପୂର୍ବ ନଗରପାଳ ଡାକ୍ତର ଜଗନ୍ନାଥ ମହାପାତ୍ର ଓ ପ୍ରତାପ ଜେନା ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଜ୍ଞାନଦେବ ବେଉରା, ନିରଦ ଖୁଣ୍ଟିଆ, ବାସୁଦେବ ଭଟ୍ଟ, ପ୍ରତାପ ଜେନା, ସନତ ଦାସ, ଜଗନ୍ନାଥ ମହାପାତ୍ର, ଆଲୋକ ମହାନ୍ତି, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ସ୍ମୃତିପ୍ରକାଶ ନନ୍ଦ, ସୁଶାନ୍ତ ପଣ୍ଡା, ସୀତାବଲ୍ଲଭ ମହାପାତ୍ର, ଜ୍ୟୋତିଷ ସାହୁ, ତନୁଜା ରଥ, ସୁବ୍ରତ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ରସିକଚାନ୍ଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର