‘ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ ଅସମ୍ଭବକୁ ସମ୍ଭବ କରିପାରିବ’

ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ

ଖୋର୍ଧା : ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ ହେଲେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବରେ ପରିଣତ କରିହେବ। ସେହିପରି ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଏକ ସାଧାରଣ ପରିବାରରୁ ଜନ୍ମଲାଭ କରି ମଧ୍ୟ ନିଜର କର୍ତ୍ତବ୍ୟ, ନିଷ୍ଠା ଓ ପ୍ରବଳ ଇଚ୍ଛାଶକ୍ତି ଯୋଗୁଁ ସେ ଅସାଧାରଣ ସଫଳତାର ଅଧିକାରୀ ହୋଇପାରିଥିଲେ ବୋଲି ଖୋର୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ଅବସରରେ ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧକ୍ଷ୍ୟ ସୌମ୍ୟ ରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଖୋର୍ଧା ପକ୍ଷରୁ ଅନୁଷ୍ଠିତ ଏହି ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରରେ ଜଣେ ପ୍ରବୀଣ ରାଜନେତା, ଧୂରୀଣ ସାମ୍ବାଦିକ ଓ ସୁନାମଧନ୍ୟ ସାହିତ୍ୟିକ ଥିଲେ। କେନ୍ଦ୍ରମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଭାବେ ସେ ଦକ୍ଷତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଓଡ଼ିଶାର ଅନେକ ଉନ୍ନତି ସାଧନ କରିଛନ୍ତି। ସେ କହିଥିଲେ, ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କ ଜନ୍ମଦିନ ପାଳନରେ ବିଶ୍ୱାସ କରୁ ନଥିଲେ। ତେବେ ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ଆମେ ତାଙ୍କ ଜନ୍ମଦିନ ଉତ୍ସବ ପାଳନ କରୁଛୁ। ତାଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ତାଙ୍କୁ ଭଲ ପାଉଥିବା ଲୋକମାନେ ଆଜି ଏହି ଅନୁଷ୍ଠାନରେ ଏକାଠି ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଉତ୍ତର ଓଡ଼ିଶାର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସୁବାସ ଚନ୍ଦ୍ର ପାତ୍ର, ଅଂଜୁମନ-ଇ- ଇସଲାମିଆର ସଭାପତି ରମଜାନ୍‌ ଖାନ, ହାଜି ନସିମୁଦ୍ଦିନ ଖାନ, ଖୋର୍ଧା ବାର ଆସୋସିଏସନ୍‌ର ସଭାପତି ଶିଶିର କୁମାର ପରିଡ଼ା, ଗୁରୁଚରଣ ପଟ୍ଟନାୟକ ପ୍ରମୁଖ ଏଥିରେ ଭାଷଣ ଦେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ସୁବାସ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୁରୁ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ସମ୍ପାଦକ ସଂଜୟ ପଟ୍ଟନାୟକ, ପଦ୍ମ ଚରଣ ରାୟ, ପ୍ରଦୋଷ ହରିଚନ୍ଦନ, ମହମ୍ମଦ କେଫାତୁଲ୍ଲା, ଶାହାଜାନ ଖାଁ, ଶିଳାଦିତ୍ୟ ପଟ୍ଟନାୟକ, ପ୍ରମୋଦ ପଟ୍ଟନାୟକ, ପ୍ଲାବନ ପଟ୍ଟନାୟକ, ବିଭାସ ମହାପାତ୍ର, ବିଶ୍ୱ ରଂଜନ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ। ପ୍ରଥମେ ଅତିଥିମାନେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଥିବା ମଞ୍ଚକୁ ଫୁଲ, ବେଲୁନ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା।

ସମ୍ବନ୍ଧିତ ଖବର