ନିୟମ ଉଲ୍ଲଂଘନ କରି ଜନ ଶୁଣାଣି ଅଭିଯୋଗ : ୨ ମାସରେ ନିଷ୍ପତ୍ତି ନେବାକୁ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ

କଟକ : କେନ୍ଦୁଝର ଜିଲ୍ଲା ବାଂଶପାଳ ତହସିଲ ଅନ୍ତର୍ଗତ ଫୁଲଝର ଗ୍ରାମରେ ଶିଳ୍ପ ପ୍ରତିଷ୍ଠା ଓ ସଂପ୍ରସାରଣ ପାଇଁ କରାଯାଇଥିବା ଜନ ଶୁଣାଣିକୁ ନେଇ ରହିଥିବା ଅଭିଯୋଗ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ନିଷ୍ପତ୍ତି ନେବେ। ଏହି ପ୍ରସଂଗକୁ ନେଇ ଆବେଦନକାରୀ କରିଥିବା ଅଭିଯୋଗ ଉପରେ ଦୁଇ ମାସ ଭିତରେ ଶୁଣାଣି କରି ସଦସ୍ୟ ସଚିବ ପଦକ୍ଷେପ ଗ୍ରହଣ କରିବେ। ଶୁଣାଣି ସମୟରେ ଆବେଦନକାରୀ ଓ ଅନ୍ୟମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୂଚନା ଅଧିକାରୀ କର୍ମୀ ଶଶିଭୂଷଣ ପଟ୍ଟନାୟକ ଓ ଗୋବିନ୍ଦ ଦେହୁରୀଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଫୁଲଝରରେ ଥିବା ଏକ ଶିଳ୍ପ ସଂସ୍ଥାର ପ୍ରସ୍ତାବିତ କାରଖାନା ସଂପ୍ରାସାରଣ ଓ ନୂଆ କାରଖାନା ପ୍ରତିଷ୍ଠା ପ୍ରସଂଗ ନେଇ ୨୦୧୯, ଫେବ୍ରୁଆରି ୨୮ରେ ବାଂଶପାଳ ଖେଳ ପଡିଆରେ ଜନ ଶୁଣାଣି ହୋଇଥିଲା। କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜନ ଶୁଣାଣିକୁ କେତେକ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ଫୁଲଝରଠାରୁ ୩୦ କି.ମି. ଦୂର ବାଂଶପାଳରେ ଜନଶୁଣାଣି କରାଯାଇଥିବା ବେଳେ ଅଞ୍ଚଳର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଗ୍ରାମବାସୀ ସେଠ‌ାରେ ପହଞ୍ଚିବା ସମ୍ଭବ ନୁହେଁ। ଏଥି ସହିତ ଏପରି ଜନଶୁଣାଣି ନେଇ ପୂର୍ବରୁ ପ୍ରଶାସନ ଓ ବୋର୍ଡ ପକ୍ଷରୁ ଗ୍ରାମବାସୀଙ୍କୁ ଅବଗତ କରାଯାଇ ନଥିଲା। ଫୁଲଝର ପଞ୍ଚାତୟ କାର୍ଯ୍ୟାଳୟ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଏ ନେଇ ପୂର୍ବରୁ ନୋଟିସ୍ ଲଗା ଯାଇ ନଥିଲା ବୋଲି ଅଭିଯୋଗ ହୋଇଥିଲା। ନିୟମ ଉଲ୍ଲଂଘନ କରି ଏପରି ଜନ ଶୁଣାଣି କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର