ଜନାର୍ଦ୍ଦନଙ୍କ ସ୍ଥାବର ସଂପତ୍ତି ୨ କୋଟି

ଖୋର୍ଦ୍ଧା : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ୍‌) ପ୍ରାର୍ଥୀ ଭାବେ ଆଜି ଦଳର ରାଜ୍ୟ ସମ୍ପାଦକ ଜନାର୍ଦ୍ଦନ ପତି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗରିବ, ଖଟିଖିଆ, ଚାଷୀ ଓ ମୂଲିଆଙ୍କ ଦଳ ଭାବେ ପରିଚିତ ଦଳର ପ୍ରାର୍ଥୀ ଜନାର୍ଦ୍ଦନ ନିଜର ନିର୍ବାଚନୀ ସତ୍ୟପାଠରେ ୩୦ ଲକ୍ଷ ୭୧ ହଜାର ଟଙ୍କାର ଅସ୍ଥାବର ଓ ୨ କୋଟି ୧୬ଲକ୍ଷ ୧୧ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ଦର୍ଶାଇଥିବାବେଳେ ଏଥିରେ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନଙ୍କ ନାମରେ କୌଣସି ସମ୍ପତ୍ତି କଥା ଦର୍ଶାଇନାହାନ୍ତି। ସତ୍ୟପାଠରେ, ଜନାର୍ଦ୍ଦନଙ୍କ ବିଭିନ୍ନ ବ୍ୟାଙ୍କ ଜମା ଖାତା, ସ୍ଥାୟୀ ଜମା, ବୀମା ଯୋଜନା ଆଦି ମିଶାଇ ୧୬ଲକ୍ଷ ୬୭ହଜାର ୪୨୩ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କ ୧ଲକ୍ଷ ୬୦ହଜାର ଟଙ୍କା ସୁନା ଗହଣା ମିଶାଇ ୧୪ଲକ୍ଷ ୪ହଜାର ୧୩୦ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ଦର୍ଶାଇଛନ୍ତି।

କଟକରେ ନିଜ ନାମରେ ୪୭ ଡେସିମଲର ୩ଟି ପ୍ଲଟ୍‌ ଏବଂ କଟକ ଇମାମ୍‌ନଗରରେ ପତ୍ନୀଙ୍କ ନାମରେ ୩୯ ଡେସିମଲର ଗୋଟିଏ ପ୍ଲଟ୍‌ ରହିଛି। ସେହିଭଳି ପାହଳ ଓ ସିପସରୁବାଲିରେ ତାଙ୍କ ପତ୍ନୀଙ୍କ ନାମରେ ୫୧୦୦ ବର୍ଗଫୁଟର ଦୁଇଟି ପ୍ଲଟ୍‌ ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ୨୪୦୦ ବର୍ଗଫୁଟ୍‌ର ଗୋଟିଏ ପ୍ଲଟ୍‌ ରହିିଛି। ଜନାର୍ଦ୍ଦନ ତାଙ୍କ ମୋଟ ସ୍ଥାବର ସମ୍ପତ୍ତିର ବର୍ତମାନର ବଜାର ମୂଲ୍ୟ ୧୩ ଲକ୍ଷ ୬୫ ହଜାର ଥିବା ଦର୍ଶାଇଥିବା ବେଳେ ପତ୍ନୀଙ୍କ ନାମରେ ଥିବା ମୋଟ ସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ୧କୋଟି ୯୨ଲକ୍ଷ ୫୦୦ଟଙ୍କା ବୋଲି ଦର୍ଶାଇଛନ୍ତି। ଏହା ସହ କୌଣସି ବ୍ୟାଙ୍କରୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ନିକଟରୁ ଋଣ କରି ନଥିବା ଦର୍ଶାଇଛନ୍ତି। ଜନାର୍ଦ୍ଦନ ପତି ୨୦୧୭–୧୮ ଆର୍ଥିକ ବର୍ଷରେ ନିଜର ଆୟ ୪ଲକ୍ଷ ୫୮ହଜାର ୭୨୦ ଟଙ୍କା ଥିବା ଦର୍ଶାଇଥିବା ବେଳେ ନିଜ ପତ୍ନୀଙ୍କ ଆୟ ୨୦୧୭ରୁ ୨୦୧୯ ମଧ୍ୟରେ ୪ଲକ୍ଷ ୫୦ ହଜାର ୩୬୦ଟଙ୍କା ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର