ଓଡ଼ିଶାରେ ପୁଞ୍ଜି ଖଟାଇବ ଜାପାନ: ନବୀନ-ଧର୍ମେନ୍ଦ୍ର-ଜାପାନ ରାଷ୍ଟ୍ରଦୂତଙ୍କ ତ୍ରିପାକ୍ଷିକ ଆଲୋଚନା

ଭୁବନେଶ୍ବର ଉପକଣ୍ଠରେ ଶିଳ୍ପ କରିଡର କଲେ ସରକାର ସବୁ ସୁବିଧା ଦେବେ
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ସହଯୋଗୀ ହେବା ପାଇଁ ଜାପାନକୁ ପ୍ରସ୍ତାବ

ଭୁବନେଶ୍ବର : ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ। ଇସ୍ପାତ ଓ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଏଭଳି ବଡ଼ ଧରଣର ନିଷ୍ପତ୍ତି ସାମ୍ନାକୁ ଆସିଛି। ୨୦୨୦ େମକ୍ ଇନ୍ ଓଡ଼ିଶା ବର୍ଷ ପରିପ୍ରେକ୍ଷୀରେ ଆଜିର ଆଲୋଚନାକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି। ରାଜନୈତିକ ଦୃଷ୍ଟିକୋଣରୁ ଆଜିର ବୈଠକକୁ ସ୍ବାଭାବିକ ବୋଲି କୁହାଯାଇ ନପ‌ାରେ। ଦିଲ୍ଲୀରେ ପୋସ୍କୋ ସିଏମ୍‌ଡିଙ୍କ ସହିତ ଆଲୋଚନାର ୨୪ ଘଣ୍ଟ‌ା ଭିତରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନ ପ୍ରତିନିଧି ଦଳ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା ଏବେ ଚର୍ଚାର ବିଷୟ ହୋଇଛି।

ଆଜି ସନ୍ଧ୍ୟାରେ ହୋଇଥିବା ଏହି ତ୍ରିପାକ୍ଷିକ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଦେଶରେ ଓଡ଼ିଶା ସବୁଠାରୁ ଅଧିକ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ। ଓଡ଼ିଶାରେ ଇସ୍ପାତ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସରକାର ଏ କ୍ଷେତ୍ରରେ ମୂଲ୍ୟଯୁକ୍ତ ପୁଞ୍ଜିନିବେଶ ଉପରେ ଗୁରୁତ୍ବ ଦେଉଛନ୍ତି। ଏହାବ୍ୟତୀତ ଅଟୋମୋବାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ ଓ ପେଟ୍ରୋ କେମିକାଲ୍ସ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଜାପାନୀ ପ୍ରତିନିଧି ଦଳଙ୍କୁ ପ୍ରସ୍ତାବ ଦେଇଥିଲେ।

ସେମାନଙ୍କୁ ଓଡ଼ିଶା ପ୍ରତି ଆକର୍ଷଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହୁରି ଏକ ବଡ଼ ପ୍ରସ୍ତାବ ଦେଇ କହିଥିଲେ ଯେ ଭୁବନେଶ୍ବର ଉପକଣ୍ଠରେ ଜାପାନ ଶିଳ୍ପ କରିଡର ସ୍ଥାପନ କରୁ। ରାଜ୍ୟ ସରକାର ସମସ୍ତ ସୁଯୋଗ ଓ ସହାୟତା ପ୍ରଦାନ କରିବେ। ମେକ୍-ଇନ୍ ଓଡ଼ିଶା ୨୦୨୦ରେ ଜାପାନ ସହଯୋଗୀ ହେବା ପାଇଁ ରାଷ୍ଟ୍ରଦୂତ ସୁଜୁକିଙ୍କୁ ନବୀନ ଅନୁରୋଧ କରିଥିଲେ। ଏହାଦ୍ବାରା ଉଭୟଙ୍କ ମଧ୍ୟରେ ସଂପର୍କ ବଢିବ ଓ ଆସନ୍ତା ଦିନରେ ଓଡ଼ିଶାରେ ଅଧିକ ଶିଳ୍ପ ସ୍ଥାପନ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇପାରିବ।

ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଆର୍ସେଲର ମିତଲ ପ୍ଲାଣ୍ଟ୍‌ରେ ନିପନ ଷ୍ଟିଲ୍ ବଡ ସହଯୋଗୀ ହୋଇଛି। ଏହାସହ ଜାପାନର ଇସ୍ପାତ୍ କମ୍ପାନି ଜେଏଫଇ ଜେଏସଡବ୍ଲୁ ସହ ସହଭାଗୀ ହୋଇଛି। ଓଡିଶାର ଇସ୍ପାତ୍ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ୍ କମ୍ପାନି ଜେଏଫ୍‌ଇ ଏବଂ ନିପନ ବଡ ଧରଣର ପୁଞ୍ଜିନିବେଶ କରିବେ।

ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ମିସନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ। ଏହାସହ ଏହି ମିସନରେ ଓଡିଶାର କଳିଙ୍ଗ ନଗରର ବିକାଶ କରାଯାଇପାରିବ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ୍ ଶିଳ୍ପର ପେଣ୍ଠସ୍ଥଳି ଭାବେ ଗଢିତୋଳିବା ଲକ୍ଷ୍ୟ ରହିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ।

ଆଗାମୀ ଦିନରେ ଦେଶରେ ଇସ୍ପାତ୍ ଉତ୍ପାଦନକୁ ୧୪୦ନିୟୁତ ଟନ୍‌ରୁ ୩୦୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି। ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରୁ ଓଡିଶାରୁ ସିଂହ ଭାଗ ରହିବ। ଇସ୍ପାତ ସହ ଜଡିତ ଶିଳ୍ପର ସଂପ୍ରସାରଣ ଓଡିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହ ରୋଜଗାର ବଢିବ। ଏଥିପାଇଁ ଜାପାନକୁ ଏକ ସହଯୋଗୀ ପାର୍ଟନର ଭାବେ ନେବା ମୂଳ ଉଦ୍ଦେଶ୍ୟ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଆଜିର ଆଲୋଚନା ରାଜ୍ୟରେ ବେକାରୀ ସମସ୍ୟାକୁ କମାଇବାରେ ମଧ୍ୟ ସହାୟକ ହେବେ। ଏହାଛଡ଼ା ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପ୍ରଚୁର ଭିତ୍ତିଭୂମି ରହିଛି। ଯାହା ଏ କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ବାଟ ଖୋଲିବ।

ଜାପାନ ରାଷ୍ଟ୍ରଦୂତ ସନ୍ତୋଷୀ ସୁଜୁକୀ କହିଥିଲେ ଯେ ବଡ଼ ଇସ୍ପାତ ଶିଳ୍ପ ପାଇଁ ଓଡ଼ିଶାରେ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସେ ଜାପାନର ବଡ଼ କମ୍ପାନିଙ୍କ ସହ ଆଲୋଚନା କରିବେ। ଇସ୍ପାତ ଶିଳ୍ପ ବ୍ୟତୀତ ଓଡ଼ିଶାରେ ପର୍ଯ୍ୟଟନର ପ୍ରଚୁର ସମ୍ଭାର ରହିଛି। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜାପାନ ସରକାର ଆଗ୍ରହୀ ଅଛନ୍ତି। ଉଭୟ ସରକାରଙ୍କ ସହଭାଗୀତା ରହିଲେ ଏ କ୍ଷେତ୍ରରେ ବି ପୁଞ୍ଜିନିବେଶ ହୋଇପାରିବ ବୋଲି ସୁଜୁକୀ କହିଥିଲେ।

ଆଜିର ଆଲୋଚନାରେ ଓଡିଶାରେ ଥିବା ବିଭିନ୍ନ ସୁବିଧାର ବିସ୍ତୁତ ବିବରଣୀ ଜାପାନର ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯାଇଥିଲା। କେବଳ ପର୍ଯ୍ୟଟନ, ଇସ୍ପାତ୍ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ, ପେଟ୍ରୋକେମିକାଲ କ୍ଷେତ୍ରରେ ବ୍ୟାପକ ଆଲୋଚନା କରି ଜାପାନ ଓ ଭାରତ ସରକାରଙ୍କ ସହଯୋଗରେ ଓଡିଶାର ବିକାଶ କରାଯାଇପାରିବ ବୋଲି ମତପ୍ରକାଶ ପାଇଥିଲା।

ଆଜିର ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ଆଜି ଜାପାନ ରାଷ୍ଟ୍ରଦୂତ ଧଉଳି ଶାନ୍ତିସ୍ତୂପ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର