୨ବର୍ଷ ପୂରିଲା ଜାପାନୀ ଜ୍ୱର ମହାମାରୀକୁ : ପକ୍କାଘର ଦେବାକୁ ଭୁଲିଗଲେ

ମାଲକାନଗିରି : ଠିକ୍‌ ଦୁଇ ବର୍ଷ ତଳେ ମହାମାରୀ ଜାପାନୀ ଜ୍ୱର ମାଲକାନଗିରି ଜିଲ୍ଲାର ଗାଁରୁ ଗାଁ ବ୍ୟାପିଥିଲା। ଶହେରୁ ଊର୍ଧ୍ୱ ଶିଶୁଙ୍କୁ ମା’ କୋଳରୁ ଛଡ଼ାଇ ନେଲା। ସରକାରୀ ଭାବେ କୁହାଗଲା ଜେଇରେ ୩୪ଜଣ ଏବଂ ଏଇଏସରେ ୬୯ଜଣ ପ୍ରାଣ ହରାଇଥିଲେ। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ଦେଢ଼ ଶହରୁ ଊର୍ଧ୍ୱ ହେବ। ତେଣୁ ସଡ଼କରୁ ବିଧାନସଭା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ପ୍ରବଳ ହୋହଲ୍ଲା ହେଲା। ଶେଷରେ ୨୦୧୬ ଡିସେମ୍ବର ମାସ ୨୪ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ପାଦ ମାଲକାନଗିରିରେ ପଡ଼ିଲା। ଜାପାନୀ ଜ୍ୱରରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ୩ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ପକ୍କାଘର ଯୋଗାଇ ଦେବାକୁ ଘୋଷଣା କଲେ।

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପାଖାପାଖି ୨ବର୍ଷ ବିତିଗଲାଣି। ସରକାରୀ ରେକର୍ଡରେ ଜାପାନୀ ଜ୍ୱରରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ପରିବାର ଅନୁକମ୍ପା ମୂଳକ ସହାୟତା ରାଶି ପାଇ ସାରିଛନ୍ତି। କିନ୍ତୁ ପକ୍କା ଘର ଏପର୍ଯ୍ୟନ୍ତ ଜଣେ ବି ପରିବାର ପାଇ ନାହାନ୍ତି। ଏବେ ବି ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି ସନ୍ତାନ ହରାଇଥିବା ବହୁ ଦଂପତି। ସେହିପରି ଦୁର୍ଗମ ଅଞ୍ଚଳରୁ ମେଡିକାଲ ଆସିନପାରି ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ନା’ ପାଇଲେ ସହାୟତା ନା’ ସହାନୁଭୂତି। ପୂର୍ବ ଭଳି ଘୁଷୁରି ଚାଷ କରୁଛନ୍ତି।

ନିୟମିତ ଭାବେ ଶିଶୁଙ୍କୁ ଟୀକା ଦିଆଯାଉଥିବାରୁ ଏବେ ଆଉ ଜାପାନୀ ଜ୍ୱରର ଭୟ ନାହିଁ। କିନ୍ତୁ ସନ୍ତାନଙ୍କୁ ହରାଇ ଥିବା ଶତାଧିକ ପରିବାରଙ୍କ କ୍ଷତ ଏପର୍ଯ୍ୟନ୍ତ ଭରି ନାହିଁ। ଦରିଗୁଡା ଗ୍ରାମର ଜଗା କାବାସି ଓ ରାଜେ କାବାସିଙ୍କ କହିବା ହେଲା ମେଡିକାଲ ନେବା ବାଟରେ ଗୋଟିଏ ବୋଲି ପୁଅର ମୃତ୍ୟୁ ହୋଇଥିଲା। ତେଣୁ ରାସ୍ତାରୁ ଘରକୁ ଫେରି ଆସିଥିଲୁ। ଯାହାଫଳରେ ସରକାରୀ ରେକର୍ଡରେ ତାଙ୍କ ପୁଅର ମୃତ୍ୟୁ ସଂପର୍କରେ କୌଣସି ତଥ୍ୟ ନାହିଁ। ଏଥିପାଇଁ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। କେବଳ କାବାସି ଦଂପତି ନୁହଁନ୍ତି ବାହାର ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ବି ସରକାରୀ ସହାୟତା ପାଇବାରୁ ସଂପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ସେହିପରି ଜଗା ମାଡକାମୀ, ମୁକେ ମାଡକାମୀ, ସୁଦର୍ଶନ ପଡିଆମି, ଇଙ୍ଗା ମାଡକାମି ପ୍ରମୁଖ ୩ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ ବି ପକ୍କାଘର ଏପର୍ଯ୍ୟନ୍ତ ମିଳି ନଥିବା କହିଛନ୍ତି। ଅନ୍ୟପକ୍ଷରେ ଗାଁ ଗହଳିରେ ଏବେ ବି ପରିମଳ ବ୍ୟବସ୍ଥା ବିପର୍ଯ୍ୟନ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ପୂର୍ବଭଳି ଆଉ ଲୋକଙ୍କୁ ସଚେତନ କରିବାକୁ ବି ପ୍ରଶାସନ ଭୁଲି ଯାଇଛି। ତେଣୁ ଯେଉଁଥି ପାଇଁ ଏହି ରୋଗ ବ୍ୟାପିଥିଲା ତାହାଠାରୁ ଦୂରେଇ ପରିବର୍ତେ ଲୋକେ ତାହାର ଆହୁରି ନିକଟତର ହେଉଛନ୍ତି। ବଣଚାକୁଣ୍ଡା ଏବେ ବି ସେମାନଙ୍କ ପ୍ରିୟ ଖାଦ୍ୟ ଭାବେ ପରିଗଣିତ ହେଉଛି।

ପକ୍କାଘର ଏବଂ କ୍ଷତିପୂରଣ ସଂପର୍କରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ଵାଲଙ୍କୁ ଯୋଗାଯୋଗ କରିବାରୁ ସେ ଅନୁଧ୍ୟାନ କରିବା ପରେ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ। ଏପିଡି ମାନସ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସରକାରୀ ରେକର୍ଡରେ ମୃତ୍ୟୁବରଣ କରିଥିବା ଶିଶୁଙ୍କୁ ପରିବାରକୁ ଆର୍ଥିକ ଅନୁକମ୍ପା ପ୍ରଦାନ କରାଯାଇଛି। ପକ୍କାଘର ସଂପର୍କରେ ସରକାରଙ୍କ ତରଫରୁ କିଛି ନିର୍ଦେଶ ମିଳି ନଥିବା ନେଇ ପ୍ରକାଶ କରିଛନ୍ତି। ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶୁଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀ କ’ଣ ଘୋଷଣା କରିଥିଲେ ତାହାର ଅନୁଧ୍ୟାନ କରିବା ପରେ ହିଁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର