ଜେଇ ଟିକା ପାଇଁ ସହଯୋଗ କରୁ ନାହାନ୍ତି ବେସରକାରୀ ସ୍କୁଲ

୫ ମହାନଗର ନିଗମ ଓ ୧୩ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ଗତ ମାସ ୨୭ତାରିଖରୁ ରାଜ୍ୟରେ ଜାପାନିଜ୍‌ ଏନ୍‌ସାଫାଇଲିଟିସ୍‌ ବା ଜେଇ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ମାତ୍ର ରାଜ୍ୟର କେତେକ ବେସରକାରୀ ସ୍କୁଲ ଜେଇ ଟିକାକରଣ ଅଭିଯାନରେ ସହଯୋଗ କରୁ ନ ଥିବା ନଜରକୁ ଆସିଛି। ବିଶେଷକରି ଅଭିଭାବକମାନେ ନିଜ ପିଲାଙ୍କୁ ଜେଇ ଟିକା ପ୍ରଦାନ ନେଇ ଅନିଚ୍ଛା ଜାହିର କରୁଛନ୍ତି। ତେଣୁ ଟିକାକରଣ ଅଭିଯାନରେ ସାମିଲ ହେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ୫ ମହାନଗର ନିଗମ ଓ ୧୩ ଜିଲ୍ଲାର ପିଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଜେଇ ଟିକାକରଣ ଏକ ଜନସ୍ୱାସ୍ଥ୍ୟ ଆବଶ୍ୟକତା। ଯାହାକି ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କରାଯାଉଛି। ଏ ନେଇ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରଙ୍କୁ ନିଶ୍ଚିତ ଟିକା ପ୍ରଦାନ କରାଯିବା ଆବଶ୍ୟକ। ଏଥିପାଇଁ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ନିର୍ଦ୍ଦିଷ୍ଟ ସହମତିର ଆବଶ୍ୟକତା ନାହିଁ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କ ପିଲାଙ୍କୁ ଜେଇ ଟିକା ନ ଦେବା ପାଇଁ କୌଣସି ପିଲାଙ୍କ ପିତାମାତା କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇବେ ତେବେ ସେ କ୍ଷେତ୍ରରେ ଟିକାଦାନ କରାଯାଇ ନ ପାରେ। ମାତ୍ର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଏହି ଟିକାକରଣ ସଂପର୍କରେ ଅବଗତ କରାଯିବ।

ଏଥିପାଇଁ ସେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମର କମିସନର ସହିତ ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼, ଖୋର୍ଧା ଓ ସୋନପୁରର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଅପରପକ୍ଷରେ ଗତ ୨୭ତାରିଖରୁ ଆରମ୍ଭ ହୋଇଥିବା ଏହ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୩ଲକ୍ଷ ୯୪ହଜାର ୫୬୭ ଶିଶୁଙ୍କୁ ଜେଇ ଟିକା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର