ଜଗା-ବଳିଆଙ୍କୁ ନୂଆ ଜୀବନ ଦେବା ପଛର ଅସଲ ବିନ୍ଧାଣୀ ଜାପାନୀ ଡାକ୍ତର କାସୁମୀ ଟାକିଜାୱା, ବିନା ପାରିଶ୍ରମିକରେ କରିଥିଲେ ୨୦ ଘଣ୍ଟାର ଅସ୍ତ୍ରୋପଚାର

ଭୁବ‌େନଶ୍ବର : କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ପଛରେ ଥିବା ଅସଲ ବିନ୍ଧାଣୀ ଏବେ ଲୋକ ଲୋଚନକୁ ଆସିଛନ୍ତି । ସେ ହେଉଛନ୍ତି ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ଜାପାନର ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର କାସୁମୀ ଟାକିଜାୱା। ଏହି ବିଶେଷଜ୍ଞ ଜଣଙ୍କ ବିନା ପାରିଶ୍ରମିକରେ ୨୦ଘଣ୍ଟାରୁ ଅଧିକ ସମୟ ଧରି ନଖାଇ ନପିଇ ଅସ୍ତ୍ରୋପଚାର କାର୍ଯ୍ୟରେ ଲାଗିଥିଲେ। ୨୦୧୭ ଅଗଷ୍ଟ ୨୮ ତାରିଖରେ ଦିଲ୍ଲୀର ଏମ୍ସରେ ଏହି ଯୋଡାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ପ୍ରାୟ ୨୫ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା।

ଆର୍ନ୍ତଜାତିକ ଖ୍ୟାତିସମ୍ପନ୍ନ ସ୍ନାୟୁଶଲ୍ୟ ବିଶେଷଜ୍ଞ ଜାପାନର ପ୍ରଫେସର କାସୁମି ଟାକିଜାୱା ଏହି ଅସ୍ତ୍ରୋପଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ଭାସ୍କୁଲାର ଭେନ୍ସ ଆନାଷ୍ଟୋମୋସିସ୍ ୍ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଫେସର ଟାକିଜାୱା ଜାପାନିଜ୍ େରଡକ୍ରସ ଆସିକାୱା ହସ୍ପିଟାଲର ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଓ ସେ ହୋକାଇଡୋରେ ରୁହନ୍ତି ।

ବ୍ରେନ ଭାସ୍କୁଲାର ବାଇପାସ୍ ସର୍ଜରି କ୍ଷେତ୍ରରେ ସମଗ୍ର ବିଶ୍ୱରେ ସେ ଜଣେ ଜଣାଶୁଣା। ତାଙ୍କ ତତ୍ତ୍ବାବଧାନରେ ଅନେକ ସ୍ନାୟୁଶଲ୍ୟ ବିଶେଷଜ୍ଞ ସୃଷ୍ଟି ହୋଇଛନ୍ତି। ଭାସ୍କୁଲାର ବାଇପାସ୍ କିମ୍ବା ବ୍ରେନ ବ୍ଲଡ ଭେସଲ୍ସ ବାଇପାସ୍ ଅସ୍ତ୍ରୋପଚାର ଅତ୍ୟନ୍ତ ସୂକ୍ଷ୍ମ ଓ ଜଟିଳ। ଟିକିଏ ଏପଟ ସେପଟ ହୋଇଗଲେ ରୋଗୀର ସାଂଘାତିକ କ୍ଷତି ହେବାର ଆଶଙ୍କା ଥାଏ। ରୋଗୀର ସବୁଠାରୁ ବଡ ପ୍ରତିକୂଳ ଅବସ୍ଥାରେ ଏହି ଅସ୍ତ୍ରୋପଚାର ହୋଇଥାଏ। ହାର୍ଟ ବାଇପାସ୍ ସର୍ଜରି ତୁଳନାରେ ଭାସ୍କୁଲାର ବାଇପାସ୍ ସର୍ଜରି ଅଧିକ ବିପଦପୂର୍ଣ୍ଣ । ମସ୍ତିଷ୍କରେ ଥିବା ରକ୍ତକଣିକାର ଆକୃତି ଏକ ମିଲିମିଟରରୁ କମ୍ ରହିଥିବା ବେଳେ ସେଥିରେ ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କୁ ଠିକଣା ଭାବେ କାମ କରିବାକୁ ପଡେ।

ଜଗା-ବଳିଆଙ୍କ ମୁଣ୍ଡରେ ଗୋଟିଏ ମାତ୍ର ଭେନସ୍ ଚ୍ୟାେନଲ୍ ଥିଲା। ଏହାକୁ ପୃଥକ କରିବା ସହଜସାଧ୍ୟ ନଥିବାରୁ ବହୁ ବିଚାର ବିମର୍ଶ ପରେ ପ୍ରଫେସର ଟାକିଜାୱାଙ୍କୁ ଦିଲ୍ଲୀ ଏମ୍ସକୁ ଏହି ଅସ୍ତ୍ରୋପଚାର ପାଇଁ ନିମନ୍ତ୍ରଣ କରାଯାଇଥିଲା ଏବଂ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସେ ଦିଲ୍ଲୀ ଆସିଥିଲେ। ଏଠାରେ ଉଲ୍ଲେଖନୀୟ ଯେ ଯୋଡାମୁଣ୍ଡକୁ ପୃଥକ କରିବାପରେ ଶିଶୁ ଦୁଇଜଣଙ୍କର ମସ୍ତିଷ୍କରେ ଥିବା ସୂକ୍ଷ୍ମ ଶିରା ଗୁଡିକୁ ଯୋଡେଇ କରିବା ଅତ୍ୟନ୍ତ ଜଟିଳ ଏବଂ ଏ କ୍ଷେତ୍ରରେ ପ୍ରଫେସର ଟାକିଜାୱାଙ୍କ ଦକ୍ଷତା ରହିଛି। ଏହି ଅସ୍ତ୍ରୋପଚାର ସକାଳ ୮ଟାରୁ ଆରମ୍ଭ ହୋଇ ପରଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ପ୍ରଫେସର ଟାକିଜାୱା ୨୦ଘଣ୍ଟାରୁ ଅଧିକ ସମୟ ଧରି ଅସ୍ତ୍ରୋପଚାର କାର୍ଯ୍ୟରେ ବ୍ୟସ୍ତ ଥିଲେ ଏବଂ ଖାଦ୍ୟ ତ ଦୂରର କଥା ଟୋପାଏ ପାଣି ବି ପିଇନଥିଲେ । ଏତେ ସମୟ ଧରି କାର୍ଯ୍ୟ କରିବାପରେ ଏହି ଜାପାନୀ ପ୍ରଫେସର ଜଣଙ୍କ ଟିକିଏ ବି ବିଶ୍ରାମ ନନେଇ ଏମ୍ସର ଛାତ୍ରଛାତ୍ରୀମାନଙ୍କୁ ଏକ ସେମିନାରରେ ପାଠ ପଢାଇଥିଲେ। ଏହି ଅସ୍ତ୍ରୋପଚାର ପାଇଁ ପ୍ରଫେସର ଟାକିଜାୱା ପଇସାଟିଏ ହେଲେ ପାରିଶ୍ରମିକ ନେଇ ନାହାନ୍ତି। କେବଳ ତାଙ୍କ ଯାତାୟତ ଓ ରହିବା ବ୍ୟବସ୍ଥା ଏମ୍ସ କର୍ତୃପକ୍ଷ କରିଥିଲେ।

ସେରିେବ୍ରା ଭାସ୍କୁଲାର ସୋସାଇଟି ଅଫ୍ ଇଣ୍ଡିଆର ୧୯ତମ ବାର୍ଷିକ କଂଗ୍ରେସ ଭୁବନେଶ୍ୱରରେ ଗତ ତିନିଦିନ ଧରି ଚାଲିଛି। ଏଥିରେ ବିଶେଷଜ୍ଞମାନଙ୍କୁ ଉଦବୋଧନ ଦେବାପାଇଁ ପ୍ରଫେସର ଟାକିଜାୱାଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା। ତେବେ ବିଶେଷ କାରଣ ଯୋଗୁଁ ସେ ଆସିପାରି ନଥିଲେ ମଧ୍ୟ ଜଗାବଳିଆଙ୍କ ବିରଳ ଅସ୍ତ୍ରୋପଚାର ସଂକ୍ରାନ୍ତରେ ତାଙ୍କ ବକ୍ତବ୍ୟ କିନ୍ତୁ ଉପସ୍ଥିତ ପ୍ରତିନିଧିମାନଙ୍କୁ ଜାପାନରୁ ୱେବ କନ୍ଫରେନ୍ସ ମାଧ୍ୟମରେ ଶୁଣାଇବା ସହିତ ଏହି ଅସ୍ତ୍ରୋପଚାରର ଭିଡିଓ ମଧ୍ୟ ଦେଖାଇଛନ୍ତି। ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ ଏହି ବିରଳ ସଫଳତା ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ତାଙ୍କ ପକ୍ଷରୁ ଜାପାନର ହୁଜିତା ହେଲ୍ଥ ୟୁନିଭରସିଟିିର ପ୍ରଫେସର ଡକ୍ଟର ହିରୋତୋସି ସାନୋ ଏହା ଗ୍ରହଣ କରିଛନ୍ତି । ଏ ପରିପ୍ରେକ୍ଷୀରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଫେସର ଟାକିଜାୱାଙ୍କୁ ଓଡିଶାକୁ ଆମନ୍ତ୍ରଣ କରି ସମ୍ବର୍ଧିତ କରିବାପାଇ ଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।

ସମ୍ବନ୍ଧିତ ଖବର