ବାଘୁଣୀ ‘ସୁନ୍ଦରୀ’କୁ ଧରିବା ସାହାଯ୍ୟ କରିଥିବା ହାତୀ ‘ଯଶୋଦା’  ମାରିଲା ମଣିଷ

ଅନଗୁଳ:  ମଧ୍ୟପ୍ରଦେଶରୁ ଆସି ଅନୁଗୁଳର ସାତକୋଶିଆ ଜଙ୍ଗଲରେ ପହଞ୍ଚିବାର କିଛି ଦିନ ପରେ ବଦନାମ ହେଲା ଜଙ୍ଗଲରାଣୀ ‘ସୁନ୍ଦରୀ’।  ମଣିିଷମରା ବାଘୁଣୀର ଅପବାଦ ନେଇ ଜଙ୍ଗଲରେ ଛପି ରହିଥିବା  ସୁନ୍ଦରୀକୁ ଠାବ କରିବା, ଟ୍ରାଙ୍କୁଲାଇଜ୍‌ କରିବା କଷ୍ଟକର ହେବାରୁ ଶେଷରେ କୁମ୍‌କୀ ହାତୀ ‘ଯଶୋଦା’ର ସହାୟତା ନିଆଗଲା। ଯଶୋଦା ୫ ଦିନ ଧରି ତା ପିଠରେ ନିଶ୍ଚେତକମାନଙ୍କୁ ଧରି ସାତକୋଶିଆ ଜଙ୍ଗଲରେ ଘୁରି ବୁଲିଲା। ଶେଷରେ ଯଶୋଦାର ଉଦ୍ୟମ ସଫଳ ହେଲା।  ବନବିଭଗେର ବିଶେଷଜ୍ଞମାନେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ଏନ୍‌କ୍ଲୋଜର ଭିତରେ ରଖିବାରେ ସକ୍ଷମ ହେଲେ। ତେବେ ଯେଉଁ ମଣିଷମରା ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ କୁମ୍‌କୀ ହାତୀ ‘ଯଶୋଦା’କୁ ବ୍ୟବହାର କରିଥିଲେ, ସେହି ଯଶୋଦା ଏବେ ମଣିଷମରା ଅପବାଦ ପାଇଛିି। ଆଜି ସକାଳେ ଯଶୋଦା  ଜଣେ ଯୁବକଙ୍କୁ ପାଦରେ ଦଳି ମାରି ଦେଇଛି। ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ଅର୍ଥାତ  ଗତ ୬ ତାରିଖ ଦିନ ସାତକୋଶିଆର ମଝିପଡ଼ା ଜଙ୍ଗଲରେ କୁମକୀ ହାତୀ ‘ଯଶୋଦା’  ପିଠିରୁ  ବନବିଭାଗର ନିଶ୍ଚେତକମାନେ ବାଘୁଣୀ‘ ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥଲେ। ତା ପରେ ହାତୀ ଯଶୋଦା ମଧ୍ୟ ପ୍ରଶଂସାର ପାତ୍ରୀ ହୋଇଥିଲା। ତେବେ ଆଜି ଯଶୋଦାକୁ ନେଇ ଏକ ଅଘଟଣ ଘଟିଯାଇଛି। ଯଶୋଦା ସହାୟତାରେ  ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ଯଶୋଦାକୁ  ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ବାନ୍ଧିି ରଖାଯାଇଥିଲା। ତେବେ ଆଜି ସକାଳୁ ସେହି ମୁଣ୍ଡାସାହିର ସୁଦର୍ଶନ ପ୍ରଧାନ(୪୫ ବର୍ଷ) ନାମକ ଜଣେ ଯୁବକ ଯଶୋଦା ପାଖକୁ ଚାଲିଯିବାରୁ ଯଶୋଦା ସୁଦର୍ଶନଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ତାଙ୍କ ମୁଣ୍ଡକୁ ପାଦରେ ଦଳି ଦେଇଥିବା ସୂଚନା ମିଳିଛି। ତେବେ ଏ ନେଇ ଅଧିକାରୀସ୍ତରରେ କୌଣସି ସୂଚନା ମିଳି ନ ଥଲେ  ମଧ୍ୟ ଘଟଣାସ୍ଥଳକୁ ପୁଲିସ ଓ ବନବିଭାଗର ଅଧିକାରୀମାନେ ଯାଇ ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର