ଜଟଣୀ ଶିଶୁ ଦୁଷ୍କର୍ମ-ହତ୍ୟା ମାମଲା : ରେଡ୍‌ ଫ୍ଲାଗ୍‌ ତାଲିକାଭୁକ୍ତ ହେଲା

ହତ୍ୟା ମାମଲା ଖୁବ୍‌ଶୀଘ୍ର ହେବ ଚାର୍ଜସିଟ୍‌: ପୁଲିସ କମିସନର, ବାପାକୁ ଥାନାରେ ଆକ୍ରମଣ କରି ପୂର୍ବତନ ସରପଞ୍ଚ ଗିରଫ

ଭୁବନେଶ୍ୱର : ଜଟଣୀ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଗୁରୁତର ସହ ନେଇଛି କମିସନରେଟ୍‌ ପୁଲିସ। ଏହି ମାମଲାକୁ ରେଡ୍‌ ଫ୍ଲାଗ୍‌ ତାଲିକାଭୁକ୍ତ କରାଯାଇଛି। ଖୁବ୍‌ଶୀଘ୍ର ଚାର୍ଜସିଟ୍‌ ଦାଖଲ କରାଯିବା ସହ କିଭଳି କଠୋର ଦଣ୍ଡବିଧାନ ହୋଇପାରିବ ସେ ନେଇ କମିସନରେଟ୍‌ ପୁଲିସ ଉପଯୁକ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରିବ। ଘଟଣାସ୍ଥଳରୁ ସଂଗୃହୀତ ହୋଇଥିବା ରକ୍ତ ନମୁନାର ଡିଏନ୍‌ଏ ଟେଷ୍ଟ କରାଯିବ। ଏଥିପାଇଁ ଡିଏନ୍‌ଏ ବିଶେଷଜ୍ଞ ଘଟଣାସ୍ଥଳରୁ ଡିଏନ୍‌ଏ ପ୍ରୋଫାଇଲିଂ କରି ସାରିଛନ୍ତି। ମାମଲାର ତଦାରଖ ସହ ତଦନ୍ତରେ ଯେମିତି କେଉଁଠି ତ୍ରୁଟି ରହି ନ ଯାଏ ତାହା ଅନୁଧ୍ୟାନ କରିବା ପାଇଁ ଜଣେ ଅତିରିକ୍ତ ଡିସିପି ଓ ଜଣେ ଅତିରିକ୍ତ କମିସନରଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହିତ ତଦନ୍ତ କିଭଳି ତ୍ବରାନ୍ବିତ ହେବ ସେ ନେଇ ତୀକ୍ଷ୍ଣ ଦୃ‌ଷ୍ଟି ଦିଆଯାଉଛି ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ଏହା ଏକ ଜଘନ୍ୟ ଅପରାଧ। ରକ୍ତ ନମୁନା ଅନେକ ସମୟରେ‌ ଅନେକ ଲୋକଙ୍କ ସହ ମିଶିଯାଉଥିବାରୁ ଅଭିଯୁକ୍ତ ଖସି ଯିବାକୁ ସୁଯୋଗ ପାଇଥାଏ। ଏଣୁ ରକ୍ତ ନମୁନାର ଡିଏନ୍‌ଏ ଟେଷ୍ଟ ହେଲେ ଏବଂ ଅଭିଯୁକ୍ତ ହିଁ ଅପରାଧୀ ବୋଲି ପ୍ରମାଣିତ ହେଲେ ଖସିବା ସମ୍ଭବ ହେବ ନାହିଁ। ଏଣୁ ଏହି ଡିଏନ୍‌ଏ ଟେଷ୍ଟକୁ ଗୁରୁତ୍ବ ଦିଆଯାଇଛି। ସେହିଭଳି ରାଜ୍ୟ ଫୋରେନ୍‌ସିକ୍‌ ଦଳ ମଧ୍ୟ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି। ଆବଶ୍ୟକ ମୁତାବକ ତଥ୍ୟ ପ୍ରମାଣ ଯୋଗାଡ଼ କରିବାକୁ ଏହି ଟିମ୍‌ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ତଦନ୍ତରେ ବିଳମ୍ବ ହେଲେ ତ୍ବରିତ ନ୍ୟାୟ ପ୍ରଦାନ ସମ୍ଭବ ହୋଇ ନଥାଏ। ସେଥିପାଇଁ ଯଥାଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ୧୫ ଦିନ ଭିତରେ ଏହି କାମ ସାରିବା ପାଇଁ ଆାମେ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜଟଣୀରେ ଗତ ୧୧ ତାରିଖ ରାତିରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ଗାଁରେ ଭଡ଼ାରେ ରହୁଥିବା ଯୁବକ ପଡ଼ିଶା ଘରର ଜଣେ ୪ ବର୍ଷୀୟା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତକୁ ଶିଶୁକନ୍ୟା ସହ ଧରିବା ପରେ ଗ୍ରାମବାସୀ ମାଡ଼ ମାରି ପୁଲିସ ଜିମା ଦେଇଥିଲେ।

କ’ଣ ଏହି ରେଡ୍‌ ଫ୍ଲାଗ୍‌: ଏହି ବ୍ୟବସ୍ଥା ୨୦୧୪ରେ ଓଡ଼ିଶା ପୁଲିସ ଆରମ୍ଭ କରିଥିଲା। ନାରୀମାନଙ୍କ ଉପରେ ହେଉଥିବା ଜଘନ୍ୟ ଅତ୍ୟ‌ାଚାର ଯଥା: ଦୁଷ୍କର୍ମ, ଦୁଷ୍କର୍ମ ପରେ ହତ୍ୟ‌ା ଓ ହତ୍ୟା ଭଳି ମାମଲାଗୁଡ଼ିକୁ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ କରାଯାଏ। ଏହି ସବୁ ମାମଲାରେ କିଭଳି ତ୍ବରିତ ନ୍ୟାୟ ମିଳି ପାରିବ ‌ସେ ନେଇ ପୁଲିସ ବ୍ୟବସ୍ଥା କରିଥାଏ। ସ୍ବତନ୍ତ୍ର ଧ୍ୟାନ ଦେବା ସହ ପ୍ରାଥମିକତା ଭିତ୍ତିରେ ତଦନ୍ତ କରି ଅପରାଧୀ ଖସି ନଯିବା ଭଳି ତଥ୍ୟ ପ୍ରମାଣ ଯୋଗାଡ଼ କରିଥାଏ। କେନ୍ଦୁଝରର ୬ ବର୍ଷର ଶିଶୁ ଦୁଷ୍କର୍ମ ମାମଲାକୁ ରେଡ୍‌ଫ୍ଲାଗ୍‌ କାଟାଗୋରିରେ ଅନ୍ତର୍ଭୁକ୍ତ କରା ଯାଇଥିଲା। ୧୬ ଦିନରେ ତଦନ୍ତ ସରିଥିବା ବେଳେ ୬୮ ଦିନରେ ବିଚାର ସରିଥିଲା। ଜାନୁଆରି ୧୦ ତାରିଖରେ ଘଟଣା ଘଟିଥିବା ବେଳେ ଗତକାଲି ଅର୍ଥାତ୍‌ ଅପ୍ରେଲ ୧୨ରେ କେନ୍ଦୁଝର ଏଡିଜେ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜଟଣୀ ଦୁଷ୍କର୍ମ ହତ୍ୟା ମାମଲାକୁ ସେହିଭଳି ତ୍ବରିତ ଫଏସଲା ପାଇଁ ଉଦ୍ୟମ କରାଯାଉଛି।

ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖ ରାତିରେ ଜଟଣୀର ଏକ ୪ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲେ। ତାଙ୍କୁ ତାଙ୍କ ପଡ଼ୋଶୀ ଅପହରଣ କରି ନିଜ ଭଡ଼ା ଘରେ ଦୁଷ୍କର୍ମ କରି ହତ୍ୟା କରିଥିଲେ। ତେବେ ଝିଅର ନିଖୋଜ ସମ୍ପର୍କରେ ତାଙ୍କ ବାପା ଥାନାକୁ ଆସିଥିବା ବେଳେ ତାଙ୍କୁ ଥାନା ଭିତରେ ଜାମୁକୋଳି ପଞ୍ଚାୟତର ପୁର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ପରିଡା ମାଡ଼ ମାରିଥିଲେ। ତେବେ ଝିଅର ମୃତ୍ୟୁ ଖବର ପ୍ରଚାର ପରେ ପୀଡ଼ିତାଙ୍କ ବାପା ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା ନେଇ ଲୋକଙ୍କୁ କହିବା ପରେ ଲୋକଙ୍କ ଭିତରେ ଆକ୍ରୋଶ ବଢ଼ିଥିଲା।ଲୋକେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏହି ଘଟଣାରେ ପୁଲିସ ଜଟଣୀ ବ୍ଲକ୍‌ ଜାମୁକୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ପରିଡାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ କେଉଁ ପରିସ୍ଥିତିରେ ଓ କାହିଁକି ପୀଡ଼ିତାର ବାପାଙ୍କୁ ଶ୍ରୀ ପରିଡ଼ା ଆକ୍ରମଣ କଲେ ସେ ନେଇ ପୁଲିସ୍‌ କୌଣସି ସୂଚନା ଦେଇନାହିଁ।

ସମ୍ବନ୍ଧିତ ଖବର