‘# ମି ଠୁ’ରେ ଫସିଲେ ଯତୀନ ଦାସ

ନନ୍ଦିତାଙ୍କୁ ବି ବିବାଦ ଭିତରକୁ ଟାଣିଲେ, କିଛି ଲୋକ ଖେଳୁଛନ୍ତି, ମଜା ନେଉଛନ୍ତି: ଯତୀନ

ନୂଆଦିଲ୍ଲୀ: ବଲିଉଡରେ ଝଡ଼ ସୃଷ୍ଟି କରିଥିବା ‘# ମି-ଠୁ’ ଆନ୍ଦୋଳନ ଏବେ କଳା ଓ ସାହିତ୍ୟ କ୍ଷେତ୍ରକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଆଜି ପ୍ରସିଦ୍ଧ ଚିତ୍ରକର ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଯତୀନ ଦାସଙ୍କ ବିରୋଧରେ ଦୁଇ ଜଣ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ନିଶା ବୋରା ନାମ୍ନୀ ଜଣେ ମହିଳା ଆଜି ଟ୍ବିଟ୍‌ କରି କହିଛନ୍ତି, ୨୦୦୪ରେ ତାଙ୍କୁ ଯତୀନ ଦାସ ବଳପୂର୍ବକ ଚୁମ୍ବନ ଦେଇଥିଲେ। ଏହାପରେ ଆଉ ଜଣେ ମହିଳା ଅନୁଶ୍ରୀ ମଜୁମଦାର ମଧ୍ୟ ଯତୀନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।ନିଶା ବୋରା କହିଛନ୍ତି- ମୁଁ ଯତୀନଙ୍କ ସହିତ କିଛିଦନ କାର୍ଯ୍ୟ କରିଥିଲି। ପ୍ରଥମେ ଆମର ସାକ୍ଷାତ ଦିଲ୍ଲୀରେ ଯତୀନଙ୍କ ଘରେ ହୋଇଥିଲା। ତେବେ ଦ୍ବିତୀୟ ବାର ତାଙ୍କ ସହ ଷ୍ଟୁଡିଓରେ ସାକ୍ଷାତ ବେଳେ ସେ ମତେ ବଳପୂର୍ବକ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। ଏହି ଷ୍ଟୁଡିଓ ଖିଡ଼କି ଗ୍ରାମରେ ଥିଲା। ଏହାପରେ ଯତୀନ ମଦ୍ୟପାନ କରିଥିଲେ ଏବଂ ତାଙ୍କୁ ମଧ୍ୟ ମଦ ଯାଚିଥିଲେ ବୋଲି ନିଶା କହିଛନ୍ତି। ମଦ୍ୟପାନ କରିବା ପରେ ସେ ଦ୍ବିତୀୟ ବାର ଚୁମ୍ବନ ଦେବାକୁ ଉଦ୍ୟମ କରିଥିଲେ। ତେବେ ତାଙ୍କୁ ମୁଁ ଠେଲି ଦେଇ ବାହାରକୁ ପଳାଇ ଆସିବାରେ ସକ୍ଷମ ହୋଇଥିଲି ବୋଲି ନିଶା କହିଛନ୍ତି। ଏହାପରେ ଯତୀନଙ୍କ ଝିଅ ନନ୍ଦିତା ଦାସ (ଅଭିନେତ୍ରୀ, ନିର୍ଦ୍ଦେଶିକା)ଙ୍କ ଫୋନ୍‌ ଆସିଥିଲା । ତାଙ୍କ ପିତା ତାଙ୍କୁ ନିଜ ସହଯୋଗୀ ଭାବେ ରଖିବା ପାଇଁ ଚାହୁଁଥିବା ସେ କହିଥିଲେ। କିନ୍ତୁ ନନ୍ଦିତାଙ୍କ କଥା ସେତେବେଳେ ମୋ ଦେହରେ ଛୁରି ଚଳାଇବା ଭଳି ଲାଗୁଥିଲା ବୋଲି ନିଶା କହିଛନ୍ତି।

ସେହିଭଳି ଯତୀନଙ୍କ ବିରୋଧରେ ଦ୍ବିତୀୟ ଅଭିଯୋଗ ଆଣିଛନ୍ତି ଅନୁଶ୍ରୀ ମଜୁମଦାର । ସେ ଟ୍ବିଟ୍‌ କରି କହିଛନ୍ତି, ୨୦୦୬ରେ ଏକ ସଂସ୍ଥାର ପ୍ରକଳ୍ପ ମ୍ୟାନେଜର ଭାବେ ମୁଁ କାମ କରୁଥିଲି ଏବଂ ଏକ ପେଣ୍ଟିଂ ଆଣିବା ପାଇଁ ଯତୀନଙ୍କ ଷ୍ଟୁଡିଓକୁ ଯାଇଥିଲି। ଯତୀନ ମତେ ଚକିତ କରି ହଠାତ୍ ନିଜର ସହଯୋଗୀ ଭାବେ ରଖିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ମୁଁ କାମ କରୁଥିବା ସଂସ୍ଥା ତୁରନ୍ତ ଛାଡ଼ି ଦେବାକୁ କହିଥିଲେ। ଏହାପରେ ଯତୀନ ମୋତେ ବାରମ୍ବାର ଯୋଗାଯୋଗ କରି ଆପତ୍ତିଜନକ ଭାବେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଦିନେ ଏକ ସନ୍ଧ୍ୟାରେ ସେ ବଳପୂର୍ବକ ମୋ ସହ ମିଶିବା ପାଇଁ ଚାହିବାରୁ ମତେ ଲୁଚିବାକୁ ପଡ଼ିଲା। ତେବେ ପରବର୍ତ୍ତୀ କୌଣସି କଲ୍‌ ମୁଁ ଗ୍ରହଣ ନ କରିବାରୁ ସେ ବାଧ୍ୟହୋଇ ମୋ ପିଛା ଛାଡ଼ିଥିଲେ। ତେବେ ଯତୀନ ଉଭୟ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଅତ୍ୟନ୍ତ ଅଶୋଭନୀୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ କିଛିଲୋକ ଏଭଳି ଅଭିଯୋଗ ସହ ଖେଳୁଛନ୍ତି ଏବଂ ଏଥିରୁ ମଜା ଉଠାଉଛନ୍ତି। ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ମୁଁ ଜାଣିନାହିଁ, କି କେବେ ମିଶିନାହିଁ। ଯଦିବା କେଉଁଠି କାହା ସହିତ ମିଶିଛି ତେବେ ଏଭଳି କାର୍ଯ୍ୟ ମୋ ଚିନ୍ତାର ବାହାରେ ବୋଲି ଯତୀନ କହିଛନ୍ତି।

ସମ୍ବନ୍ଧିତ ଖବର