ବ୍ରହ୍ମପୁର: ଓଡ଼ିଶାରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ୱତନ୍ତ୍ର ରଣନୀତି ନିର୍ଦ୍ଧାରଣ ସହ ସେ ଦିଗରେ ବି ଦଳ କାର୍ଯ୍ୟକରୁଛି। ଆଜି ଏଠାରେ ଆୟୋଜିତ ଦଳୀୟ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର୍ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକର୍୍ ସ୍ଥାନୀୟ ଏକ ହୋଟେଲ୍ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ‘ମୋ ବୁଥ୍- ସବୁଠୁ ମଜବୁତ୍ ଅଭିଯାନ’ର ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଗୋପାଳପୁର, ଚିକିଟି, ମୋହନା, ପାରଳାଖେମୁଣ୍ଡି ଓ ବ୍ରହ୍ମପୁରର ବୁଥ୍ ଓ ମଣ୍ଡଳସ୍ତରୀୟ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ‘ବର୍ତମାନ ସୁଦ୍ଧା ମିସ୍ କଲ୍ ଜରିଆରେ ୨୧ କୋଟି ନୂତନ ସଦସ୍ୟଙ୍କୁ ଦଳରେ ସାମିଲ କରାଯାଇ ବିଜେପି ବିଶ୍ୱର ସବୁଠୁ ବଡ଼ଦଳ ଭାବେ ପରିଣତ ହୋଇପାରିଛି। ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ସୁଦୃଢ କରାଯିବ।’ ସଂପ୍ରତି ଦେଶର ୧୮ଟି ରାଜ୍ୟରେ ବିଜେପି ସରକାର ଗଠନ କରିସାରିଥିବା ବେଳେ ଆଗାମୀ ଦିନରେ ଓଡ଼ିଶା ଦଖଲ କରିବାକୁ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇସାରିଲାଣି ବୋଲି ଶ୍ରୀ ଜାଭଡ଼େକର୍ କହିଥିଲେ। ବିଜେପି ଗଂଜାମ ଜିଲ୍ଲା ସଭାପତି କାହ୍ନଚରଣ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର , ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତି ଓ ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।