୪ରେ ଦିଲ୍ଲୀ ଏମ୍‌ସ ଯିବେ ଜୟନାରାୟଣ

କଟକ: କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୪ ତାରିଖରେ ଜୟନାରାୟଣଙ୍କୁ ଦିଲ୍ଲୀ ନିଆଯିବ ବୋଲି ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ସୂତ୍ରରୁ ସୂଚନା ମିଳିଛି। ସୋହେଲା ଜେଲରେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ବୁର୍ଲା ଓ ପରେ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ପଠାଯିବାକୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ। ପୁଲିସ ସୁରକ୍ଷା ବ୍ୟବସ୍ଥାରେ ତାଙ୍କୁ ଟ୍ରେନରେ ଦିଲ୍ଲୀ ନେବାକୁ ଯୋଜନା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦୃଷ୍ଟିରୁ ସେ ଟ୍ରେନରେ ଯିବା ଆଦୌ ସମ୍ଭବ ନୁହେଁ ବୋଲି ପ୍ରଥମରୁ କହୁଥିବାବେଳେ ଏବେ ପୁଣି ଟ୍ରେନରେ ଦିଲ୍ଲୀ ଯିବାକୁ ରାଜି ହୋଇଥିବା ଜୟନାରାୟଣଙ୍କ ଘନିଷ୍ଠ ସହଯୋଗୀ ନାଉରୀ ନାୟକ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜୟନାରାୟଣଙ୍କ ଚିକିତ୍ସା ପାଇଁ ମେଡିକାଲ୍‌ ପକ୍ଷରୁ ୫ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଥିଲା।

ସମ୍ବନ୍ଧିତ ଖବର