ଜୟ ନାରାୟଣ ଅସୁସ୍ଥ, ବୁର୍ଲା ସ୍ଥାନାନ୍ତର

ସୋହେଲା/ବୁର୍ଲା : ବନାବିରା ଗୁଳିକାଣ୍ଡ ଓ ମାଗି ସାହୁ ହତ୍ୟା ମାମଲାରେ ଗିରଫ ହୋଇ ସୋହେଲା ଜେଲ୍‌ରେ ଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଶନିବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୋହେଲା ଜେଲ୍‌ରୁ ବାହାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ପଠାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୟନାରାୟଣଙ୍କୁ ଆବଶ୍ୟକୀୟ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରିବାକୁ ପଡ଼ିଛି। ଗତ ଦୁଇଦିନ ତଳେ ଶ୍ରୀ ମିଶ୍ର ଅସୁସ୍ଥ ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ସହ ଉଚ୍ଚ ରକ୍ତଚାପ ସମସ୍ୟା ଥିବା ସେ ଜେଲ୍‌ କର୍ତୃପକ୍ଷଙ୍କୁ ଜଣାଇଥିଲେ। ଜେଲରେ ତାଙ୍କର ପ୍ରାଥମିକ ଉପଚାର ଚାଲିଥିଲା। ତେବେ ଶ୍ରୀ ମିଶ୍ରଙ୍କୁ ଉନ୍ନତ ଚିକିତ୍ସାର ଆବଶ୍ୟକତା ଥିବା ଜେଲ କର୍ତୃପକ୍ଷ ସ୍ଥାନୀୟ କୋର୍ଟରେ ଆବେଦନ କରିଥିଲେ। ଯାହାକୁ ମାଜିଷ୍ଟ୍ରେଟ ମଂଜୁର କରିଥିଲେ। ଆମ ବୁର୍ଲା ପ୍ରତିନିଧିଙ୍କ ସୂତ୍ରରୁ ପ୍ରକାଶ ଯେ, ମେଡିକାଲ ଆଶୁ ଚିକିତ୍ସା ବିଭାଗରେ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ପରୀକ୍ଷା କରା ଯାଇଥିଲା। ହୃଦରୋଗ ବିଭାଗ ମୁଖ୍ୟ ପ୍ରଫେସର ଡା.ସୁରେଶ ସାହୁ କାଜୁଆଲଟି ପହଞ୍ଚି ଶ୍ରୀମିଶ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଇସିଜି ପରୀକ୍ଷା ଠିକଠାକ ରହିଥିବା ବେଳେ ରକ୍ତଚାପ ୨୧୦/୧୧୦ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ହୃଦ ଜନିତ ସମସ୍ୟା କିଛି ଜଣାପଡି ନାହିଁ। ଅନ୍ୟାନ୍ୟ ଚିକିତ୍ସାଗତ ପରୀକ୍ଷା ପାଇଁ କୁହାଯାଇଛି। ରିପୋର୍ଟ ଅସିଲେ ସେ ଅନୁସାରେ ଚିକିତ୍ସା ଯୋଗାଇ ଦିଆଯିବ ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡା.ସାହୁ କହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମେଡିସିନ୍‌ ବିଭାଗରେ ଭର୍ତ୍ତିି କରାଯାଇଛି। ସେଠାରେ ୫ ନମ୍ବର କ୍ୟାବିନରେ ରଖା ଯାଇଛି।

ଜୟଙ୍କୁ କ୍ୟାନ୍‌ସର

ସମ୍ବଲପୁର : ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର କର୍କଟରେ ପୀଡ଼ିତ ଥିବା ଜଣା ପଡ଼ିଛି। ସେ ଖାଦ୍ୟନଳୀ କର୍କଟରେ ପୀଡ଼ିତ ହୋଇଥିବାରୁ ୨୦୧୬ରେ ଦିଲ୍ଲୀ ଏଏମ୍‌ସରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ତାଙ୍କର ନିୟମିତ କେମୋ ଚିକିତ୍ସା ଚାଲିଥିଲା। ଏଥି ପାଇଁ ବିଭିନ୍ନ ସମୟରେ ଜୟ ନାରାୟଣ ଏମ୍‌ସ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିଲେ। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ସମୟରେ ଜୟଙ୍କୁ କ୍ୟାନ୍‌ସର ହୋଇଥିବା କଥା ଡାକ୍ତରମାନେ ଜାଣି ପାରିଛନ୍ତି। କିନ୍ତୁ ଏହାକୁ ପ୍ରକାଶ କରୁ ନାହାନ୍ତି।

ସମ୍ବନ୍ଧିତ ଖବର