ଟ୍ରେନ୍‌ରେ ଯାଇପାରିବେନି ଜୟନାରାୟଣ! : ଚିକିତ୍ସା ପାଇଁ ଦିଲ୍ଲୀକୁ ବିମାନରେ ନିଆଯାଉ

କଟକ : କଟକ ଏସ୍‌ସିବିରେ ଚିକିତ୍ସାଧୀନ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତାଙ୍କର ଦୁଇଟି କିଡ୍‌ନୀ ଅଚଳ ହୋଇଯାଇଥିବା ବେଳେ ସେ ଏବେ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏଭଳି ସ୍ଥିତିରେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ପଠାଯିବାକୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ନିଷ୍ପତ୍ତି ନେଇଛନ୍ତି। ପୁଲିସ ସୁରକ୍ଷା ବ୍ୟବସ୍ଥାରେ ତାଙ୍କୁ ଟ୍ରେନରେ ଦିଲ୍ଲୀ ନେବାକୁ ଯୋଜନା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦୃଷ୍ଟିରୁ ସେ ଟ୍ରେନରେ ଯିବା ଆଦୌ ସମ୍ଭବ ନୁହେଁ। ବରଂ ତାଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଉ ବୋଲି ଜୟନାରାୟଣଙ୍କ ଘନିଷ୍ଠ ସହଯୋଗୀ ନାଉରୀ ନାୟକ ଜଣାଇଛନ୍ତି। ଜେଲ୍‌ରେ ଥିବାବେଳେ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ବହନ କରିବା କଥା। ପୂର୍ବରୁ ସେ ଦିଲ୍ଲୀ ଚିକିତ୍ସା ପାଇଁ ଯିବା ସମୟରେ ବିମାନରେ ଯାଉଥିବାରୁ ତାଙ୍କୁ ବିମାନରେ ନିଆଯିବା ଦରକାର ବୋଲି ସେ ଦାବି କରିଛନ୍ତି। ଯଦି ଏଦିଗରେ ଦୃଷ୍ଟି ଦିଆ ନଯାଏ, ତେବେ ବାଧ୍ୟ ହୋଇ ପୁଣି ଆବେଦନ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜୟନାରାୟଣଙ୍କ ଚିକିତ୍ସା ପାଇଁ ମେଡିକାଲ୍‌ ପକ୍ଷରୁ ୫ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଥିଲା। ବିଭାଗର ଡାକ୍ତରମାନେ ନିୟମିତ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଉଥିଲା। ତେବେ ଦୁଇ ମାସ ତଳେ ତାଙ୍କର କଲୋନ ଅସ୍ତ୍ରୋପଚାର ହୋଇଥିବାରୁ ଏଭଳି ସ୍ଥିତିରେ ଏସ୍‌ସିବିରେ ତାଙ୍କର ଉଚ୍ଚମାନର ଚିକିତ୍ସା କରାଯିବା ଅସମ୍ଭବ ବୋଲି ଡାକ୍ତରୀ ଦଳ ହୃଦ୍‌ବୋଧ କରିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀସ୍ଥାନାନ୍ତର କରାଯାଉଥିବା ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର