ଜବାବ ରଖିଲେ ବିଧାୟକ, ଯଦି ବାରଣ ଛାଡ଼ିଲେ କାହିଁକି?

ଦାରୁ ବିଶୃଙ୍ଖଳା ବେଳେ କେତେ ନେତାଙ୍କୁ ହୋଇଥିଲା ନୋଟିସ୍‌

ପୁରୀ : ସ୍ନାନଯାତ୍ରା ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିଥିବା ଦର୍ଶାଇ ଶ୍ରୀମନ୍ଦିର ପ୍ରଶାସନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନୋଟିସ୍‌ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ମୁଖ୍ୟ ପ୍ରଶାସକ ବ୍ୟବସ୍ଥାବଳୀରେ ତ୍ରୁଟି ଥିବା କଥା ଉଲ୍ଲେଖ କରିଛନ୍ତି। ତେବେ ସ୍ନାନଯାତ୍ରାକୁ ନେଇ ଯେଉଁ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିଲା ତାହା ମନ୍ଦିର ପ୍ରଶାସନ ବିଧାୟକ ହିସାବରେ ତାଙ୍କୁ ଦେଇନାହାନ୍ତି। ଯଦି ଦେଇନାହାନ୍ତି ସେ କେମିତି ଜାଣିଥାନ୍ତେ? ପୁଣି ଏତେ ବ୍ୟବସ୍ଥା ଯଦି ଥିଲା, ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଗଲା ବେଳେ ତାଙ୍କୁ କେହି ରୋକିନଥିଲେ କ‌ାହିଁକି? ଯେଉଁ ପୁଲିସ କି ସେବକ ଦାୟିତ୍ବରେ ଥିଲେ ସେମାନେ ଯଦି ତାଙ୍କୁ ମନା କରିଥାନ୍ତେ ସେ ଆଦୌ ଯାଇନଥାନ୍ତେ। ଏଥିରେ ତାଙ୍କର ଯେତିକି ଭୁଲ୍‌ ମୁଖ୍ୟ ପ୍ରଶାସକଙ୍କ ବ୍ୟବସ୍ଥ‌ାବଳୀ ବିଶୃଙ୍ଖଳା ମଧ୍ୟ ସେତିକି ଦାୟୀ। ମୁଖ୍ୟ ପ୍ରଶାସକ ସିସିଟିଭିରୁ କେବଳ ବିଧାୟକଙ୍କ ଭିଡିଓ ଫୁଟେଜ୍ ପାଇଲେ, ଆଉ କାହାର ଭିଡିଓ ଚିତ୍ର ତାଙ୍କୁ ଦିଶିଛି କି ନାହିଁ ଏ କଥା ମଧ୍ୟ ସ୍ପଷ୍ଟ କରିବା ଉଚିତ। ବିରୋଧୀ ରାଜନୈତିକ ଦଳରେ ରହିଛନ୍ତି ବୋଲି ତାଙ୍କ ପ୍ରତି ଏପ୍ରକାର ଆକ୍ରୋଶକୁ ସେ ନିନ୍ଦା କରିଛନ୍ତି।

ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି, ନବକଳେବର ସମୟରେ ଦାରୁ ଘରେ ଯେଉଁଠି ପ୍ରବେଶ ନିଷେଧ ଥିଲ‌ା, ସେତେବେଳେ ଅନେକ ବିଶୃଙ୍ଖଳା ହୋଇଥିଲା। ସେତେବେଳେ ଶ୍ରୀମନ୍ଦିର ପ୍ରଶାସନ କେତେ ଜଣ ନେତାଙ୍କୁ ଏମିତି ନୋଟିସ୍‌ ଦେଇଥିଲେ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଏଭଳି ରାଜନୀତି କଲେ ମହାପ୍ରଭୁ କାହାକୁ କ୍ଷମା ଦେବେ ନାହିଁ। ସେ ଜାଣତରେ କିଛି ଭୁଲ କରିନାହାନ୍ତି, ତେଣୁ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବେ କି ନାହିଁ ସେ କଥା ପରେ ଚିନ୍ତା କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସ୍ନାନଯାତ୍ରା ଦିନ କେବଳ ବିଧାୟକ ନୁହନ୍ତି, ଅନେକ ଅପ୍ରାଧିକୃତ ସେବକ ଓ ସେମାନଙ୍କ ସଂପର୍କୀୟ ଶ୍ରୀବିଗ୍ରହଙ୍କୁ ଛୁଇଁଥିବା ଜଣାପଡିଛି। ଏଭଳି କ୍ଷେତ୍ରରେ ମୁଖ୍ୟ ପ୍ରଶାସକ ବିଧାୟକଙ୍କୁ ନୋଟିସ୍‌ ଦେବା ଓ ଦୁଇ ସେବାୟତଙ୍କୁ ନିଲମ୍ବିତ କରିବା ନେଇ ସେବକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର