ଭାଗୀରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି : ରାଜନାଥଙ୍କୁ ଭେଟିଲେ ଜୟରାମ

ରାୟଗଡ଼ା : ଆଦିବାସୀ ନେତା ତଥା ପୂର୍ବତନ କାଉନସିଲର ଭାଗୀରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାକୁ ନେଇ ପୂର୍ବତନ ସାଂସଦ ଜୟରାମ ପାଙ୍ଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ହତ୍ୟାକାଣ୍ଡରେ କ୍ରାଇମ ବ୍ରାଞ୍ଚ ଚାପରେ ପଡ଼ି ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିବା ସହ ହତ୍ୟାକାଣ୍ଡର ୮ବର୍ଷ ପରେ ବି ମୃତକଙ୍କ ପରିବାରକୁ ନ୍ୟାୟ ମିଳିପାରିନାହିଁ। ଅଭିଯୁକ୍ତମାନେ ଶାସକ ଦଳ ବିଜେଡିର ହୋଇଥିବାରୁ ଜାଣିଶୁଣି ପୁଲିସ ଗିରଫ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୂର୍ବତନ ସାଂସଦ ଶ୍ରୀ ପାଙ୍ଗି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଏଭଳି ଗୁରୁତର ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୂର୍ବତନ ସାଂସଦ ଶ୍ରୀ ପାଂଗିଙ୍କ ନେତୃତ୍ୱରେ ରାୟଗଡ଼ା ଆଦିବାସୀ ମହାସଂଘ ପ୍ରତିନିଧି ଦଳ ନୂଆଦିଲ୍ଲୀ ଯାଇ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଥିିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିନିଧି ଦଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ହତ୍ୟାକାଣ୍ଡର ପୃଷ୍ଠଭୂମି ସଂପର୍କରେ ବର୍ଣ୍ଣନା କରି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ପ୍ରତିନିଧି ଦଳରେ ଶ୍ରୀ ପାଂଗିଙ୍କ ସହ ଆଦିବାସୀ ମହାସଂଘ ଆବାହାକ ବସନ୍ତ ଉଲ୍ଲାକା, ଭାଗୀରଥୀଙ୍କ ଭାଇ ଭାଷା ମାଣ୍ଡାଙ୍ଗି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର