ଜେସିବି ଅପରେଟରଙ୍କୁ ପିଟି ହତ୍ୟା ଅଭିଯୋଗ

କରଞ୍ଜିଆ/ତାଟୋ : କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗାଁରେ ଜଣେ ଜେସିବି ଅପରେଟରଙ୍କୁ ଗତକାଲି ରାତିରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଅପରେଟର ହେଉଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ଗାଁର ଲକ୍ଷ୍ମୀଧର ବେହେରା‌ଙ୍କ ପୁଅ ସାଗର କୁମାର ବେହେରା। କେନ୍ଦୁମୁଣ୍ଡିରୁ ବିଶିପୁର ଯାଏ ଚାଲିଥିବା ରାସ୍ତାକାମର ଲାଗୁଥିବା ଜେସିବିରେ ସେ ଅପରେଟର ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ଗତକାଲି ରାତିରେ ବିଶିପୁର ଗ୍ରାମର ଗୁରଭା ମାଝୀ, ବିଜୁ ମାଝୀ, ହଗରା ମାଝୀ, ଘନ ହୋ, କୁନା ହୋ ଓ ସୁନ୍ଦରମୋହନ ହାଁସଦା ମିଳିତ ଭାବେ ସାଗରଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ନିର୍ଘାତ ପିଟିଥିଲେ। ଏଥିସହିତ ରାସ୍ତା କରୁଥିବା ସୁପରଭାଇଜର ଉଦଳା ଅଞ୍ଚଳର ଭାଗିରଥୀ ଲେଙ୍କା ଓ ଅନ୍ୟ ଜଣେ ମାଟୁରୁ ସିଂଙ୍କୁ ଡାକି ନେଇ ସେମାନେ ମାଡ଼ ମାରିଥିଲେ। ଜଣେ ବାଳିକାଙ୍କ ସହିତ ସାଗର କଥା ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ତେବେ ଆକ୍ରମଣ କରିବା ପରେ ଗାଁରେ ସଭା କରାଯାଇ ସମାଧାନ କରାଯିବ ବୋଲି କହି ସାଗରଙ୍କୁ ନେଇ ଯାଇଥିଲେ। ଏନେଇ ସୁପରଭାଇଜର ଶ୍ରୀଲେଙ୍କା ସାଗରଙ୍କ ବାପା ଲକ୍ଷ୍ମୀଧରଙ୍କୁ ଅବଗତ କରିଥିଲେ। ଖବରପାଇ ଲକ୍ଷ୍ମୀଧର ଆଜି ସକାଳେ ସୁନ୍ଦରମୋହନର ଘରେ ପହଞ୍ଚିଥିଲେ। ତେବେ ସେଠାରେ ତାଙ୍କ ପୁଅର ଶବ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଲକ୍ଷ୍ମୀଧରଙ୍କ ସୂଚନାକ୍ରମେ କରଞ୍ଜିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ସଂଧ୍ୟାରେ ଲକ୍ଷ୍ମୀଧର କରଞ୍ଜିଆ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର