ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଉଦ୍ୟମ : ୮୦% ଜଳି ସଂକଟାପନ୍ନ, ଏସ୍‌ସିବିରେ ଭର୍ତ୍ତି

ବ୍ରହ୍ମପୁର : ପୁଅକୁ ପୁଲିସ ଗିରଫ କରିନେବାରୁ ବ୍ରହ୍ମପୁର ସହରର ଆଗଧାଡ଼ିର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ଆଜି ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଆଉ କେଉଁଠି ନୁହେଁ, ଖୋଦ୍‌ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଘଟିଛି। ମୋ ସରକାର ଅଧୀନରେ କାର୍ଯ୍ୟ କରୁଥିବା ପୁଲିସ ବିଭାଗର ଜିଲ୍ଲା ମୁଖ୍ୟାଳୟ, ଯେଉଁଠି ୨୪ ଘଣ୍ଟା କଡ଼ା ପହରା ଥାଏ ଏବଂ ପ୍ରତ୍ୟେକ ବାହାର ବ୍ୟକ୍ତିଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରି ଭିତରେ ପ୍ରବେଶ ଅନୁମତି ମିଳିଥାଏ; ସେଠାକୁ ଜଣେ ମହିଳା ନେତ୍ରୀ କିଭଳି କିରାସିନି ଧରି ଭିତରକୁ ଗଲେ ଏବଂ ଆତ୍ମଦାହ ଉଦ୍ୟମ କଲେ ତାହା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ଅବସ୍ଥାରେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର(୪୨)ଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଶରୀରର ପ୍ରାୟ ୮୦ପ୍ରତିଶତ ଅଂଶ ପୋଡ଼ି ଯାଇ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୩୧/୨୦ରେ ମାମଲା ରୁଜୁ କରି ଅନୁସଂଧାନ ଜାରି ରଖିଥିବା ଏ.ଏସ୍‌.ପି. ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରୁ ମୀନାକ୍ଷୀଙ୍କ ପୋଡ଼ି ଯାଇଥିବା ଶାଢ଼ି, ଏକ ବ୍ୟାଗ୍‌ ଓ କିରାସିନି ଡବା ଜବତ କରିଛି।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନି ନିବାସୀ ମୀନାକ୍ଷୀଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ୍‌ ରାଜାଙ୍କୁ ଗତ ୨୮ତାରିଖରେ କିଛି ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ମୀନାକ୍ଷୀ ଏହି ଦୁର୍ବୃତ୍ତମାନଙ୍କ ସହ ସାହସର ସହ ଲଢ଼ିଥିଲେ ଏବଂ ତାଙ୍କ ହାତରେ ମଧ୍ୟ ଖଣ୍ଡା ଚୋଟ ପଡ଼ିଥିଲା। ଆକ୍ରମଣରେ ଉଭୟ ମା-ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରିଥିଲା। ରାଜାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପଟେ ବିପକ୍ଷ ଗୋଷ୍ଠୀର ମାମଲାକୁ ଭିତ୍ତି କରି ପରବର୍ତ୍ତୀ ସମୟରେ ରାଜାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୀନାକ୍ଷୀ ଏହାକୁ ଗ୍ରହଣ କରି ପାରି ନ ଥିଲେ। ପୁଅକୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରି ନଥିବାବେଳେ ତାଙ୍କ ପୁଅକୁ ଆକ୍ରୋଶମୂଳକ ଭାବେ ମିଥ୍ୟା ମାମାଲାରେ ଫସାଇ ଗିରଫ କରା ଯାଇଥିବା ଅଭିଯୋଗ ଆଣିଥିଲେ। ଏଭଳି ଅଭିଯୋଗ ନେଇ ଆଜି ମୀନାକ୍ଷୀ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ହେଲେ ଏସ୍‌ପି ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଅଫିସ୍‌ରେ ଉପସ୍ଥିତ ନଥିଲେ। ମୀନାକ୍ଷୀ କିଛି ସମୟ ଅପେକ୍ଷା କରିବା ପରେ ଏଏସ୍‌ପିଙ୍କୁ ସାକ୍ଷାତ କରିଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ଏ.ଏସ୍‌.ପି.ଙ୍କୁ ସାକ୍ଷାତ କରି ସେ ଏସ୍‌ପି ଅଫିସ୍‌ରୁ ବାହାରିଥିଲେ। ଆଉ ଜିଲ୍ଲା ପୁଲିସ ମୁଖ୍ୟାଳୟର ସିସିଟିଏନ୍‌ଏସ୍‌ ସେଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ହଠାତ୍‌ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସେ ହୁତ୍‌ ହୁତ୍‌ ଜଳୁଥିବା ଦେଖି ନିକଟରେ ଥିବା କିଛି କର୍ମଚାରୀ ଦୌଡ଼ି ଯାଇ ନିଆଁ ଲିଭାଇଥିଲେ ଏବଂ ମୀନାକ୍ଷୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ଖବର ପାଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମଧ୍ୟ ଡାକ୍ତରଖାନାରେ ପହଞ୍ଚି ମୀନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ତେବେ ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ଏସ୍‌.ପି. ମିଶ୍ର କହିଛନ୍ତି, ମୀନାକ୍ଷୀଙ୍କ ପୁଅକୁ ପ୍ରାଥମିକ ପ୍ରମାଣ ଆଧାରରେ ଏକ ମାମଲାରେ କିଛିଦିନ ତଳେ ଗିରଫ କରା ଯାଇଥିଲା। ପୁଅକୁ କାହିଁକି ଗିରଫ କରାଗଲା ବୋଲି ମୀନାକ୍ଷୀ ପ୍ରଶ୍ନ କରିବା ସହିତ ଅଭି‌ଯୋଗ ଦାଖଲ କରିବା ପାଇଁ ଆସିଥିଲେ। ଜଣେ ଏ.ଏସ୍‌.ପି. ତାଙ୍କ ଅଭିଯୋଗ ଶୁଣି ଆବଶ୍ୟକ ତଦନ୍ତ କରାଯିବ ବୋଲି କହିଥିଲେ। ସେଠାରୁ ଫେରି ମୀନାକ୍ଷୀ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜାଙ୍କ ନାଁରେ ପୂର୍ବରୁ ୭ଟି ମାମଲା ରହିଛି ବୋଲି ଏସ୍‌.ପି. କହିଛନ୍ତି।

ଏହି ଖବର ପାଇ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସୁବାସ ମହାରଣା ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ବଡ଼ ଡାକ୍ତରଖାନାରେ ପହଞ୍ଚି ମୀନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଏଭଳି ଘଟଣାରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ। ହଠାତ୍‌ ମୀନାକ୍ଷୀ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ସେମାନଙ୍କୁ ବିସ୍ମିତ କରିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର