ବାହାରିଲା ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ : ଆଇଆଇଟି ପାଇଁ ୧୮ ହଜାର ଯୋଗ୍ୟ

ଭୁବନେଶ୍ୱର : ଭୁବନେଶ୍ୱର ସମେତ ଦେଶରେ ଥିବା ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଅନୁଷ୍ଠିତ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ‘www.jeeadv.ac.in’ ମାଧ୍ୟମରେ ରେଜଲ୍ଟ ଜାଣିପାରୁଛନ୍ତି। ଏଥର ଆଇଆଇଟିଗୁଡ଼ିକର ୧୧ ହଜାର ୨୭୯ ସିଟ୍‌ରେ ନାମଲେଖା ହେବାକୁ ଥିବା ବେଳେ ୧୮ ହଜାର ୧୩୮ ଜଣ ଜେଇଇ ଆଡଭାନ୍ସଡ୍‌ରେ ଯୋଗ୍ୟତା ହାସଲ କରିଛନ୍ତି।

ଚଳିତବର୍ଷ ୨ ଲକ୍ଷ ୨୪ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧ ଲକ୍ଷ ୫୫ ହଜାର ୧୫୮ ଛାତ୍ରଛାତ୍ରୀ ଦୁଇଟି ପେପର୍‌ରେ ପରୀକ୍ଷା ଦେଇଥିବା ବେଳେ ୧୮ ହଜାର ୧୩୮ଜଣ କଟ୍‌ ଅଫ୍‌ ମାର୍କଠାରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ୧୬ ହଜାର ୬୨ ଜଣ ଛାତ୍ର ଓ ୨ ହଜାର ୭୬ଜଣ ଛାତ୍ରୀ ରହିଛନ୍ତି। ସାଧାରଣ ବର୍ଗରେ ୮, ୭୯୪ଜଣ ଥିବା ବେଳେ ଓବିସିରେ ୩ ହଜାର ୧୪୦, ଏସ୍‌ସିରେ ୪,୭୦୯ ଓ ଏସ୍‌ଟି ବର୍ଗରେ ୧,୪୯୫ ଜଣ ରହିଛନ୍ତି।

କମନ୍‌ ର‍୍ୟାଙ୍କ ଲିଷ୍ଟ(ସିଆରଏଲ୍‌)ରେ ପ୍ରଣବ ଗୋଏଲ ମୋଟ ୩୬୦ରୁ ୩୩୭ ନମ୍ବର ରଖି ଦେଶରେ ଟପର୍‌ ହୋଇଛନ୍ତି। ଛାତ୍ରୀ ମିନାଲ୍‌ ପାରାଖ ୩୧୮ ନମ୍ବର ରଖି ସିଆରଏଲ୍‌ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛନ୍ତି। ସେ ଛାତ୍ରୀମାନଙ୍କ ମଧ୍ୟରେ ଦେଶରେ ଟପର୍‌ ହୋଇଛନ୍ତି। ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ନେଇ ଗଠିତ ଖଡ଼ଗପୁର ଜୋନ୍‌ରେ କେଭିଆର ହେମନ୍ତ କୁମାର ଚୋଡିପିଲ୍ଲି ସିଆରଏଲ୍‌ରେ ୭ମ ସ୍ଥାନରେ ରହିବା ସହ ଜୋନ୍‌ରେ ଟପର୍‌ ହୋଇଛନ୍ତି। ଛାତ୍ରୀ ବିନିତା ଭିନ୍ନେଲା ସିଆରଏଲ୍‌ରେ ୨୬୧ତମ ସ୍ଥାନରେ ରହିବା ସହ ଛାତ୍ରୀଙ୍କ ମଧ୍ୟରେ ଜୋନ୍‌ ଟପର୍‌ ହୋଇଛନ୍ତି।

ଜୋନ୍‌ର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଓଡ଼ିଆ ଛାତ୍ର ସାର୍ଥକ ବେହେରା ସ୍ଥାନ ପାଇଛନ୍ତି। ସେ ସିଆରଏଲ୍‌ରେ ୮୨ତମ ସ୍ଥାନରେ ରହିବା ସହ ଜୋନ୍‌ରେ ୪ର୍ଥ ସ୍ଥାନରେ ଅଛନ୍ତି। ଜୋନ୍‌ର ଦ୍ୱିତୀୟ ସ୍ଥାନରେ ନିମାୟ ଗୁପ୍ତା (ସିଆରଏଲ୍‌ ୪୮), ତୃତୀୟରେ ଆୟୁଷ ଅଗ୍ରଓ୍ଵାଲ (ସିଆରଏଲ୍‌ ୬୦), ୫ମ ସ୍ଥାନରେ ଦିବ୍ୟଜ୍ୟୋତି କର (ସିଆରଏଲ ୯୨) ସ୍ଥାନରେ ରହିଛନ୍ତି। ଓଡ଼ିଶାରୁ ଏଥର ୬ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣ ଆଇଆଇଟିରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରାରମ୍ଭିକ ସୂଚନା ମିଳିଛି।

ଜୁନ୍‌ ୧୫ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିବେ। ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ଜୁନ୍‌ ୨୭ରେ ଅନୁଷ୍ଠିତ ହେବ। ଜଏଣ୍ଟ ସିଟ୍‌ ଆଲୋକେସନ ଅଥରିଟି (ଜୋସା) ମାଧ୍ୟମରେ ଜୁଲାଇ ୧୮ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ କାଉନସେଲିଂ କରାଯିବ।

ସମ୍ବନ୍ଧିତ ଖବର